ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପଟ୍ଟସାହି ଓ ବିମଳାଗଡ଼‌ ଷ୍ଟେସନରେ କୋଇଲା ଓ କାଠଚୋର ମାଫିଆ ମାତିଛନ୍ତି। ଦୈନିକ ବରସୁଆଁ-ବୀରମିତ୍ରପୁର ପାସେଞ୍ଜର ଟ୍ରେନ୍‌ରେ ୩୦୦ରୁ ୪୦୦ ବସ୍ତା କୋଇଲା ଚୋରାଚାଲାଣ ହେଉଛି। ଯାହାର ଟେର୍‌ ପାଉନି ବିମଳାଗଡ଼ ଆର୍‌ପିଏଫ୍‌ ଅଧିକାରୀ। ବରସୁଆଁ-ବୀରମିତ୍ରପୁର ପାସେଞ୍ଜର ଟ୍ରେନ୍‌କୁ ରୋକାଯାଇ ଏଠାରୁ ‌କୋଇଲା ରାଉରକେଲା ସମେତ ଜିଲ୍ଲା ବିଭିନ୍ନ ବ୍ଲକକୁ ଚାଲାଣ ହେଉଛି।

Advertisment

ମାଫିଆଙ୍କ ଜରିଆରେ ସାଇଡିଂରୁ କୋଇଲାକୁ ବସ୍ତା କରାଯାଇ ପଟ୍ଟାସାହି ଓ ବିମଳାଗଡ଼ ଷ୍ଟେସନରେ ରଖାଯାଇଛି। ମାସ ମାସ ଧରି ଚାଲିଥିବା ଏଭଳି ଚୋରାକାରବାରକୁ ରୋକିବାରେ ସ୍ଥାନୀୟ ରେଳସୁରକ୍ଷା ଅଧିକାରୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବରଂ ବିମଳାଗଡ଼ର ଆର୍‌ପିଏଫ୍‌ ପୋଷ୍ଟର କିଛି ପୁଲିସ ମାଫିଆମାନଙ୍କୁ ପରୋକ୍ଷରେ ସୁରକ୍ଷା ଦେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଝାଡ଼ଖଣ୍ଡ ବୋକାରୋ ଓ ଅନ୍ୟ ଅଞ୍ଚଳରୁ ଦୈନିକ କୋଇଲା ବୋଝେଇ ଟ୍ରେନ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ଅନ୍ୟାନ୍ୟ ଶିଳ୍ପ କାରଖାନାକୁ ଆସୁଛି। କାରଖାନାରେ କୋଇଲା ମେସିନ୍‌ ସହାୟତାରେ ଅନ୍‌ଲୋଡିଂ ହେବା ପରେ ଟ୍ରେନଗୁଡ଼ିକ ପଟ୍ଟାସାହି ଓ ବିମଳାଗଡ଼ ସାଇଡିଂ ଲୁହାପଥର ବୋଝେଇ ପାଇଁ ଚାଲିଯାଇଥିଲା।

ଲୁହାପଥର ବୋଝେଇ ପୂର୍ବରୁ ଟ୍ରେନ୍‌ରେ ରହିଯାଇଥିବା ଅବଶିଷ୍ଟ କୋଇଲାକୁ ସେଠାରେ ଶ୍ରମିକ ଲଗାଇ ବାହାର କରାଯାଇଥିଲା। ହେଲେ ଦୁଇଟି ସାଇଡିଂରେ ସକ୍ରିୟ ଥିବା କିଛି ମାଫିଆ ନିଜର ୧୨ରୁ ୧୫ ଜଣ ଶ୍ରମିକଙ୍କୁ ଲଗାଇ କୋଇଲାଗୁଡ଼ିକୁ ବସ୍ତା କରି ସେଠାରୁ ନିକଟସ୍ଥ ଷ୍ଟେସନ ବୋହି ନେଇଯାଇଥାନ୍ତି। ଏପରିକି ‌ସେଠାରେ କରିଥିବା ଗୋଦାମରେ ଗଚ୍ଛିତ ରଖିଛନ୍ତି। ସେଠାରୁ କୋଇଲାବସ୍ତାଗୁଡ଼ିକୁ ଚୋରାରେ ଲହୁଣିପଡ଼ା, କୋଇଡା, ବଣାଇ, ଲାଠିକଟା, ରାଜାମୁଣ୍ଡା, ରାଉରକେଲାର ଓ ଏହାର ଆଖପାଖରେ ଢ଼ାବାଗୁଡ଼ିକୁ ପଠାଇଥାନ୍ତି।

ବୀରମିତ୍ରପୁରରୁ ବରସୁଆଁ ଯାଉଥିବା ପାସେଞ୍ଜର ଟ୍ରେନ୍‌ରେ ଦୈନିକ ଶହ ଶହ ବସ୍ତା କୋଇଲା ରାଉରକେଲା ଓ ଏହାର ଆଖପାଖକୁ ଚାଲାଣ ହେଉଥିଲେ ହେଁ ରେଳବାଇ ସୁରକ୍ଷା ବାହିନୀ ଏଦିଗରେ କୌଣସି ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଉରକେଲାରୁ ବିମଳାଗଡ଼ ଓ ପଟ୍ଟାସାହି ପର୍ଯ୍ୟନ୍ତ କ‌ୋଇଲା ଚୋରାଚାଲାଣକାରୀଙ୍କ ଚେର ଲମ୍ବିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ମାସକୁ ଲକ୍ଷ ଲକ୍ଷ ଟଙ୍କାର କୋଇଲା ଚୋରି କରୁଥିବା ମାଫିଆକୁ ଗିରଫ କରିବା ପରିବର୍ତ୍ତେ ରେଳବାଇ ସୁରକ୍ଷା କର୍ମୀ ପରୋକ୍ଷରେ ସହଯୋଗ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

କେବଳ କୋଇଲା ନୁହେଁ ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାଲ ଜାଲେଣି କାଠ ମଧ୍ୟ ଏହି ପ୍ୟାସେଞ୍ଜର ଟ୍ରେନ୍‌ରେ ରାଉରକେଲା ଓ ଅନ୍ୟାନ୍ୟ ଅଞ୍ଚଳକୁ ଚାଲାଣ ହେଉଛି। ଏ ସଂକ୍ରାନ୍ତରେ ବିମଳାଗଡ଼ର ଆର୍‌ପିଏଫ୍‌ ପୋଷ୍ଟର ଅଧିକାରୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, କୋଇଲା ଓ କାଠ ଚୋରି ହେଉଥିବା ସମ୍ପର୍କରେ ଆମ ପାଖରେ ଖବର ନାହିଁ। ବିମଳାଗଡ଼ ଓ ପଟ୍ଟାସାହି ଷ୍ଟେସନରେ କୋଚଗୁଡ଼ିକ ଯାଞ୍ଚ କରାଯିବ। କୋଇଲା ଓ କାଠ ଚୋର ଧରାପଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆାଯିବ।