ଅନୁଗୁଳ: ତାଳଚେର ଘଣ୍ଟପଡ଼ାରେ ଥିବା କୋଲ୍‌ୱାସରିକୁ ନେଇ ଦୁଇ ଗୋ‌ଷ୍ଠୀଙ୍କ ଭିତରେ ବିବାଦ ଦେଖା ଦେଇଛି। ଏହାକୁ ନେଇ କିଛି ଦିନ ହେଲା ୱାସରି ବନ୍ଦ ରହିଥିଲାବେଳେ ଆଜି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଏବେ କୋଲ୍‌ୱାସରି ଚାଲିବା ନେଇ ଏଥିରେ ନିଷ୍ପତ୍ତି ହୋଇଥିଲାବେଳେ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ କମିଟି ଏହାର ପ୍ରଦୂଷଣ ନେଇ ଯାଞ୍ଚ କରିବ। ଆଜି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ଯୋଗ ଦେଇଥିଲେ।

Advertisment

ଏହାସହିତ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଥିଲେ। ୱାସରି ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ିବା ସହ ଲୋକମାନେ ନାନା ରୋଗର ଶୀକାର ହେଉଥିବା ଅଭିଯୋଗ କରିଥିଲେ। କିନ୍ତୁ ୱାସରି ସପକ୍ଷରେ କିଛି ଲୋକ ଯୁକ୍ତି କରିବା ସହ ଏଥିରେ ସ୍ଥାନୀୟ ଯୁବକ ନିଯୁକ୍ତି ପାଇଥିବା କହିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ୱାସରି ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କମିଟି ୱାସରି କେତେ ପ୍ରଦୂଷଣ କରୁଛି ଓ କେତେ ନିଯୁକ୍ତି ଦେଇଛି ତା’ର ଯାଞ୍ଚ କରିବେ। ଏହି କମିଟିର ରିପୋର୍ଟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସଂପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ଆଜି ଦୁଇ ପକ୍ଷଙ୍କୁ ଡାକି ଆଲୋଚନା କରାଯାଇଛି। ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି।

ଏହି କମିଟିର ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତାଳଚେର ବିଧାୟକ ବ୍ରଜକି‌ଶୋର ପ୍ରଧାନ କହିଛନ୍ତି ଯେ, ଏହି କୋଲ୍‌ୱାସରି ପାଇଁ ଘଣ୍ଟପଡ଼ା ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ହେଉଛି। ଏହାକୁ ସ୍ଥାନୀୟ ମହିଳାମାନେ ବିରୋଧ କରୁଛନ୍ତି। ଏହାର ସମାଧାନ ପାଇଁ ଆଜି ବୈଠକ ହୋଇଥିଲା। ‌ପ୍ରଦୂଷଣ ନେଇ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ୱାସରିରେ ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ଦେବାକୁ ଦାବି କରାଯାଇଛି ବୋଲି ବିଧାୟକ କହିଛନ୍ତି।