କୋଇଲା ଖଣିକୁ ନେଇ ବିଧାନସଭାରେ ହୋହଲ୍ଲା

ସରକାର ଦୃଷ୍ଟି ଦେବାକୁ ବାଚସ୍ପତିଙ୍କ ପରାମର୍ଶ

ଭୁବନେଶ୍ବର : ସୁନ୍ଦରଗଡ଼ରେ ବେଦାନ୍ତର କୋଇଲା ଖଣିରେ ଖନନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା ବେଳେ ସବୁ ନିୟମକାନୁନ୍‌କୁ ଜଳାଞ୍ଜଳି ଦିଆଯାଇଛି ବୋଲି ବିରୋଧୀ ଦଳ ବିଧାୟକମାନେ ଅଭିଯୋଗ କରିଛନ୍ତି। ଆଜି ଶୂନ୍ୟକାଳରେ ବିଜେପି ସଭ୍ୟ ଶଙ୍କର ଓରାମ ଓ କୁସୁମ ଟେଟେ, କଂଗ୍ରେସ ସଭ୍ୟ ଡାକ୍ତର ସି ଏସ୍ ରାଜନ୍ ଏକ୍କା ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

ସେମାନେ ଅଭିଯୋଗ କରିଥିଲେ ଯେ ସରକାର ଏବେ ଭୂମି ମାଫିଆ ପାଲଟିଯାଇଛି। ଆଦିବାସୀଙ୍କ ଜମି ଜୋର୍ ଜବରଦସ୍ତ ଦଖଲ କରି ଶିଳ୍ପପତିଙ୍କୁ ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଜମି ଅଧିଗ୍ରହଣ ଓ ଥଇଥାନ ଆଇନ୍‌ରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କରି ବେଦାନ୍ତ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ଜାମଖାନି କୋଇଲା ବ୍ଲକ୍‌ରେ ଖନନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଖଣି ଦ୍ବାରା ପ୍ରଭାବିତ ହେବାକୁ ଥିବା ହେମଗିରି ବ୍ଲକ୍‌ର ଝାରପଲମ ଗ୍ରାମପଞ୍ଚାୟତର ଚାରିଟି ଗାଁର ଲୋକ ଏ ନେଇ ଅଭିଯୋଗ କରିଛନ୍ତି। ଖଣି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗ୍ରାମସଭାର ଆବଶ୍ୟକତା ଥିଲେ ବି ତାହା କରାଯାଇ ନାହିଁ। ୨୦୦୮ ମସିହାରେ ଭୂଷଣ ଷ୍ଟିଲ୍ ଆଣ୍ଡ୍ ପାୱାରକୁ ଏହି କୋଇଲା ଖଣି ଦିଆଯାଇଥିଲା। ସେତେବେଳେର ଆର୍ ଆଣ୍ଡ୍ ଆର୍ ପଲିସି ଅନୁଯାୟୀ ପ୍ରତ୍ୟକ୍ଷ ଭାବେ ୧୩୪୦ ଲୋକଙ୍କୁ ଓ ପରୋକ୍ଷ ଭାବେ ୪୦୦୦ ଲୋକଙ୍କୁ ନିଯୁକ୍ତି ଦଆଯିବ ବୋଲି କୁହାଯାଇଥିଲା। ଏହା ବାଦ୍ ଅନ୍ୟ କ୍ଷତିପୂରଣ ପ୍ୟାକେଜ୍ ବି ଥିଲା। କିନ୍ତୁ ୨୦୦୮ ପରଠାରୁ ସେଠାରେ କିଛି କରାଯାଇ ନଥିଲା। କିନ୍ତୁ ବର୍ତ୍ତମାନ ସେହି କୋଇଲା ଖଣି ବେଦାନ୍ତକୁ ଦିଆଯାଇଛି। ନୂଆ ନିୟମ ଅନୁଯାୟୀ ସାନି ସର୍ଭେ କରାଯିବା ସହ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦିଆଯିବା ଆବଶ୍ୟକ। କିନ୍ତୁ ତାହା କରାଯାଉ ନାହିଁ। ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।

ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ। ବିଜେପି ସଭ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ୍ ମୁଲତବୀ ରଖିଥିଲେ। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବିରୋଧ ଜାରି ରହିଲା। ବିଧାୟକମାନଙ୍କ ଦାବି ସମ୍ପର୍କରେ ସରକାର ଦୃଷ୍ଟି ଦେବାକୁ ବାଚସ୍ପତି ପରାମର୍ଶ ଦେଇଥିଲେ। ଏହା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଅପରାହ୍ନରେ ଉଭୟ ବିଜେପି ଓ କଂଗ୍ରେସର ଅନୁସୂଚିତ ଜନଜାତି ବିଧାୟକମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର