ତାଳଚେର : କୋଭିଡ୍ ସମୟରେ ବିଭିନ୍ନ କଳକାରଖାନା ବନ୍ଦ ପଡ଼ିଥିବା ବେଳେ ଏବେ ସବୁକିଛି ସ୍ୱାଭାବିକ ହେବାରେ ଲାଗିଛି। ଏହି ଦୃଷ୍ଟିରେ ସମଗ୍ର ଦେଶରେ କୋଇଲାର ଚାହିଦା ବୃଦ୍ଧି ପାଇଛି। ଏହାର ଗୁରୁତ୍ୱକୁ ଅନୁଭବ କରି କୋଲ୍‌ ଇଣ୍ଡିଆ ଅଧିକ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି। କୋଲ୍ ଇଣ୍ଡିଆ ଚଳିତ ଆର୍ଥିକ ବର୍ଷର ଏକ ତୃତୀୟାଂଶ ସମୟରେ ୪୦୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରିସାରିଛି। ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷରେ କୋଲ୍ ଇଣ୍ଡିଆ ୬୫୦ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଳକ୍ଷ୍ୟ ରଖିଛି ବୋଲି କୋଲ୍‌ ଇଣ୍ଡିଆର ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ଆଜି ଏଠାରେ କହିଛନ୍ତି।

Advertisment

ଦେଶର ଶକ୍ତି କ୍ଷେତ୍ରରେ କୋଇଲାର ଚାହିଦା ଆଗାମୀ ଦିନରେ ବୃଦ୍ଧି ପାଇବ ଓ କୋଲ୍ ଇଣ୍ଡିଆ ଏଥିପାଇଁ ପ୍ରସ୍ତୁତ ଅଛି। ଆଜି ତାଳଚେରକୁ ଏକ ଦିନିକିଆ ଗସ୍ତରେ ଆସିଥିବା କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଏହି ମନ୍ତବ୍ୟ ରଖିଛନ୍ତି।

ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ତାଳଚେର ଅଂଚଳର ଭୁବେନଶ୍ୱରୀ ଓ ବଳରାମ କୋଇଲା ଖଣି ପରିଦର୍ଶନ କରିବା ସହ କୋଇଲା ଉତ୍ତୋଳନ କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଅବସରରେ ଶ୍ରୀ ଅଗ୍ରୱାଲ ୨୪୭ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରୀ କୋଇଲା ଖଣିରେ ନିର୍ମାଣ ହେବାକୁ ଥିବା କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (ସିଏଚ୍‌ପି)ର ‌ସେ ଶିଳାନ୍ୟାସ କରିଥିଲେ। ଏହା ହେଉଛି ଏମ୍‌ସିଏଲ୍‌ର ଫାଷ୍ଟ ମାଇଲ୍‌ କନେକ୍ଟିଭିଟି(ଏଫ୍ଏମ୍‌ସି)। ଏହି ପ୍ଲାଣ୍ଟ କୋଇଲା ପରିଚାଳନା କ୍ଷମିତା ୧୫ ମିଲିୟନ୍ ଟନ୍ ରହିଛି। ଦେଶରେ ଶକ୍ତିର ଚାହିଦାରେ ବୃଦ୍ଧି ଘଟିଛି ଏବଂ ସମୟକୁ ତାଳଦେଇ କୋଲ୍ ଇଣ୍ଡିଆ ମଧ୍ୟ ଅଧିକ କୋଇଲା ଉତ୍ପାଦନକୁ ଗୁରୁତ୍ୱ ଦେଉଛି ବୋଲି ସେ ପ୍ରକାଶ କରିଥିଲେ। କୋଇଲା ଉତ୍ପାଦନ, ଓଭରବର୍ଡନ କାର୍ଯ୍ୟ ଓ କୋଇଲା ପରିବହନ ସବୁକ୍ଷେତ୍ରରେ ଏମ୍‌ସିଏଲ୍‌ ଠିକ କାମ କରୁଛି। ଏଥିପାଇଁ ଏମ୍‌ସିଏଲ୍‌ ପ୍ରଶଂସାର ପାତ୍ର ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ତାଳଚେରଠାରେ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିବାବେଳେ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏମ୍‌ସିଏଲ୍‌ ସିଏମ୍‌ଡି ପି.କେ. ସିଂହ୍ନା, ବୈଷୟିକ ନିର୍ଦ୍ଦେଶକ ଓ.ପି. ସିଂ, କାର୍ମିକ ନିର୍ଦ୍ଦେଶକ କେଶବ ରାଓ ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ।