ସୁନ୍ଦରଗଡ଼: ଏମସିଏଲକୁ ୨୭ ବର୍ଷ, ପରେ ପରେ ହେମଗିର ମାଟି ତଳର କଳାହୀରା ପାଇଁ ଆସିଛନ୍ତି ଏନଟିପିସି, ଓସିପିଏଲ। ବର୍ଷେ ତଳେ ଆସିଛି ବେଦାନ୍ତ। ଆଗକୁ ଆଦାନି ସହ ଆହୁରି ଅନେକ ନୂଆ ନୂଆ କମ୍ପାନି ଆସିବାକୁ ପାଦ ବଢ଼ାଇଛନ୍ତି। ଖଣି ବିସ୍ଥାପିତ ଓ ପ୍ରଭାବିତ ଅଞ୍ଚଳବାସୀଙ୍କ ଆଖିରେ ବିକାଶର ମିଠା ସ୍ବପ୍ନ ବୁଣି ଆସିଥିବା କମ୍ପାନିଗୁଡ଼ିକ ଏତେ ବର୍ଷ ଭିତରେ କେବଳ ବିସ୍ଥାପନ, ପ୍ରଦୂଷଣ ଓ ଦୁର୍ଘଟଣାର ଜହର ବାଣ୍ଟି ଚାଲିଛନ୍ତି କହିଲେ ଭୁଲ ହେବ ନାହିଁ। ସବୁକିଛି ଟେକି ଦେଇଥିବା ବିସ୍ଥାପିତଙ୍କୁ ନୀତିନିୟମ ଅନୁଯାୟୀ, କମ୍ପାନି ବିନା ବାକ୍ୟବ୍ୟୟରେ ନିଧାର୍ଯ୍ୟ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ଦେବା କଥା। କିନ୍ତୁ ଏଠାରେ ନାନା ଆଳରେ କମ୍ପାନିଗୁଡ଼ିକ ଦିନ ଗଡ଼ାଇ ନେଉଥିବାରୁ ସର୍ବହରା ରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ସ୍ବର ଉଠାଇଛନ୍ତି। ଏ କ୍ଷେତ୍ରରେ ସରକାର ଓ ପ୍ରଶାସନର କାର୍ଯ୍ୟଶୈଳୀ ବା ଆଭିମୁଖ୍ୟ ଉପରେ ମଧ୍ୟ ବିସ୍ଥାପିତ ପ୍ରଶ୍ନ ଉଠାଇଛନ୍ତି।
ପ୍ରଶାସନ କୌଣସି ଠୋସ ନିଷ୍ପତ୍ତି ନେବା ପରିବର୍ତ୍ତେ ବିସ୍ଥାପିତଙ୍କ ଲୁହକୁ ଅଣଦେଖା କରି ସବୁକିଛି କମ୍ପାନିର ମର୍ଜି ଉପରେ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି । ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଏମସିଏଲ, ଏନଟିପିସି, ଓସିପିଏଲ ବିସ୍ଥାପିତଙ୍କ ଯନ୍ତ୍ରଣା ସରୁନି। ପୂରା ଅଞ୍ଚଳ ପ୍ରଦୂଷଣର କଳାବଳୟ ଭିତରେ ରୁନ୍ଧି ହେଉଛି। ଏପଟେ କୋଇଲା ପରିବହନଜନିତ ଦୁର୍ଘଟଣା ଅନେକ ପରିବାରର ମୁରବି ଓ ଉପାର୍ଜନକ୍ଷମଙ୍କ ଜୀବନ ନେଇଥିବାବେଳେ ଅନେକେ ପଙ୍ଗୁ ହୋଇଯାଇଛନ୍ତି। ଏ ସ୍ଥିତିରେ ଗତ କିଛି ମାସ ହେଲା ଏମସିଏଲ, ଏନଟିପିସି, ଓସିପିଏଲ, ବେଦାନ୍ତ ବିରୋଧରେ ସ୍ଥାନୀୟ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ସ୍ବର ତେଜିୟାନ ହୋଇଛି। ବିଶେଷ କରି ହେମଗିର ଅଞ୍ଚଳରେ ସର୍ବାଧିକ ୨୭ ବର୍ଷ ଧରି ବସୁନ୍ଧରା ପରେ କୁଲଡା, ଗର୍ଜନବାହାଲ ଓ ଏବେ ସିଆରମାଲ ଖଣି ଖୋଳି ଚାଲିଥିବା ଏମସିଏଲରେ ବିସ୍ଥାପିତଙ୍କୁ ଏଯାଏଁ ନ୍ୟାୟ ମିଳି ନାହିଁ।
