ସୁନ୍ଦରଗଡ଼: ଖଣି ଆଁରେ ନଈ। ପୋଛି ହୋଇଯିବ ୮୦ ଗାଁର ଜୀବନରେଖା। ସୁନ୍ଦରଗଡ଼ ଜିଲ୍ଲାର ମହାନଦୀ ଖୋଲାମୁହଁ କୋଇଲା ଖଣି ଆଣିଛି ଏହି ବିପଦ। ହେମଗିର ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳ ଦେଇ ବହି ଯାଉଥିବା ତିନି ପ୍ରମୁଖ ଜଳଉତ୍ସ ବସୁନ୍ଧରା, ଚତୁର୍ଧାରା ଓ ଇଚ୍ଛାନଦୀକୁ ଆସିଛି ମୃତ୍ୟୁର ଡାକରା। ବସୁନ୍ଧରାର ମଧ୍ୟଭାଗ ଖଣି ଗର୍ଭକୁ ଚାଲି ଯାଇଛି। ଆଗକୁ ଚତୁର୍ଧାରାର ପାଳି। ବସୁନ୍ଧରା ନଦୀ ତୁମ୍ବିଖୋଲ, ତିଉଁରିଆ, ସୁମରା, ଗଂଜେଇବୁଡ଼, ଲେବଦାଯୋର, କୁଲାପଡ଼ା, ସରଡେଗା ଦେଇ ଆସିଛି। ଏହି ନଦୀରେ ତୁମ୍ବିଖୋଲ ନାଳ, ଗାଡ଼ଜୋର ନାଳ, ପୋଢ଼ସରା ନାଳ, କୁସୁମ ନାଳ, ଭରପାଏନ ନାଳ ଓ ଚଟାଯୋର ନାଳ ମିଶିଛି। ସେହିପରି ଚତୁର୍ଧାରା ନାଳ ଘୋଘରପାଲି, ରତନପୁର, ରତନସରା, ତେଲେନଡିହି, ନକଟିଦେଉଳ, ବନ୍ଧପତରା, ଗୋପାଳପୁର ଯାଏ ବହି ଆସିଛି।
ଏଥିରେ ମଧ୍ୟ ବଡ଼ଝରିଆ ନାଳ, ପୁଟକାଯୋର ନାଳ, କଳାପାନିଟଙ୍କିଆବର, କଣ୍ଟେଇନାଳ ମିଶିଛି। ବସୁନ୍ଧରା ଓ ଚତୁର୍ଧାରା ମୁଖ୍ୟ ବସୁନ୍ଧରାରେ ମିଶିଛି। ସେହିଠାରୁ ମୁଖ୍ୟନଦୀ ବସୁନ୍ଧରା ହେମଗିରର ବଲିଙ୍ଗା, କୁଇଁସିରା, ବରପାଲି, ଡୁଡୁକା, ଅଲେଇକେରା ଓ ଲେଫ୍ରିପଡ଼ା ବ୍ଲକର ରାଏଡିହି, ଦର୍ଲିପାଲି ଦେଇ ଝାରସୁଗୁଡ଼ା ଜିଲ୍ଲା ରାଜପୁରଠାରେ ଇବ୍ ନଦୀରେ ମିଶିଛି। ବର୍ଷର ସବୁ ସମୟରେ ବସୁନ୍ଧରା ଓ ଚତୁର୍ଧାରା କୂଳରେ ଥିବା ଗାଁ ସହ ପାର୍ଶ୍ବବର୍ତ୍ତୀ ୩୦ରୁ ଅଧିକ ଗାଁ ଲୋକେ ନିର୍ଭର କରି ଆସୁଥିଲେ। ସେହିପରି ଲେଫ୍ରିପଡ଼ା ବ୍ଲକ୍ର ଡୁମାବାହାଲ ପଞ୍ଚାୟତ ସିପୋକଚ୍ଛାର ଗାଁର ଏକ ପାହାଡ଼ରୁ ଜନ୍ମ ନେଇଥିବା ଇଚ୍ଛାନଦୀ ଜନ୍ମସ୍ଥଳରୁ ମାତ୍ର ୧୦୦ ମିଟର ପରେ ୩ କିଲୋମିଟର ପର୍ଯ୍ୟନ୍ତ ଶୁଖିଲା ପଡ଼ିଛି। ଏହାର ମୁଖ୍ୟ କାରଣ ଏହା ନିକଟରେ ଥିବା ଏମସିଏଲର ବିଶାଳ କୋଇଲା ଖଣି। ଖଣି ପ୍ରଭାବରେ ଅଞ୍ଚଳର ଭୂତଳଜଳ ନିମ୍ନଗାମୀ ହୋଇଛି।
ଇଚ୍ଛାନଦୀ ଲେଫ୍ରିପଡ଼ା ବ୍ଲକର ସରଫଗଡ଼, ଡ଼ୁମାବାହାଲ, ଲେଫ୍ରିପଡ଼ା, ଛଟେନପାଲି, ଝୁରିମାଲ, ସର୍ଗିପାଲି, ବଡ଼ବଙ୍ଗା ପଞ୍ଚାୟତର ଅନେକ ଗାଁ, ଟାଙ୍ଗରପାଲି ବ୍ଲକର ଉଜ୍ୱଳପୁର, ନିଆଲିପାଲି, କିରିପସିରା, ଯୋଗିମାଲ ପଞ୍ଚାୟତର ଅନେକ ଗାଁ ପାଇଁ ଜୀବନଧାରା ସାଜିଥିଲା। ଲୋକେ ସ୍ନାନଶୌଚଠାରୁ ଆରମ୍ଭ କରି ଚାଷବାସ, ପାନୀୟଜଳ ରୂପେ ବ୍ୟବହାର କରି ଆସୁଥିବାବେଳେ ଏବେ ନଦୀ ସ୍ରୋତ ଶୁଷ୍କ ପ୍ରାୟ। ୭୦ କିମିରୁ ଅଧିକ ପଥ ଦେଇ ପ୍ରବାହିତ ନଈଟି ବିଲେଇଗଡ଼-ଯମୁନାଢିପା ନିକଟରେ ଇବ୍ ନଦୀ ସହିତ ମିଶିଛି। ହେଲେ ଏବେ ଏହା ଛୋଟ ନାଳ ରୂପ ନେଇଥିବା ବେଳେ ନଦୀଶଯ୍ୟା ପଥର, ଘାସବୁଦାରେ ପୂରିଗଲାଣି। ଯାହା ଫଳରେ ନଦୀକୂଳିଆ ୫୦ରୁ ଅଧିକ ଗାଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏକଦା ଇଚ୍ଛାନଦୀର ବାଲିରୁ ସୁନା ସଂଗ୍ରହ ହେଉଥିଲା। ଏସିଆର ଦ୍ବିତୀୟ ସର୍ବବୃହତ୍ କୋଇଲା ଖଣି ହେବା ପରେ ଏସବୁ ନଦୀନାଳ ସତ୍ତା ହରାଇବାକୁ ବସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fshfshffhftt.jpg)