ଭୁବନେଶ୍ବର : 'ଫନି' ବାତ୍ୟା ପରବର୍ତ୍ତୀ ପୁନର୍ଗଠନ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ରହିବା ଜରୁରୀ। ଏ ନେଇ ସରକାର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଏକ ମିଳିତ ବୈଠକରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି। ପୁନରୁଦ୍ଧାର ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ଗୁଡ଼ିକର କ୍ରୀୟାଶୀଳତା ଉପରେ ଗୁରୁତ୍ବାରୋପ କରିବାକୁ ସରକାରୀ ବିଭାଗ ଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ସୋମବାର ସ୍ଥାନୀୟ କୃଷି ଭବନରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଅଧ୍ୟକ୍ଷତାର କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଆଗେଇ ଆସିବା ଦରକାର। ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି। ପୁନରୁଦ୍ଧାର ପାଇଁ ନିଜ ନିଜର ଯୋଜନା ବାବଦରେ ସୁଚିନ୍ତିତ ମତ ପ୍ରଦାନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ କୃଷି ବିଭାଗ ପ୍ରମୁଖ ସଚିବ।
ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ପ୍ରଭାବିତ ଲୋକମାନଙ୍କ ଜୀବନଧାରାକୁ ସ୍ବାଭାବିକ ଅବସ୍ଥାରୁ ଉର୍ଦ୍ଧ୍ବକୁ ନେବା ପାଇଁ ସରକାରୀ ବିଭାଗ ସହିତ ସମନ୍ବୟ ରକ୍ଷା ପୂର୍ବକ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ନିଜର ଆଗ୍ରହ, ଉଦ୍ୟମ, ଶ୍ରମ ଓ ସମ୍ବଳ ବିନିଯୋଗ କରିବା ନେଇ ଶ୍ରୀ ଗର୍ଗ ଗୁରୁତ୍ବ ଦେଇଥିଲେ। ପରବର୍ତ୍ତୀ ସମୟରେ ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ନିମନ୍ତେ ନାଡାଲ ଅଫିସରମାନଙ୍କୁ ନିଜ ନିଜ କାର୍ଯ୍ୟରେ ଅଗ୍ରସର ହେବା ପାଇଁ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ଶାସନ ସଚିବ ବିଶାଳ ଦେବଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/sourva.jpg)