୧୯୨୬ ପ୍ରାଥମିକ ସମବାୟ ସମିତି କାର୍ଯ୍ୟକାଳ ଶେଷ : ହୋଇପାରିଲାନି ସମବାୟ ନିର୍ବାଚନ

ପ୍ରଶାସକ ନିଯୁକ୍ତି ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
ସମବାୟ ନିର୍ବାଚନ କମିସନ ନାହାନ୍ତି
ମନ୍ତ୍ରୀ କହିଲେ ନିର୍ବାଚନ ଏବେ ନୁହେଁ

ଭୁବନେଶ୍ବର : ସମବାୟ ନିର୍ବାଚନ ଏବେ ନୁହେଁ। ଗତ ୫ ତାରିଖରେ ‘ସମ୍ବାଦ’ରେ ଏ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେଲା। ଆଜି ୧୯୨୬ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ପୂରିଯାଇଥିବା ବେଳେ ସମବାୟ ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏବେ ନିର୍ବାଚନ ହେବାର ନାହିଁ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏସବୁ ପ୍ରାଥମିକ ସମବାୟ ସମିତିରେ ଏବେ ପ୍ରଶାସକ ନିଯୁକ୍ତି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯେ କୌଣସି ମୁହୂର୍ତରେ ଏ ସଂକ୍ରାନ୍ତ ଫାଇଲ ଉପରେ ମୋହର ଲାଗିପାରେ। ଫେବ୍ରୁଆରି ସୁଦ୍ଧା କାର୍ଯ୍ୟକାଳ ସରୁଥିବା ୯୯୭ ପ୍ରାଥମିକ ସମବାୟ ସମିତି ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ଆଉ ୬୩ଟି ସମିତିର କାର୍ଯ୍ୟକାଳ ସରିବା ପରେ ମଧ୍ୟ ଅନୁରୂପ ଭାବେ ସେସବୁ ସମିତିରେ ପ୍ରଶାସକ ନିଯୁକ୍ତି ପାଇବେ।

ରାଜ୍ୟରେ ପୌର ନିର୍ବାଚନ ହୋଇପାରିନାହିଁ। ଏବେ ସମବାୟ ନିର୍ବାଚନ ହୋଇନପାରିବା ଘଟଣା ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଲାଣି। ରାଜ୍ୟରେ ବିଜେଡି ଦବ୍‌ଦବା ଥିବା ବେଳେ କାହିଁକି ସରକାର ସମବାୟ ନିର୍ବାଚନ ଲାଗି ଆଗ୍ରହ ପ୍ରକାଶ କଲେ ନାହିଁ, ତାହା କାହାକୁ ବୁଝା ପଡୁନାହିଁ।

ପ୍ରାଥମିକ ସମବାୟ ସଂସ୍ଥା, କେନ୍ଦ୍ର ସମବାୟ ସଂସ୍ଥା ଓ ଶୀର୍ଷ ସମବାୟ ସଂସ୍ଥା ଏହିଭଳି ତିନିଥାକିଆ ବ୍ୟବସ୍ଥା ଓଡ଼ିଶାରେ ପ୍ରଚଳିତ ରହିଛି। ସମ୍ବିଧାନ ସଂଶୋଧନ ପରେ ସମବାୟ ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ରହିବା ବାଧ୍ୟତାମୂଳକ ହୋଇଥିବା ସତ୍ତ୍ବେ ଏହାକୁ ସରକାରୀସ୍ତରରେ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ଉଠିଛି।

କୌତୂହ​ଳ କଥା ହେଲା, ସମବାୟ ସମିତି କାର୍ଯ୍ୟକାଳ ଶେଷ ହେଉଛି ଜାଣି ବି ରାଜ୍ୟ ସରକାର ସମବାୟ ନିର୍ବାଚନ କମିସନ ପଦବି ପୂରଣ କରିନାହାନ୍ତି। ଏହି ପଦବି ଖାଲି ପଡ଼ିଛି। କୃଷ୍ଣଗୋପାଳ ମହାପାତ୍ର ଅବ୍ୟାହତି ନେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ କି ସରକାର ଏ ସଂକ୍ରାନ୍ତ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ସରକାର ୬ମାସ ପର୍ଯ୍ୟନ୍ତ ପ୍ରଶାସକ ନିଯୁକ୍ତି କରିପାରିବେ। ସେ ମଧ୍ୟରେ ନିର୍ବାଚନ ଶେଷ ହେବା ଦରକାର। ହେଲେ ଏ ବ୍ୟବସ୍ଥାଟି ଆଦୌ ଶୋଭନୀୟ ନୁହେଁ। ଏହାଦ୍ବାରା ସମବାୟ ସମିତି ପ୍ରକ୍ରିୟାଟି କେଉଁଠି ନା କେଉଁଠି ଦୁର୍ବଳ ହୋଇଯିବା ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର