ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପାଇଁ ‘ପ୍ରଶିକ୍ଷକ’

ଭୁବନେଶ୍ବର : ଏଣିକି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ(ଟିଇଆଇ)ଗୁଡ଼ିକର ଟ୍ରାକିଂ କରାଯିବ। ଶିକ୍ଷକମାନେ କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି, କେଉଁ ଶିକ୍ଷକଙ୍କର କେତୋଟି କ୍ଲାସ ରହିଛି, କେତେ ସମୟ ପିଲାଙ୍କୁ ପଢ଼ାଉଛନ୍ତି, ବାର୍ଷିକ ଏକାଡେମିକ କ୍ୟାଲେଣ୍ଡରର ଅଗ୍ରଗତି ଆଦି ଉପରେ ନଜର ରଖାଯିବ। ଶିକ୍ଷକ ପ୍ରଶିକ୍ଷଣର ଗୁଣରେ ଉନ୍ନତି ଆଣିବା ସହ ସେମାନଙ୍କ ବୃତ୍ତିଗତ ପ୍ରୋଫାଇଲ୍‌ ସହ ନିର୍ଭରଯୋଗ୍ୟ ତଥ୍ୟ ରଖିବା ଉଦ୍ଦେଶ୍ୟ‌ର ଟିଇଆଇଗୁଡ଼ିକ ପାଇଁ ଶିକ୍ଷକ ଶିକ୍ଷା ଡାସ୍‌ବୋର୍ଡ ‘ପ୍ରଶିକ୍ଷକ’ ଆରମ୍ଭ ହେବାକୁ ଯାଉଛି। ଏହା ଏକ ଅନନ୍ୟ ପ୍ଲାଟଫର୍ମ, ଯାହା ଟିଇଆଇଗୁଡ଼ିକରେ ଏଚ୍‌ଆର, ଭିତ୍ତିଭୂମି ଓ ଏକାଡେମିକ ସୂଚନା ଏକତ୍ର କରିବ। ଡାସ୍‌ବୋର୍ଡ ସମସ୍ତ ଟିଇଆଇ ପାଇଁ ଏକ ଷ୍ଟପ୍‌ ମନିଟରିଂ ସମାଧାନ ଭାବେ ବିକଶିତ ହୋଇଛି। ଡାସ୍‌ବୋର୍ଡ‌ରେ ସମସ୍ତ ଟିଇଆଇ ପାଇଁ ୟୁନିଫାଏଡ୍‌ ଟ୍ରେନିଂ, ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିବାକୁ ସୁଯୋଗ ରହିଛି। ଏହି ଡାସ୍‌ବୋର୍ଡ ବିଷୟବସ୍ତୁ ପରିଚାଳନା ପ୍ରଣାଳୀ, ଟିଇଆଇ ସଫଳତାର କାହାଣୀ, ନିର୍ଦେଶାବଳୀ, ପ୍ରାସଙ୍ଗିକ ଜ୍ଞାନ ଉତ୍ପାଦଗୁଡ଼ିକୁ କ୍ୟାପଚର କରେ। ଲାବରେଟୋରି ଓ ଅନ୍ୟାନ୍ୟ ସମ୍ବଳ, ଶୌଚାଳୟ ଓ ପାନୀୟ ଜଳର ମୁଖ୍ୟ କାର୍ଯ୍ୟଦକ୍ଷତା ଉପରେ ନିର୍ମିତ ରାଜ୍ୟ ତଥା ଜିଲ୍ଲାସ୍ତରର ଫ୍ୟାକ୍ଟସିଟ୍‌/ଡାସ୍‌ବୋର୍ଡ, ଗ୍ରହଣ କ୍ଷମତା, ସାମାଜିକ ବର୍ଗ ଆଦିରେ ନାମଲେଖାକୁ ପ୍ରାଧାନ୍ୟ ଦେଇଥାଏ।

ଅଧ୍ୟାପକମାନେ ବିଭିନ୍ନ ସୂଚନା, ଜିଜ୍ଞାସା, ଏକାଡେମିକ ଓ ଏଚ୍‌ଆର ସୂଚନା ଅପଲୋଡ୍‌ କରିବାକୁ ଏକ ପ୍ରଦତ୍ତ ଉପଭୋକ୍ତା ଆଇଡି, ପାସ୍‌ୱାର୍ଡ ମାଧ୍ୟମରେ ଡାସ୍‌ବୋର୍ଡରେ ଲଗ୍‌ଇନ୍‌ କରିବାକୁ ସମର୍ଥ ହେବେ। ନିର୍ଦେଶାଳୟର ଅଧ୍ୟାପକମାନେ ସୂଚନା ପାଇବାକୁ, ମାର୍ଗଦର୍ଶନ ପ୍ରଦାନ କରିବାକୁ, ଅଧ୍ୟାପକ ଓ ଛାତ୍ର ଶିକ୍ଷକଙ୍କ ପ୍ରଶ୍ନର ସମାଧାନ ପାଇଁ ଲଗ୍‌ଇନ୍‌ କରିପାରିବେ। ଏହିପରି ଭାବେ ଅଧ୍ୟାପକମାନେ ନିର୍ଦେଶାଳୟ ସହ ଯୋଗାଯୋଗ କରିପାରିବେ ଏବଂ ସର୍ବୋତ୍ତମ ଏକାଡେମିକ ପ୍ରଦର୍ଶନ ଉପରେ ସେମାନଙ୍କ ମାର୍ଗଦର୍ଶନ ପାଇପାରିବେ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏହି ଡାସ୍‌ବୋର୍ଡ ଜିଆଇଏସ୍‌ ଆଧାରିତ ଇଣ୍ଟରାକ୍ଟିଭ୍‌ ଡାସ୍‌ବୋର୍ଡ। ଯାହା ଆଲର୍ଟ ଓ ବିଜ୍ଞପ୍ତି ପ୍ରଣାଳୀ ସହ ସଂସ୍ଥାଗୁଡ଼ିକର ପ୍ରକୃତ ସମୟ ଟ୍ରାକିଂକୁ ସକ୍ଷମ କରିବା ପାଇଁ ଏବଂ ଟ୍ୟାବୁଲାର୍‌ ଫର୍ମ, ବାର୍‌, ପାଇ ଓ କାର୍ଡ ମାଧ୍ୟମରେ ଟ୍ରେଣ୍ଡକୁ ବିସ୍ତାର କରିଥାଏ।

ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ଗଙ୍ଗାଧର ସାହୁ କହିଛନ୍ତି, ଡାସ୍‌ବୋର୍ଡ ଏକ ସାଧାରଣ ସଂଗ୍ରହାଳୟ ସୃଷ୍ଟି କରେ। ଯାହାକି ନିଷ୍ପତ୍ତି ଗ୍ରହଣକାରୀଙ୍କୁ ଗୁଣାତ୍ମକ ନିର୍ଭରଯୋଗ୍ୟ ତଥ୍ୟ ପ୍ରଦାନ କରିଥାଏ। ପ୍ରଭାବଶାଳୀ ନିଷ୍ପତ୍ତି ନେବା ଓ ଯୋଜନା କରିବା, ତାଲିମ କାର୍ଯ୍ୟକ୍ରମ ସହ ପ୍ରଶିକ୍ଷଣ ଇନ୍‌ପୁଟକୁ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ସହ ଯୋଡ଼ିବାରେ ସହାୟକ ହୋଇଥାଏ। ପରବର୍ତୀ ପଦକ୍ଷେପ ଭାବେ ଅଧ୍ୟାପକଙ୍କ ପ୍ରଶିକ୍ଷଣ ଯୋଜନା କରାଯାଇଛି। ଯାହାଦ୍ବାରା ସେମାନେ ଡାସ୍‌ବୋର୍ଡ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିବାରେ ସକ୍ଷମ ହେବେ। ପ୍ରଭାବଶାଳୀ ବ୍ୟବହାର ପାଇଁ ଡାସ୍‌ବୋର୍ଡକୁ ପ୍ରବେଶ ଓ ବ୍ୟବହାର କରିବାରେ ଛାତ୍ର ଶିକ୍ଷକମାନଙ୍କୁ ସହାୟକ ହେବେ।

ସମ୍ବନ୍ଧିତ ଖବର