ବରଗଡ଼ ରୋଡ଼ ରେଳ ଷ୍ଟେସନ୍‌ରେ ଲାଗିଲା କୋଚ ସୂଚନା ଫଳକ

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ଅନ୍ୟତମ ପ୍ରମୁଖ ଷ୍ଟେସନ୍ ବରଗଡ଼ ରୋଡ୍‌ରେ ଇଲେକ୍‌ଟ୍ରୋନିକ୍ କୋଚ୍ ସୂଚନା ଫଳକ (ସିଆଇବି) ଲଗାଯାଇଛି। ବରଗଡ଼ ରୋଡ୍‌ ଷ୍ଟେସନ୍‌ର ୧,୨ ଓ ୩ ନମ୍ବର ପ୍ଲାଟ୍‌ଫର୍ମରେ ଏହି ଯାତ୍ରୀ ସୁବିଧା ଉପଲବ୍‌ଧ କରାଯାଇଛି। ଏହାଦ୍ବାରା ଯାତ୍ରୀମାନେ ରେଳଗାଡ଼ି ଆସିବା ପୂର୍ବରୁ ନିଜନିଜ ସଂରକ୍ଷିତ ଓ ଅଣସଂରକ୍ଷିତ କୋଚ୍‌ର ଅବସ୍ଥିତି ସଂପର୍କରେ ସୂଚନା ପାଇ ସେହି ସ୍ଥାନକୁ ଯାଇ ପାରିବେ। ବରିଷ୍ଠ, ରୋଗୀ, ଦିବ୍ୟାଙ୍ଗ ଓ ଅଧିକ ଜିନିଷପତ୍ର ଥିବା ଯାତ୍ରୀମାନେ ଏହି ସୁବିଧା ଦ୍ବାରା ସର୍ବାଧିକ ଉପକୃତ ହେବେ।

ପ୍ରତି ପ୍ଲାଟ୍‌ଫର୍ମରେ ୨୫ଟି ଲେଖାଏଁ ସିଆଇବି ଲଗାଯାଇଛି। ଏହାଦ୍ବାରା ୨୪ କୋଚ୍ ବିଶିଷ୍ଟ ଲମ୍ବା ଟ୍ରେନ୍‌ର ଅବସ୍ଥିତିକୁ ବି ସହଜରେ ସୂଚାଇ ଦିଆଯାଇ ପାରିବ ବୋଲି ରେଳବାଇ ପକ୍ଷରୁ କହାଯାଇଛି। ଉକ୍ତ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ପ୍ରବେଶପଥରେ ଟ୍ରେନ୍‌ ସଂପର୍କିତ ଇଲେକ୍‌ଟ୍ରୋନିକ୍ ସୂଚନା ବୋର୍ଡ ପୂର୍ବରୁ ଲାଗିଛି। ନିକଟରେ ସମ୍ବଲପୁର ମଣ୍ଡଳ ତରଫରୁ ସୌନ୍ଦର୍ଯ୍ୟକରଣ ଯୋଜନାରେ ଏହି ଷ୍ଟେସନ୍‌ ସମ୍ମୁଖ ଭାଗକୁ ନାଲି, ସବୁଜ, ନୀଳ ରଂଗର ଏଲ୍‌ଇଡି ଆଲୋକରେ ଆଲୋକିତ କରାଯାଇଛି। ଏହି ଷ୍ଟେସନ୍‌କୁ ମଧ୍ୟ ଭାରତୀୟ ରେଳବାଇର ଅମୃତ ଭାରତ ଯୋଜନାରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର