କଳା ଟଙ୍କାର ଉତ୍ସ ପାଲଟିଛି କୋଇଲା, ମଳିମୁଣ୍ଡିଆ ଠାରୁ କୋଟିପତି ସମସ୍ତେ କରୁଛନ୍ତି ଚୋରି

ଝାରସୁଗୁଡ଼ା : କଳାହୀରା କୁହାଯାଉଥିବା କୋଇଲାରୁ ଉର୍ଜା ସୃଷ୍ଟି ହୋଇଥାଏ। ମାତ୍ର ଉର୍ଜା ପାଇଁ କାରଖାନାକୁ ଯାଉଥିବା ଏହି କୋଇଲାରୁ ଝରି ପଡ଼ୁଥିବା ଅଜସ୍ର କଳାଟଙ୍କା ଝାରସୁଗୁଡ଼ା ଜିଲ୍ଲାର ରାଜନୀତି ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ପର୍ଯ୍ୟନ୍ତ ପ୍ରଭାବିତ ‌କରିଥାଏ। ଏହି କୋଇଲାକୁ ନେଇ ପତିଆରା ଲଢ଼େଇ, ଗୁଣ୍ଡାଗର୍ଦି ଓ ଅତୀତରେ ଅନେକ ମୁଣ୍ଡ ଗଡ଼ିଥିବା ସମସ୍ତଙ୍କୁ ଜଣା । ବ୍ରଜରାଜନଗର ଥାନା ଅଧିନରେ ଘଟିଥିବା ଏକାଧିକ ଗୁଳିକାଣ୍ଡ ଓ ନର ହତ୍ୟା ପଛରେ ଏହି କୋଇଲା କାରବାର ହିଁ ମୁଖ୍ୟ କାରଣ ଥିବା ଜଣାପଡ଼ିଥିଲା। ଅପରାଧିମାନେ ଏହି କୋଇଲାରୁ ଅଧିକ ବଟି ନେବା ପାଇଁ ନିଜର ପତିଆରା ବୃଦ୍ଧି କରିବା ପାଇଁ ଯେଉଁ ଆତଙ୍କ ସୃଷ୍ଟି କରନ୍ତି ସେଥିରୁ ଗ୍ୟାଙ୍ଗୱାର୍‌ ହୋଇଥାଏ। ଏହା ଜିଲ୍ଲାର ଅପରାଧ ଡାଇ‌ରିକୁ ପୂରଣ କରିଥାଏ।

କୋଇଲା ଖଣିରୁ କୋଇଲା ଉତ୍ପାଦନ ହେବା ଠାରୁ ଆରମ୍ଭ କରି କାରଖାନାରେ ପହଞ୍ଚିବା ମଧ୍ୟରେ କେତେ ସ୍ଥାନରେ ଏଥିରେ ଦୁର୍ନୀତି ହୁଏ ତାର ହିସାବ ନାହିଁ । ଏଥିରେ ମଳିମୁଣ୍ଡିଆ ଠାରୁ କୋଟିପତି ପର୍ଯ୍ୟନ୍ତ ଚୋର ସାମିଲ ରହିଥାନ୍ତି । ଚୋରଙ୍କ ଶ୍ରେଣୀ ଅନୁଯାୟୀ ସେମାନେ କୋଇଲାରୁ କଳାଟଙ୍କା ଆଦାୟ କରିଥାନ୍ତି। ରାଜନୈତିକ ପ୍ରଭାବ ସହିତ ଅପରାଧିକ ପୃଷ୍ଠଭୂମୀ ଥିବା ବଡ଼ ବଡ଼ ର‍୍ୟାକେଟ୍‌ ଏହି କାରବାରକୁ ପରିଚାଳନା କରୁଥିବା ବେଳେ ଏଥିରୁ ସେମାନେ କୋଟି କୋଟି ଟଙ୍କାର ମୁନାଫା ଅସୁଲ କରିଥାନ୍ତି। କୋଇଲା ଖଣିରୁ ଯେଭଳି ବେଆଇନ ଓ ଅନ୍ୟାୟ ଭାବରେ କିଛି ପ୍ରଭାବଶାଳୀ ଲୋକ ଅର୍ଥ ରୋଜଗାର କରନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କେବଳ କୋଇଲା ଚାନ୍ଦାରେ ଜିଲ୍ଲାର ସିଂହଭାଗ ରାଜନୀତି ପରିଚାଳିତ ହେଉଥିବା ବେଳେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏହାର ମୁଖ୍ୟ ଭୂମିକା ରହିଥିବା କୁହାଯାଉଛି। ଏହି ଖଣିର କୋଇଲା ଚାନ୍ଦା କୁଆଡ଼େ ଜନପ୍ରତିନିଧି, ସରକାରୀ ଅଧିକାରୀ, ପୁଲିସ ଓ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ଚାରିଭାଗରେ ବିଭକ୍ତ ହୋଇଥାଏ। ଏଥିପାଇଁ କ‌ୋଇଲା ଟନ୍‌ ପିଛା କାହାର ଭାଗ କେତେ ତାହା ନିର୍ଦ୍ଧାରିତ ହୋଇଥାଏ। ପ୍ରତି ନିର୍ବାଚନ ପରେ ଏହି ଚାନ୍ଦା ଦରରେ ବୃଦ୍ଧି ଘଟିଥାଏ। କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ କୋଲ ମୁଭର ଓ କୋଲ ଟ୍ରାନ୍ସପୋର୍ଟର ଏହାକୁ ରୋଡ଼ସେଲ୍‌ ଓ ରେକ୍ ଜରିଆରେ ଚାଲାଣ କରିଥାନ୍ତି। ଉତ୍ତୋଳନ ଠାରୁ ପରିବହନ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଏହି ଚାନ୍ଦାର ପରିମାଣ ଅଲଗା ଅଲଗା ହୋଇଥିବା ବେଳେ କାହାର ଭାଗରେ କେତେ ତାହା ଅଲିଖିତ ଚୁକ୍ତି ହୋଇଥାଏ। ରାଜନୈତିକ ବ୍ୟକ୍ତି, ଜନପ୍ରତିନିଧି ଘରେ ବସି ଏଥିରୁ କମିଶନ ପାଉଥିବା ବେଳେ ଏଥିରେ କିଛି ଅସାଧୁ ପୁଲିସ ଓ ସରକାରୀ ଅଧିକାରୀଙ୍କ ମଧ୍ୟ ଭାଗ ଥାଏ। ଆଉ ସବୁ କ୍ଷେତ୍ରରେ ଆତଙ୍କ ସୃଷ୍ଟି କରି ଗ୍ୟାଙ୍ଗଷ୍ଟାର ମାନେ ତାଙ୍କର ଭାଗ ବସାଇଥାନ୍ତି।

