ବଅଁରପାଳ: ବଅଁରପାଳ ବ୍ଲକ୍ ନାଲ୍କୋ କମ୍ପାନି ବିଦ୍ୟୁତ୍ ପାଇଁ ଅନ୍ୟ ଉପରେ ନିର୍ଭର କରିବ ନାହିଁ। ସେଥିପାଇଁ ଏହା ନିଜସ୍ବ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର (ସିପିପି) ସ୍ଥାପନ କରିଛି। ମାତ୍ର ସିପିପିକୁ ଆବଶ୍ୟକ ପରିମାଣ କୋଇଲା ଯୋଗାଣ ହେଉନଥିବାରୁ ପ୍ରାୟ ୭ ମାସ ହେଲା ନାଲ୍କୋ ରାଜ୍ୟ ଗ୍ରିଡ଼୍ରୁ କିଛି ବିଦ୍ୟୁତ୍ କିଣୁଛି। ଏ ପରିସ୍ଥିତି ଲାଗି ରହିଲେ ନାଲ୍କୋର ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି।
ସୂଚନା ଅନୁସାରେ, ନାଲ୍କୋରେ କୋଇଲାର ଅଭାବ ଯୋଗୁଁ ସିପିପିରେ ଆବଶ୍ୟକ ବିଦ୍ୟୁତ୍ ଉତ୍ପାଦିତ ହୋଇପାରୁନାହିଁ। ତେଣୁ ୨୦୨୧ ଜୁନ୍ ୨୭ ତାରିଖରୁ ନାଲକୋ ରାଜ୍ୟ ଗ୍ରିଡ୍ରୁ ଦୈନିକ ୨୦୦ ମେଗାୱାଟ୍ ବିଦ୍ୟୁତ୍ କିଣିବାକୁ ବାଧ୍ୟ ହେଉଛି। ଉତ୍ପାଦନ ଦରଠୁ ଅଧିକ ଦରରେ ନାଲ୍କୋ ଏହି ବିଦ୍ୟୁତ୍ କିଣୁଛି। ସେହିପରି ସିପିପି ୟୁନିଟ୍ ଗୁଡ଼ିକ କ୍ଷମତାଠାରୁ କମ୍ ଶକ୍ତି ଉତ୍ପାଦନ କରୁଛି। ନାଲକୋ ଓ ଏମସିଏଲ୍ ମଧ୍ୟରେ ୨୦୧୮ ଏପ୍ରିଲ୍ ରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଷକୁ ୪୭,୧୬,୪୮୦ ମେଟ୍ରିକ୍ ଟନ୍ ଲିଙ୍କେଜ୍ କୋଇଲା ଓ ୯ ଲକ୍ଷ ମେଟ୍ରିକ୍ ଟନ୍ ବ୍ରିଜ୍ ଲିଙ୍କେଜ କୋଇଲା ଯୋଗାଣ ପାଇଁ ଚୁକ୍ତି ଥିଲା।
କିନ୍ତୁ ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରି ମାସ ସୁଦ୍ଧା ଏମ୍ସିଏଲ୍ ନାଲକୋକୁ ୩୬,୩୧,୪୯୧ ମେଟ୍ରିକ୍ ଟନ୍ ଲିଙ୍କେଜ କୋଇଲା ଯୋଗାଣ କରିଥିବାବେଳେ ବ୍ରିଜ ଲିଙ୍କେଜ କୋଇଲା ୨,୮୧,୨୭୨ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ କରିଛି। ଗ୍ରୀଷ୍ମଋତୁ ପୂର୍ବରୁ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ନାଲ୍କୋରେ ୫ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ଗଚ୍ଛିତ ରଖିବା ଆବଶ୍ୟକ ଥିବାବେଳେ ନାଲକୋରେ ବର୍ତ୍ତମାନ ୩ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ଅଛି। ଦୈନିକ ଦରକାର ପଡ଼ୁଥିବା ୧୮ ରୁ ୧୯ ହଜାର ଟନ୍ ବଦଳରେ ୧୪୦୦୦ ମେଟ୍ରିକ୍ ଟନ୍ କୋଇଲା ନାଲକୋକୁ ଯୋଗାଣ ହେଉଛି। ୨୦୨୨ ଆର୍ଥିକ ବର୍ଷର ଫେବ୍ରୁଆରିମାସ ସୁଦ୍ଧା ଏମ୍ସିଏଲ୍ ରେକର୍ଡ ପରିମାଣ ୧୪୮ ମିଲିୟନ ଟନ୍ କୋଇଲା ଉତ୍ପାଦନକରି ମାଇଲ ଖୁଣ୍ଟ ସ୍ଥାପନ କରିଛି।
କିନ୍ତୁ କେନ୍ଦ୍ର ସରକାର ନାଲ୍କୋ ସିପିପିକୁ ଆବଶ୍ୟକତାର ୬୦ ପ୍ରତିଶତ କୋଇଲା ଯୋଗାଣ କରୁଛନ୍ତି। କୋଇଲା ସଂକଟ ଯୋଗୁଁ ଆଗାମୀ ଦିନରେ ନାଲ୍କୋରେ ଆଲିମିନିୟମ୍ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। ନାଲ୍କୋ କୋଇଲା ସଂକଟର ସ୍ଥାୟୀ ସମାଧାନ କରାଯିବାକୁ ଶ୍ରମିକ ନେତା ବିଭବ ଜେନା ଏମ୍ସିଏଲ୍ ସିଏମ୍ଡି ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।