ବିସ୍ଥାପିତ ଗାଁ ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ସହ ୧୪ ଖଣ୍ଡ ଗାଁ ବିସ୍ଥାପିତଙ୍କୁ ୯ ମାସ ମଧ୍ୟରେ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ପ୍ରଦାନ ଶେଷ କରିବାକୁ ଗତ ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ୭ ମାସ ବିତିଯିବା ପରେ ବି ଏ ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ୧୪ଟି ବିସ୍ଥାପିତ ଗାଁ ସମେତ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହ ନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡେସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହ ନେବାକୁ ଚାହୁ ନଥିବା ବିସ୍ଥାପିତ ପରିବାକରୁ ୨୫ ଲକ୍ଷ ଦିଆଯିବା କଥା। କିନ୍ତୁ ଏଯାଏ କମ୍ପାନି ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ।
ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ୨୦୦୬ ଓ ସଂଶୋଧିତ ନୀତି ୨୦୧୩ ଅନୁଯାୟୀ ୧୪ଟି ଗାଁ ବିସ୍ଥାତପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାତଇଁ ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ଏଯାଏ ଜଣକୁ ବି ନିଯୁକ୍ତି ଦିଆଯାଇ ନାହିଁ। ଏବେ ଜୁଲାଇ ୧୪ରେ ଆସିବାକୁ ଥିବା ସୁପ୍ରିମକୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବାକୁ କହି ପୁଣି ଭୁଆଁ ବୁଲାଇବାକୁ ମସୁଧା ଚଲାଇଥିବା ବିସ୍ଥାପିତ ଅଭିଯୋଗ କରି ଆଉ ପ୍ରତିଶ୍ରୁତି ନୁହେଁ, ଠୋସ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ଏନଟିପିସି ଡୁଲିଙ୍ଗା ଓ ଓସିପିଏଲ କୋଇଲା ଖଣିରେ ବିସ୍ଥାପିତ ପରିବାରର ବିବାହିତ ଝିଅମାନଙ୍କୁ ପୁନର୍ବାସ ଓ ଥଇଥାନ ସୁବିଧା ଦେବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ତାକୁ ଉଭୟ କମ୍ପାବନି ଓ ପ୍ରଶାସନ ଅଣଦେଖା କରିଚାଲିଛନ୍ତି।
ରାଜସ୍ବ ସଚିବ ଚିଠି ଲେଖି ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାଲନେ ୨୦୧୩ ନୀତିରେ କ୍ଷତିପୂରଣ ପାଇବେ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ବିବାହିତା ଝିଅମାନଙ୍କ ସପକ୍ଷରେ ଏକ ସାର୍ବଜନୀନ ରାୟ ଦେଇ ପୁଅ ଭଳି ଝିଅ ମଧ୍ୟ ସମାନ ସୁବିଧା, ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିଲେ ମଧ୍ୟ ପ୍ରଶାସନ ଓ କମ୍ପାନି ମାନିବାକୁ ନାରାଜ। ଝିଅମାନେ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବାର ପ୍ରମାଣ ଦେଇ ସାରିଥିଲେ ମଧ୍ୟ ସେସବୁକୁ ଅଣଦେଖା କରାଯାଉଛି। ପ୍ରଭାବିତ ଶତାଧିକ ଝିଅ ଏବେ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ।
