ତାଳଚେର: ତାଳଚେର ବଳରାମ କୋଇଲା ଖଣି ନିକଟରେ କୋଇଲା ପରିବହନ ପାଇଁ ସାଇଲୋ କନଭେୟର୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଘଟିଛି ଅଘଟଣ। କ୍ରେନ୍ ଟୋଚନ୍ ଛିଡ଼ିଯିବାରୁ ଲୁହାଖଣ୍ଡ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ହିଙ୍ଗୁଳା କୋଇଲା ଖଣିରୁ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ସାଇଡିଂକୁ କୋଇଲା ପରିବହନ ପାଇଁ ସାଇଲୋ କନଭେୟର୍ କାମ ଜାରି ରହିଛି। ଠିକା ସଂସ୍ଥା ଶେରାବାଲି କନଷ୍ଟ୍ରକସନ୍ ଏହାକୁ ନିର୍ମାଣ କରୁଛି। ଆଜି କ୍ରେନର୍ ଟୋଚନ୍ ଛିଡ଼ି ପଡ଼ିବାରୁ ଲୁହାଖଣ୍ଡ ପଡ଼ି ଶ୍ରମିକ ଦୁଷ୍ମନ୍ତ ନାୟକ (୩୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଦୁଷ୍ମନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶଙ୍ଖଲେଇ ଗ୍ରାମରେ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗର ଡୋଳା ଥାନା ବାଲିଖୋଳି ଗ୍ରାମର ସୁବୀର ଚକ୍ରବର୍ତ୍ତୀ(୨୨) ନାମକ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କମ୍ପାନି କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଅନ୍ୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଶେରାବାଲି କନଷ୍ଟ୍ରକସନ୍ ପରିଚାଳକ ପ୍ରକାଶ ସାହୁଙ୍କୁ ପଚାରିବାରେ ସାଇଲୋ ପାଇଁ ନିର୍ମାଣ କାମ ଚାଲିଥିବା ବେଳେ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ବୋଲି କହିଛନ୍ତି। ବଳରାମ ଓ ହିଙ୍ଗୁଳା କୋଇଲା ଖଣିର ବରିଷ୍ଠ ଅଧିକାରୀ ଓ ଗୋପାଳପ୍ରସାଦ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।