କଟକ: ରାଷ୍ଟ୍ରାୟତ୍ତ ଆଲୁମିନିୟମ୍ କଂପାନି ନାଲ୍‌କୋରେ ଦେଖାଦେଇଥିବା କୋଇଲା ସଙ୍କଟରେ ତିନିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ନାଲ୍‌କୋ, ଏମ୍‌ସିଏଲ୍‌ ଓ ରେଳବାଇ ଜଡ଼ିତ ଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାର କରିବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୬ଟା ପୂର୍ବରୁ ଭର୍ଚୁଆଲ୍ କିମ୍ବା ହାଇବ୍ରିଡ୍ ‌ମାଧ୍ୟମରେ କେନ୍ଦ୍ର କୋଇଲା ସଚିବ, ଶକ୍ତି ସଚିବ, ଖଣି ସଚିବ ଓ ରେଳ ବୋର୍ଡର ଅଧ୍ୟକ୍ଷଙ୍କୁ ନାଲ୍‌କୋ ଓ ଏମ୍‌ସିଏଲ୍‌ ସହ ଆଲୋଚନା କରିବା ଲାଗି ହାଇକୋର୍ଟ କହିଛନ୍ତି। ନାଲ୍‌କୋର ଅନୁଗୁଳରେ ଥିବା ସ୍ମେଲଟର କାରଖାନା ଓ ଦାମନଯୋଡ଼ିର ଆଲୁମିନା ରିଫାଇନାରି ଯେଭଳି ବନ୍ଦ ନହୁଏ ତାହା ନିଶ୍ଚିତ କରିବା ଲାଗି ଆଲୋଚନା ମାଧ୍ୟମରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ବୈଠକରେ କ’ଣ ଆଲୋଚନା ହେଲା ତାହା ୨୭ ତାରିଖ ଦିନ ୨ଟା ସୁଦ୍ଧା ଜଣାଇବାକୁ ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୭କୁ ଧାର୍ଯ୍ୟ କରାଯାଇଛି। ନାଲ୍‌କୋକୁ ଅଗ୍ରାଧିକାର ଭିତ୍ତିରେ କୋଇଲା ଯୋଗାଣ ଓ ପରିବହନ ପ୍ରସଂଗରେ ବ୍ୟବସ୍ଥା କରିବାକୁ ଏପ୍ରିଲ ୨୨ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାକୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନାଲକୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏମ୍‌ଏସ୍‌ଏମ୍ଇ ସଂସ୍ଥାଗୁଡ଼ିକରେ ଦେଖାଦେଇଥିବା କୋଇଲା ସଙ୍କଟକୁ ନେଇ ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଓ ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘ ପକ୍ଷରୁ ଦାଖଲ ହୋଇଥିବା ମାମଲାକୁ ମଧ୍ୟ କୋର୍ଟ ଆଜି ବିଚାରକୁ ନେଇଛନ୍ତି। ଏହି ଦୁଇ ସଂଘ ଜଣାଇଛନ୍ତି ଯେ ଯଦି ରାଜ୍ୟର ପ୍ରମୁଖ ଆଲୁମିନା ଓ ସ୍ମଲଟର ପ୍ଲାଣ୍ଟ୍ କୋଇଲା ଅଭାବ ଯୋଗୁଁ ବନ୍ଦ ହୋଇଯିବ ତେବେ ସେମାନେ ଗୁରୁତର ଭାବେ ପ୍ରଭାବିତ ହେବେ। ଆଜି ମାମଲାର ଶୁଣାଣି ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଦର୍ଶାଯାଇଥିଲା ଯେ ଭରତପୁର ଓ ତାଳଚେରସ୍ଥିତ ଏମସିଏଲ ପିଟ୍ ହେଡରୁ ଅନୁଗୁଳ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟକୁ କୋଇଲା ଯୋଗାଣ ପାଇଁ ଏପ୍ରିଲ ୨୩ରେ ଗୋଟିଏ ରୢାକ୍ ଦିଆଯାଇଥିଲା। ଏପ୍ରିଲ ୨୪ରେ ଚାରିଟି ଓ ଆଜି ତିନୋଟି ରୢାକ୍ ଏଥିପାଇଁ ବ୍ୟବସ୍ଥା କରାଯାଇଛି।

ନାଲକୋ ପକ୍ଷରୁ ଦର୍ଶାଯାଇଥିଲା ଯେ ଏମସିଏଲ୍ ପକ୍ଷରୁ କୋଇଲା ଯୋଗାଣ ୬୦ ପ୍ରତିଶତ ହ୍ରାସ କରାଯାଇଛି। ନାଲକୋର ସ୍ମେଲ୍ଟର ପ୍ଲାଣ୍ଟ ସଂପୂର୍ଣ୍ଣ ଭାବେ ଏହାର କ୍ୟାପଟିଭ ପାୱାର ପ୍ଲାଣ୍ଟ (ସିପିପି) ଉପରେ ନିର୍ଭର କରୁଛି। ସିପିପି ଏକ ଥର୍ମାଲ ପାୱାର ପ୍ଲାଣ୍ଟ ଯାହାକି ସଂପୂର୍ଣ୍ଣ ଭାବେ ଏମସିଏଲର କୋଇଲା ଯୋଗାଣ ଉପରେ ନିର୍ଭରଶୀଳ। ସ୍କେଲ୍ଟର ପ୍ଲାଣ୍ଟ ଚାଲିବା ପାଇଁ ଯଦି ସିପିପି ଆବଶ୍ୟକ ଶକ୍ତି ଉତ୍ପାଦନ କରିବ ନାହିଁ ତେବେ ଏହା ବନ୍ଦ ହେବାକୁ ବାଧ୍ୟ ହେବ। ହାଇକୋର୍ଟ ସମସ୍ତ ପ୍ରସଂଗକୁ ବି‌ଚାରକୁ ନେଇ କୋଇଲାଯୋଗାଣରେ ହ୍ରାସ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁବିର ପାଲିତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅମିତାଭ ମିଶ୍ର ସହାୟତା କରୁଛନ୍ତି।