କୋଭିଡ୍ ନିୟମ ଉଲ୍ଲଘଂନ କରି କୋଚିଂ ସେଣ୍ଟରରେ ପାଠପଢା ଚାଲିଥିବା ବେଳେ ଚଢଉ: ସିଲ୍ କଲା ଜିଲ୍ଲା ପ୍ରଶାସନ, ମାଲିକଙ୍କୁ ନୋଟିସ୍ ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗରର ଗଜପତି ନଗରରେ ଥିବା ଏକ କୋଚିଂ ସେଣ୍ଟରକୁ ଆଜି ସିଲ୍ କରାଯାଇଥିବା ଜଣାଯାଇଛି। କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରିଥିବାର ଖବର ମିଳିଛି।
କେନ୍ଦ୍ର ସରକାରଙ୍କ କୋଭିଡ୍ କଟକଣା ଅନୁଯାୟୀ ଜୁଲାଇ ୩୧ ତାରିଖ ଯାଏଁ ସବୁ କୋଚିଂ ସେଣ୍ଟର ବନ୍ଦ ରହିବ। ହେଲେ ଖୋଲିବାକୁ ବାରଣ ସତ୍ତ୍ୱେ କୋଭିଡ୍ ନିୟମ ଉଲ୍ଲଘଂନ କରି ଗଜପତି ନଗରରେ ଥିବା ‘ସେକସ୍ପିଅର୍ ଇଭନ୍’ ନାମକ ଏକ କୋଚିଂ ସେଣ୍ଟରରେ ପାଠପଢା ଚାଲିଥିଲା । ବାହାର ପଟୁ କୋଚିଂ ସେଣ୍ଟରର ସଟର୍ ବନ୍ଦ କରାଯାଇ ଭିତରେ କ୍ଲାସ୍ ଚାଲୁଥିବା ଜାଣି ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ।

ଏହାପରେ ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଓସାହେବଙ୍କ ନିର୍ଦେଶକ୍ରମେ ଦିନ ପ୍ରାୟ ୧୧ଟା ବେଳେ କୋଚିଂ ସେଣ୍ଟରରେ ଚଢଉ କରାଯାଇଥିଲା। ତା’ଭିତରେ ୨୦ଜଣ ଛାତ୍ରଛାତ୍ରୀ କ୍ଲାସ୍ କରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ପିଲାମାନଙ୍କୁ ଛାଡ଼ି ଦିଆଯାଇ କୋଚିଂ ସେଣ୍ଟରକୁ ଆଜି ସିଲ୍ କରାଯାଇଥିଲା। ଖାଲି ସେତିକି ନୁହେଁ, କୋଚିଂ ସେଣ୍ଟରର ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି।

ସମ୍ବନ୍ଧିତ ଖବର