ତୁଟୁନି କୋଇଲା ଖଣି ବିବାଦ: ଆବଣ୍ଟନ ସତ୍ତ୍ବେ ବର୍ଷ ବର୍ଷ ଧରି ପଡ଼ି ରହିଛି କୋଲ୍‌ ବ୍ଲକ୍

ଦୁଇ ବର୍ଷରେ ଆରମ୍ଭ ହେବ ୮ରୁ ଅଧିକ କୋଇଲା ଖଣି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣି ହେବ। ଏକାଧିକ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରାଯିବ। ପାଖାପାଖି ୨୬ ବର୍ଷ ହେଲା ଏମିତି ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହା ବାସ୍ତବ ରୂପ ନେଇ ପାରିନି। ଏମସିଏଲ୍‌ ନେଇଥିବା କୋଇଲା ଖଣିରୁ ଅଳ୍ପ କିଛି କୋଇଲା‌ ଉତ୍ତୋଳନ ପରେ ଏହା ବନ୍ଦ ହୋଇଯାଇଛି। ଏପଟେ ଅନ୍ୟ କୌଣସି ଖଣି କାମ ବିଶେଷ ଆଗେଇନି। କିନ୍ତୁ ଏବେ ସରକାର ଓ ପ୍ରଶାସନ ଏହା ଉପରେ ଅଧିକ ଫୋକସ କରୁଥିବାରୁ ବର୍ଷକ ଭିତରେ ୮ରୁ ଅଧିକ କୋଇଲା ଖଣିରୁ କୋଇଲା ଉତ୍ତୋଳନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆଗକୁ ଛେଣ୍ଡିପଦା ଅଞ୍ଚଳ କୋଇଲାର ହବ୍‌ ହେବାକୁ ଯାଉଥିଲାବେଳେ ବିସ୍ଥାପନ ଓ ଥଇଥାନ ମୁଖ୍ୟ ପ୍ରସଙ୍ଗ ହୋଇ ଛିଡ଼ାହୋଇଛି।

ଏସିଆ ମହାଦେଶର ସର୍ବବୃହତ କୋଇଲା ଖଣି ଅଞ୍ଚଳ ଭାବେ ଏହି ଛେଣ୍ଡିପଦା ଅଞ୍ଚଳକୁ ଗଣା ହେଉଛି। ଏହି ବ୍ଲକ୍‌ରେ ୩୧ଟି କୋଇଲା ଖଣି କରିବାକୁ କୋଲ୍‌ ବ୍ଲକ୍‌ ଚିହ୍ନଟ କରାଯାଇଛି। ଏ ଭିତରେ ୨୦ରୁ ଅଧିକ କୋଲ୍‌ ବ୍ଲକ୍‌ ଆବଣ୍ଟନ ଶେଷ ହୋଇ ସାରିଲାଣି। ଏହି ଆବଣ୍ଟନ ପ‌ରେ ବି ବିଭିନ୍ନ କାରଣରୁ କୋଇଲା ଖନନ ନେଇ ପ୍ରକ୍ରିୟା ଅଗ୍ରଗତି କରି ପାରିନି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମୟ ବିତୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଇଲା ଖଣି ହୋଇପାରିନାହିଁ। କିଛି ଲୋକ ନିଜର ଜମି, ପେଷା, ବୃତ୍ତି, ବିସ୍ଥାପନ ଓ ପ୍ରଦୂଷଣ ପାଇଁ କୋଇଲା ଖଣି ସ୍ଥାପନକୁ ଗ୍ରହଣ କରିପାରୁନାହାନ୍ତି। ଖଣି ପାଇଁ ଜମି ଅଧିଗ୍ରହଣ କରୁଥିବା ଅଧିକାରୀ ଓ ଜମି ହରାଉଥିବା ପ୍ରଜାଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇପାରୁନାହିଁ। ଫଳରେ ଜମି ହରାଉଥିବା ପ୍ରଜା ଜମି ଅଧିଗ୍ରହଣ ନୀତି ନିୟମ, ଥଇଥାନ ନିୟମ, ଜମି ଦର, ଜମିରେ ଥିବା ଘର, ଗଛ, କୂଅ, ପୋଖରୀ ମୂଲ୍ୟ କେତେ ପାଇବେ, ନିଯୁକ୍ତି ମିଳିବ କି ନାହିଁ ଜାଣି ପାରୁନାହାନ୍ତି। ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଥିଲାବେଳେ କିଛି ସ୍ପଷ୍ଟ ଚିତ୍ର ମିଳୁନି।

ଛେଣ୍ଡିପଦାରେ ଚିହ୍ନଟ ହୋଇଥିବା କୋଲ୍‌ ବ୍ଲକ୍‌ ତାଲିକା ଅନୁସାରେ, ଛେଣ୍ଡିପଦା ଅଞ୍ଚଳରେ ବୈତରଣୀ(ପୂର୍ବ), ବୈତରଣୀ(ପଶ୍ଚିମ), ଛେଣ୍ଡିପଦା(୧), ଛେଣ୍ଡିପଦା(୨), ମାଛକୁଟା, ମହାନଦୀ, ପାତ୍ରପଡା, ନୂଆଗାଁ ତେଲିସାହି, ନୟନି, ଫୁଲଝରି, କରଡାବାହାଳି-ବ୍ରାହ୍ମଣବିଲ, ବଂଖୁଇ, ମନ୍ଦାକିନି(ବି), ଉତ୍କଳ(ଏ), ଉତ୍କଳ(ବି), ଉତ୍କଳ(ସି), ଉତ୍କଳ(ଡି), ଉତ୍କଳ(ଇ), ଉତ୍କଳ(ବି୧), ଉତ୍କଳ(ବି୨), ରାଧିକାପୁର(ପୂର୍ବ), ରାଧିକାପୁର(ପଶ୍ଚିମ), ତେଣ୍ଟୁଲୋଇ, ପଳାସବଣି(ପୂର୍ବ), ପଳାସବଣି(ପଶ୍ଚିମ), ପଳାସବଣି ଡିପ(ପୂର୍ବ), ପଳାସବଣି ଡିପ(ପଶ୍ଚିମ), ରାମଚଣ୍ଡୀ, ସୁଭଦ୍ରା, ଅଳକାନନ୍ଦା କୋଲ୍‌ ବ୍ଲକ୍‌ ରହିଛି। ଏହାବ୍ୟତୀତ କଣିହାଁ ଓ ତାଳଚେର ବ୍ଲକ୍‌ରେ କିଛି କୋଲ୍‌ ବ୍ଲକ୍‌ ରହିଛି। ଛେଣ୍ଡିପଦାରେ ଥିବା ବୈତରଣୀ ପୂର୍ବ କୋଲ୍‌ ବ୍ଲକ୍‌ରେ ପରୀକ୍ଷାମୂଳକ ଭାବେ ସେଥିରୁ ୪୦ ଏକର ଜମିରେ କୋଇଲା ଖଣି ଆରମ୍ଭ ପାଇଁ ୧୯୯୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଖଣିରୁ ୨୦୦୫ରେ ଉତ୍ପାଦିତ କୋଇଲା ପରିବହନ ହୋଇଥିଲା ବେଳେ ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ଅଧାରେ ଥିବାରୁ ୨୦୦୮ରୁ ଖଣି ବନ୍ଦ ହୋଇ ରହିଛି। ୧୦ ବର୍ଷ ପୁର୍ବରୁ ବେଆଇନ ଖଣି ଆବଣ୍ଟନ ଦର୍ଶାଇ ସୁପ୍ରିମକୋର୍ଟ ପାତ୍ରପଡା, ମାଛକୁଟା, ରାଧିକାପୁର(ପୂର୍ବ), ରାଧିକାପୁର(ପଶ୍ଚିମ), ଉତ୍କଳ(ବି), ଉତ୍କଳ(ସି), ଉତ୍କଳ(ଡି) କୋଲ୍‌ ବ୍ଲକ୍‌ ମିଳିଥିବା ଖଣିକୁ ବାତିଲ କରିଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବୈତରଣୀ(ପଶ୍ଚିମ)କୁ ଓଏମ୍‌ସି, ନୟନି କୋଲ୍‌ ବ୍ଲକ୍‌କୁ ସିଙ୍ଗରେନି କମ୍ପାନି, ଉତ୍କଳ(ଡି) ଓ ଉତ୍କଳ(ଇ)କୁ ନାଲ୍‌କୋ, ଉତ୍କଳ (ବି୧), (ବି୨) ଓ (ସି) ଜେଏସପିଏଲ୍‌କୁ, ରାଧିକାପୁର(ପୂର୍ବ) ଆଦିତ୍ୟ ବିର୍ଲାର ଏସେଲ ମାଇନ୍ସକୁ, ରାଧିକାପୁର(ପଶ୍ଚିମ) ବେଦାନ୍ତକୁ, ବଂଖୁଇ କୋଲ୍‌ ବ୍ଲକ୍‌କୁ ୟାଜଦାନୀକୁ ମିଳିଛି। ଏହି ସମସ୍ତ ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। କିଛି ଖଣି ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଥିଲାବେଳେ କେବଳ ବିସ୍ଥାପନ ଓ ଥଇଥାନ ନେଇ ଆଲୋଚନା କରାଯାଉଛି। ଏଥିନେଇ ପ୍ରଶାସନ ପକ୍ଷରୁ କଂପାନି, ଗ୍ରାମବାସୀଙ୍କ ସହ ବାରମ୍ବାର ବୈଠକ ଚାଲିଛି। ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାଟ ଖୋଜା ଚାଲିଛି। ତେଣୁ ନାଲ୍‌କୋ, ଜେଏସ୍‌ପିଏଲ୍‌, ସିଙ୍ଗରେନି, ଓଏମସି ଓ ଏସେଲ୍ସ ମାଇନିଂ ନେଇଥିବା କୋଇଲା ଖଣିରୁ ଦୁଇ ବର୍ଷରେ କୋଇଲା ଉତ୍ତୋଳନ ହେବ ବୋଲି ଅନୁମାନ କରାଯାଉଛି। ପର୍ଯ୍ୟାୟକ୍ରମେ ଅନ୍ୟ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରାଯିବ। ଫଳରେ କୋଇଲା ସଙ୍କଟ ଦୂର ହୋଇପାରିବ।

ସମ୍ବନ୍ଧିତ ଖବର