ବର୍ତ୍ତିଲା ଅହମଦାବାଦ-ପୁରୀ୍‌ ଏକ୍ସପ୍ରେସ୍‌

ପଛକୁ ଗଡ଼ିଗଲା ୧୩ କିମି, ୩୦ ମିନିଟ୍‌ ଧରି ଆତଙ୍କ

ସମ୍ବଲପୁର/ଭୁବନେଶ୍ୱର : ଶନିବାର ରାତିରେ ସମ୍ବଲପୁର ରେଳ ମଣ୍ଡଳରେ ଏକ ଅଭାବନୀୟ ଘଟଣା ଘଟିଛି। ଅହମଦାବାଦ-ପୁରୀ ଟ୍ରେନ ବିନା ଇଂଜିନରେ ୧୩ କିଲୋମିଟର ପଛକୁ ଗଡ଼ି ଯାଇଥିଲା। ଆଉ ପୁଣି ପାଖାପାଖି ଏକ କିଲୋମିଟର ପଛକୁ ଗଡ଼ି ଆସି କେସିଂଗା ଷ୍ଟେସନରେ ରହି ଯାଇଥିଲା। ଏହି ଘଟଣାରେ ଟିଟିଲାଗଡ଼ ଷ୍ଟେସନରେ କାର୍ଯ୍ୟରତ ଦୁଇ ଜଣ ସଣ୍ଟିଂ ଷ୍ଟାଫ୍‌ଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଥିବା ସମ୍ବଲପୁର ଡିଆର୍‌ଏମ୍‌ ଡ.ଜୟଦୀପ ଗୁପ୍ତା ସୂଚନା ଦେଇଛନ୍ତି।

ଶନିବାର ରାତି ୯ଟା ୩୫ରେ ଅହମଦାବାଦରୁ ପୁରୀ ଅଭିମୁଖେ ଆସୁଥିବା ଟ୍ରେନ୍‌ ୧୮୪୦୬ ଟିଟିଲାଗଡ଼ ଷ୍ଟେସନରେ ପହଂଚି ଥିଲା। ଟିଟିଲାଗଡ଼ରୁ ଏହି ଟ୍ରେନ୍‌ ସମ୍ବଲପୁର ଅଭିମୁଖେ ଆସିଥାନ୍ତା। ଏଥିପାଇଁ ପାଇଲଟ୍‌ ଇଂଜିନ ପରିବର୍ତ୍ତନ କରୁଥିଲେ। କେତେକ ଯାତ୍ରୀ ଖାଇବା ପାଇଁ ଟ୍ରେନ୍‌ରୁ ଓହ୍ଲାଇଥିଲେ। ହେଲେ ଅଚାନକ ରାତି ୧୦ଟା୦୫ରେ ଟ୍ରେନ୍‌ଟି ପଛକୁ କେସିଂଗା ରୁଟ୍‌ରେ ଗଡ଼ିବା ଆରମ୍ଭ କରିଥିଲା। ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। କେହି ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଫୋନ୍‌ କରିଥିଲେ ତ ଆଉ କେହି ରେଳ ମନ୍ତ୍ରଣାଳୟକୁ ଫୋନ୍‌ ଆଉ, ଟ୍ଵିଟ୍‌ କରି ଜଣାଇଥିଲେ। ଟ୍ରେନ୍‌ ମଧ୍ୟରେ ଅନେକ ଯାତ୍ରୀ କାନ୍ଦବୋବାଳି ଛାଡ଼ି ଥିଲେ। ତେବେ ଟ୍ରେନ୍‌ ୧୩ କିଲୋମିଟର ଦୂରତାରେ ଥିବା କେସିଂଗା ଷ୍ଟେସନ ମଧ୍ୟ ଅତିକ୍ରମ କରି ଯାଇଥିଲା। କିଛି ବାଟ ଆଗକୁ ଯିବା ପରେ ଚଢ଼ାଣି ଥିବା ଯୋଗୁଁ ଟ୍ରେନ୍‌ ଯାଇପାରିନପାରି ପୁଣି କେସିଂଗା ଷ୍ଟେସନ ଆଡ଼କୁ ଗଡ଼ିଥିଲା। ଯାତ୍ରୀମାନେ ଆହୁରି ଆତଙ୍କିତ ହୋଇପଡ଼ିଥିଲେ। କେସିଂଗା ଷ୍ଟେସନରେ ଟ୍ରେନ୍‌ ଅଟକି ଯିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ। ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଆତଙ୍କିତ ଅବସ୍ଥାରେ ରହିଥିଲେ।

ଏ ସଂକ୍ରାନ୍ତରେ ଡିଆର୍‌ଏମ୍‌ ଜୟଦୀପ ଗୁପ୍ତାଙ୍କୁ ପଚାରିବାରୁ ସେ କହିଲେ, ଟ୍ରେନ୍‌କୁ ମଝିରେ ଅଟକାଇବାକୁ ଚେଷ୍ଟା କରିଥିଲେ ଜାର୍କ ହେବା ଯୋଗୁଁ ଦୁର୍ଘଟଣା ହେବାର ଆଶଙ୍କା ରହିଥିଲା। ଆଗକୁ ଚଢ଼ାଣି ଥିବାରୁ ଟ୍ରେନ୍‌ ଅଟକିଯିବ ବୋଲି ଆମେ ନିଶ୍ଚିତ ଥିଲୁ। ତଥାପି ରେଳ କର୍ମଚାରୀମାନଙ୍କୁ ସତର୍କ କରି ଦିଆଯାଇଥିଲା। ସବୁ ଲେଭଲ କ୍ରସିଂଗୁଡ଼ିକର ଗେଟ୍‌ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ଟ୍ରେନ୍‌ ଅଟକିବା ପରେ ଏହାକୁ ଆଣିବା ପାଇଁ କେସିଂଗାକୁ ଏକ ଇଂଜିନ ପଠାଯାଇଥିଲା। ସେହି ଇଂଜିନ ଲଗା ହେବା ପରେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଛି। ଟିଟିଲାଗଡ଼ ଷ୍ଟେସନରେ କାର୍ଯ୍ୟରତ ସଣ୍ଟିଂ ଷ୍ଟାଫ୍‌ଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟିଥିଲା। ତେବେ ଏଥିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ରହିଛନ୍ତି ଏବଂ ଘଟଣା ପାଇଁ ଦାୟୀ ଦୁଇ କର୍ମଚାରୀ କାନ୍ତା ଖାବବେଳ ଓ ଧମେନ୍ଦ୍ର ନିଆଁଲଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

ଟିଟିଲାଗଡ଼ରୁ କେସିଙ୍ଗା ଦିଗରେ ଥିବା ଟ୍ରାକ୍‌ ଗଡ଼ାଣିଆ ହୋଇଥିବା ଏବଂ ସଠିକ୍‌ ଢଙ୍ଗରେ ସ୍କିଡ଼୍‍ ବ୍ରେକ୍‌ ବ୍ୟବହାର କରାଯାଇନଥିବାରୁ ଟ୍ରେନ୍‌ଟି ଗଡ଼ିଯାଇଥିଲା। କୋଚ୍‌ରେ ପଥର ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର କରି ଗାଡ଼ିକୁ ଅଟକାଯାଇଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଟିଟିଲାଗଡ଼ରୁ କେସିଙ୍ଗା ଆଡ଼କୁ ଯାଇଥିବା ସିଙ୍ଗଲ୍‌ ଟ୍ରାକ୍‌ ରେ ଏହି ସମୟରେ କୌଣସି ଟ୍ରେନ୍‌ ଆସୁନଥିବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇପାରିଛି। ଏହି ଘଟଣାରେ ଦାୟୀ ସମସ୍ତ ରେଳ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୂର୍ବତଟ ରେଳର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର