କଟକ : ପୌର ସଂସ୍ଥାଗୁଡ଼ିକ ଭଳି ସମବାୟ ସମିତିଗୁଡ଼ିକର ପରିଚାଳନା ଦାୟିତ୍ବ ଏବେ ପ୍ରଶାସକଙ୍କ ହାତରେ। ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ହେବ ଶେଷ ହୋଇଥିବା ବେଳେ ସରକାର ସମବାୟ ନିର୍ବାଚନ କରୁନାହାନ୍ତି। ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ କରି ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାବନୀ ପ୍ରସାଦ ମାଝୀଙ୍କ ଏ ସଂପର୍କିତ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ନିର୍ବାଚିତ ପରିଷଦ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦, ଏପ୍ରିଲ ୩୦ରୁ ଶେଷ ହେବା ପରେ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ସରକାର ଦାୟିତ୍ବ ଦେଇଥିଲେ। ଇତିମଧ୍ୟରେ ଦେଢ଼ ବର୍ଷ ବିତି ଯାଇଥିବା ବେଳେ ରାଜ୍ୟରେ ସମବାୟ ନିର୍ବାଚନ କରାଯାଉ ନାହିଁ। ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷର ଏକ ବର୍ଷ ଭିତରେ ନିର୍ବାଚନ ହେବା କଥା। କିନ୍ତୁ ଏପରି କରାଯାଇ ନାହିଁ। ଅନ୍ୟପକ୍ଷରେ ପ୍ରଶାସକ ଏକ ବର୍ଷରୁ ଅଧିକ ସମୟ ସମବାୟ ସମିତି ପରିଚାଳନା ଦାୟିତ୍ବରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ନିୟମ ଉଲ୍ଲଂଘନ କରି ଏକ ବର୍ଷ ପରେ ମଧ୍ୟ ପ୍ରଶାସକଙ୍କୁ ସମବାୟ ସମିତି ପରିଚାଳନା ଦାୟିତ୍ବ ଦିଆଯାଇଛି। ତୁରନ୍ତ ସମବାୟ ନିର୍ବାଚନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ ରାଜ୍ୟ ସମବାୟ ବିଭାଗ, ସମବାୟ ସମିତି ସମୂହ ନିବନ୍ଧକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Odisha_high_court.jpg)