କଣିହାଁ : କଣିହାଁ କୋଇଲା ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ଯୋଗୁଁ ଏନ୍ଟିପିସି ପ୍ଲାଣ୍ଟରେ କୋଇଲା ସଙ୍କଟ ଗୁରୁତର ରୂପ ନେଇଛି। କୋଇଲା ଅଭାବ ଯୋଗୁଁ ଏନ୍ଟିପିସି ଗୋଟିଏ ୟୁନିଟ୍କୁ ବନ୍ଦ କରିଦେବାକୁ ବାଧ୍ୟ ହୋଇଛି। ଫଳରେ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଆଉ କିଛି ଦିନ ଆନ୍ଦୋଳନ ଲାଗି ରହିଲେ ପ୍ଲାଣ୍ଟରେ ଉତ୍ପାଦନ ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ଏନ୍ଟିପିସିରେ ନିଯୁକ୍ତି ଦାବି ନେଇ ଖଣି କ୍ଷତିଗ୍ରସ୍ତଙ୍କ ଅର୍ଥନୈତିକ ଅବରୋଧ ଯୋଗୁଁ ୭ ଦିନ ଧରି ଖଣି ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। କ୍ଷତିଗ୍ରସ୍ତ ପ୍ରଜାମାନେ ରେଳଲାଇନ୍ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ କୋଇଲା ପରିବହନ ଠପ୍ ହୋଇଯାଇଛି। ଫଳରେ ତାଳଚେର କୋଇଲା ଖଣିରୁ ଟ୍ରେନ୍ ଯୋଗେ ଏନ୍ଟିପିସି ପ୍ଲାଣ୍ଟକୁ କୋଇଲା ଯୋଗାଣ ଗତ ୪ ଦିନ ହେଲା ବନ୍ଦ ରହିଛି। ଏନ୍ଟିପିସି କଣିହାଁର ୬ଟି ୟୁନିଟ୍ରୁ ସମୁଦାୟ ୩ ହଜାର ମେଗାଵାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା। ବର୍ତ୍ତମାନ କୋଇଲା ଅଭାବ ଯୋଗୁଁ ଏନ୍ଟିପିସି ଗୋଟିଏ ୟୁନିଟ୍କୁ ବନ୍ଦ କରିଦେଇଥିବାରୁ ୫୦୦ ମେଗାଵାଟ୍ ବିଦ୍ୟୁତ୍ ଉତ୍ପାଦନ କମିଯାଇଛି। ଅନ୍ୟ ୫ଟି ୟୁନିଟ୍ରୁ ୨୫୦୦ ମେଗାଵାଟ୍ ବିଦ୍ୟୁତ୍ ଉତ୍ପାଦନ ସ୍ଥାନରେ ବର୍ତ୍ତମାନ ୨୨୦୦ ମେଗାଵାଟ୍ ଉତ୍ପାଦନ ହେଉଛି। ଏନ୍ଟିପିସି ଷ୍ଟକ୍ୟାର୍ଡରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ଗଚ୍ଛିତ ହେବା କଥା, କିନ୍ତୁ ଆନ୍ଦୋଳନ ଯୋଗୁଁ ମାତ୍ର ୧ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ରହିଛି। ଦିନେ କି ଦୁଇଦିନ ମଧ୍ୟରେ ଏହି କୋଇଲା ମଧ୍ୟ ଷ୍ଟକ୍ୟାର୍ଡରୁ ଶେଷ ହୋଇଯିବ।
ପ୍ଲାଣ୍ଟ ଚଳାଇବା ପାଇଁ ଦୈନିକ ୫୫ ହଜାର ମେଟ୍ରିକ୍ ଟନ୍ କୋଇଲାର ଆବଶ୍ୟକତା ରହିଛି। ଫଳରେ ଆଗାମୀ ଦିନରେ ବିଦ୍ୟୁତ୍ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ର କୁହାଯାଉଥିବା ଏନ୍ଟିପିସି କଣିହାଁ ଉପରେ ଓଡ଼ିଶା ସମେତ ସମଗ୍ର ଦକ୍ଷିଣ ଓ ପୂର୍ବ ଭାରତବାସୀ ନିର୍ଭର କରୁଥିବାରୁ ଏନଟିପିସିରେ ଦେଖାଦେଇଥିବା ବିଦ୍ୟୁତ୍ ଉତ୍ପାଦନଜନିତ ସମସ୍ୟା ଏହି ଅଂଚଳଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ ବୋଲି ଜଣାଯାଇଛି।
ଏନ୍ଟିପିସିର ଜଣେ ପଦାଧିକାରୀ କହିଛନ୍ତି ଯେ ଗତ ମାସରେ ରୋଳରୋକ ଆନ୍ଦୋଳନ ଏବ˚ କ୍ଷତିିଗ୍ରସ୍ତଙ୍କ ୧୦ ଦିନ ଆନ୍ଦୋଳନ ଯୋଗୁଁ ଏନ୍ଟିପିସିରେ ୫ କୋଟି ଟଙ୍କା କ୍ଷତି ହୋଇଥିଲା। ଏହି ଆନ୍ଦୋଳନ ଯଦି ଆଉ ଦୁଇଦିନ ଚାଲେ ଏନ୍ଟିପିସିର ୬ଟି ଯାକ ୟୁନିଟ୍ ବନ୍ଦ ହୋଇଯିବ ବୋଲି ଜଣାପଡ଼ିଛି।