ଜିଲ୍ଲାର ବ୍ରଜରାଜନଗରରେ ଲଜକୁରା ଓ ସମଲେଶ୍ବରୀ ଦୁଇଗୋଟି ଖୋଲାମୁହଁ କୋଇଲା ଖଣି ଥିବାବେଳେ ଓରିଏଣ୍ଟ କ୍ଷେତ୍ର ଅଧିନରେ ରହିଛି ୯ ନମ୍ବର ଓ ଓରିଏଣ୍ଟ ଭୂତଳ କୋଇଲା ଖଣି। ସେହିପରି ଲଖନପୁର କ୍ଷେତ୍ରରେ ଲଖନପୁର ଓ ବିଓସିଏମ୍‌ ଦୁଇ ଗୋଟି ଖୋଲା ମୁହଁ କୋଇଲା ଖଣି ରହିଛି। କୋଇଲା ଖଣିରୁ ଚା‌ଲାଣ ହେଉଥିବା କୋଇଲା ଟନ୍‌ ପ୍ରତି ଚାନ୍ଦା ସ୍ଥିର ହୋଇଥିବା ବେଳେ ଟନ୍‌ ପିଛା ପ୍ରାୟ ୩୫ ଟଙ୍କା ଚାନ୍ଦାରେ ଯାଉଥିବା ଜଣାଯାଇଛି। ଟନ୍‌ ପିଛା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଖାତାକୁ ୧୨ ଟଙ୍କା ଯାଉଥିବା ବେଳେ ସରକାରୀ ଅଧିକାରୀ ମାନଙ୍କ ଖାତାରେ ୮ ଟଙ୍କା, ପୁଲିସ ଖାତାରେ ୧୦ ଓ ବାକି ୫ ଟଙ୍କା ଦାଦା ବଟିରେ ଖର୍ଚ୍ଚ ହେଉଥିବା ସଂପର୍କରେ ଜଣେ କୋଇଲା ମାଫିଆ ତାଙ୍କ ନାମ ପ୍ରକାଶ ନକରିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଏହି ୧୦/୧୨ ଟଙ୍କାର ମୂଲ୍ୟ ‌କେତେ ତାହା ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବାକୁ ହୁଏ। କେବଳ ବ୍ରଜରାଜନଗରରେ ଥିବା ୪ ଗୋଟି କୋଇଲା ଖଣିରୁ ଦୈନିକ ୩ ହଜାର ଟ୍ରକ କୋଇଲା ରୋଡ଼୍‌ସେଲରେ ଚାଲଣ ହୋଇଥାଏ। ଅର୍ଥାତ ଯଦି ଟନ୍‌ ପିଛା ୩୦ ଟଙ୍କା ଚାନ୍ଦା ଅସୁଲ କରାଯାଉଛି ତେବେ ଗୋଟିଏ ଟ୍ରକ୍‌ରେ ୧୬ ଟନ୍‌ରୁ ଅଧିକ କୋଇଲା ରହୁଛି। ମାନେ ଗୋଟିଏ ଟ୍ରକରୁ ଆଦାୟ ହୁଏ ୪୮୦ ରୁ ୫ ଶହ ଟଙ୍କା । ତେବେ ୩ ହଜାର ଟ୍ରକ୍‌ରୁ ଆଦାୟ ହେଉଛି ଦୈନିକ ୧୫ ଲକ୍ଷ ଟଙ୍କା । ଏହା ବାହାରେ ରେଳ ପଥରେ ପରିବହନ ହେଉଥିବା ହିସାବ ଅଲଗା ଅଟେ।

Deccan Chronicle

ଲଖନପୁର କୋଇଲା କ୍ଷେତ୍ରରେ ମଧ୍ୟ ସମାନ ଢ଼ାଞ୍ଚାରେ କାରବାର ହୋଇଥାଏ। ବାର୍ଷିକ ୨୦/ ୩୦ କୋଟି ଟଙ୍କା ଏଭଳି ଭାବରେ ଲୁଟ୍‌ ହେଉଥିବା ବେଳେ ମଳିମୁଣ୍ଡିଆ, ଟ୍ରକ୍‌ ଡ୍ରାଇଭର, ଦଲାଲ ମଧ୍ୟ ଅଲଗା ଢ଼ାଞ୍ଚାରେ ଏହି କୋଇଲା ଚୋରି କରିଥାନ୍ତି। କୋଇଲା ପରିବହନ ବେଳେ ଗୋଟିଏ ଟ୍ରାନଜିଟ୍‌ ପାସ୍‌ ଓ ଗେଟ୍‌ପାସ୍‌କୁ ଏକାଧିକ ଥର ବ୍ୟବହାର କରାଯାଇ ବହୁବାର କୋଇଲା ଚାଲାଣ କରାଯାଇଥାଏ। ଗୋଟିଏ କାରଖାନାକୁ ଲୋଡ଼ କରି ଟ୍ରାନ୍‌ଜିଟ୍‌ ପାସ ନେଇ ଯାଉଥିବା କୋଇଲା ଟ୍ରକ ବାଟରେ ଅନ୍ୟ କାରଖାନାରେ ତାକୁ ବିକ୍ରୟ କରି ସେହି ସମାନ ପାସରେ ପୁଣି କୋଇଲା ବୋଝେଇ କରୁଥିବା ଜଣାଯାଇଛି। ଏଭଳି ଅନେକ ମାମଲା ବିଭିନ୍ନ ଥାନାରେ ଧରାପଡ଼ୁଥିବା ବେଳେ ଏଥିରେ ମଧ୍ୟ କଳାଟଙ୍କାର କାରବାର ହୋଇ ଏହା ରଫାଦଫା ହୋଇଯାଇଥାଏ। କୋଇଲା ଟ୍ରକ୍‌ ଯାଞ୍ଚ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଏଥିରେ ମନଇଚ୍ଛା ଚୋରି ଏକ ସାଧାରଣ ଘଟଣା ହୋଇ ଯାଇଛି।

ସମ୍ବନ୍ଧିତ ଖବର