ସେହିପରି ଏନଟିପିସି ଡୁଲିଙ୍ଗା୍ ଖଣି କ୍ଷତିପୂରଣରୁ ବଞ୍ଚିତ କରିବା ପାଇଁ ଭୂମିହୀନ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ମିଳିଥିବା ଜଙ୍ଗଲ ଜମି ଶିରୋନାମାକୁ ୬ ବର୍ଷ ପରେ ପ୍ରଶାସନ ଷଡ଼ଯନ୍ତ୍ର କରି ଖାରଜ କରିଦେବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡୁଲିଙ୍ଗାର ୧୪ ଜଣ ଭୂମିହୀନ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ବହୁବର୍ଷରୁ ସେମାନଙ୍କ ଦଖଲରେ ଥିବା ୨୮.୩୫ ଏକର ଜମିକୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ୨୦୧୦ରେ ପଟ୍ଟା ଦିଆଯାଇଥିଲା। ଏହା ସହ ମନୋହରପୁର, ସାନଘୁମୁଡ଼ାର ଭୂମିହୀନ ମଧ୍ୟ ଜଙ୍ଗଲ ଜମି ପଟ୍ଟା ପାଇଥିଲେ। କୋଇଲା ଖଣି ପ୍ରକଳ୍ପ ଆସିବା ପରେ ଜମି ସବୁ ଖଣିରେ ଚାଲିଗଲା। ଜମିର ମାଲିକାନା ସତ୍ତ୍ବ ଥିବାରୁ ସେମାନେ ମଧ୍ୟ କ୍ଷତିପୂରଣ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ଜଙ୍ଗଲ ଜମିକୁ କ୍ଷତିପୂରଣ ମିଳିବ ନାହିଁ ବୋଲି ପ୍ରଶାସନ ଓ କମ୍ପାନି କହିଥିଲା।
ଆଦିବାସୀ ଏହାର ପ୍ରତିବାଦ କରି ଜଙ୍ଗଲ ଜମି ପଟ୍ଟା ପାଇଥିବାରୁ ୫.୨୦୧୩ରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ସେମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବୋଲି ଯୁକ୍ତି ବାଢ଼ିଥିଲେ। ଏହା ପରେ ପ୍ରଶାସନ ନୂଆ ଫିକର କାଢ଼ି ଜଙ୍ଗଲ ଜମି ପଟ୍ଟା ଦିଆଯାଇଥିଲେ ମଧ୍ୟ ଯୁଗ୍ମ ତଦନ୍ତରେ ଜଙ୍ଗଲ ଜମି ଦଖଲରେ ନଥିବା ଦର୍ଶାଇ ୭.୬.୨୦୧୬ରେ ଶିରୋନାମାକୁ ଖାରଜ କରି ଦେଇଥିଲା। ଏବେ ନ୍ୟାୟ ପାଇଁ ଆଦିବାସୀ ଲଢ଼େଇ କରୁଛନ୍ତି। ବେଦାନ୍ତର ଜାମକାନି କୋଇଲା ଖଣିରେ ମଧ୍ୟ ସେହି ସମାନ ଅବସ୍ଥା। କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ପ୍ରଦାନରେ ବିଳମ୍ବ କରି ଖଣି ଖୋଳା ଚାଲିଛି। ଜାମକାନି କୋଇଲା ଖଣିର ଭୂଷଣ କମ୍ପାନି ସମୟର ସର୍ବେକ୍ଷଣ ରିପୋର୍ଟ ଭୂ- ଅଧିଗ୍ରହଣ ଅଫିସରୁ ଗାଏବ ହୋଇଯାଇଥିବା ବେଳେ ହେମଗିର ତହସିଲ କର୍ତ୍ତୃପକ୍ଷ ଏନଟିପିସି କୋଇଲା ଖଣି ଅଞ୍ଚଳରେ ଫୋରୱାନ୍ ଘୋଷଣା ପୂର୍ବର ସର୍ବେକ୍ଷଣ ଏବଂ ଭୂମିହୀନଙ୍କୁ ମିଳିଥିବା ଜଙ୍ଗଲ ଜମି ଅଧିକାର ଶିରୋନାମା ସମ୍ପର୍କିତ ତଥ୍ୟ ଦେଉ ନଥିବା ଅଭିଯୋଗ ହୋଇଛି। ଦେଶର ବୃହତ୍ତର ସ୍ବାର୍ଥ ପାଇଁ ସବୁକିଛି ଟେକି ଦେଇଥିବା ବିସ୍ଥାପିତଙ୍କୁ ସେମାନଙ୍କ ଏତେ ବଡ଼ ବଳିଦାନ ପ୍ରତି କୃତଜ୍ଞତା ଜଣାଇ ସମ୍ମାନର ସହ ଉଚିତ ପ୍ରାପ୍ୟ ପ୍ରଦାନ କରିବା କଥା। କିନ୍ତୁ ଏଠି ନିଜ ହକ୍ ପାଇବାକୁ ଲଢ଼େଇରେ ମୈଦାନରେ ଠିଆ ହେବାକୁ ପଡ଼ିଛି। ବିସ୍ଥାପିତଙ୍କ ପାଇଁ ଏହାଠାରୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ।