ଭୁବନେଶ୍ବର : ଆସନ୍ତାକାଲି ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ କୋଇଲା ରୟାଲିଟି ବୃଦ୍ଧି କରିବା ପାଇଁ ଦାବି କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଡିଏମ୍ଏଫ୍ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ରାଜ୍ୟ ସରକାରଙ୍କୁ ମାଗିଛି ଦଳ। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଖଣିସମ୍ପଦର ନିଲାମି ଯୋଗୁ ପର୍ଯ୍ୟାପ୍ତ ଅର୍ଥ ମିଳିଛି। କେବଳ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ୍ ଅନ୍ତର୍ଗତ ରାଜ୍ୟକୁ ଐତିହାସିକ ୭୮୫୬ କୋଟି ଟଙ୍କା ମିଳିଛି। କିନ୍ତୁ ଦୁଃଖର ବିଷୟ ଯେ ରାଜ୍ୟ ସରକାର ଏଯାବତ ଏହି ରାଶିରୁ ମାତ୍ର ୧୬୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମୋଦୀ ସରକାରଙ୍କ ନୂଆ ଖଣି ନୀତି ଯୋଗୁ ଖଣିମାନଙ୍କର ଖୋଲା ନିଲାମି କରାଯିବା ଫଳରେ ରାଜ୍ୟକୁ ପୂର୍ବ ଅପେକ୍ଷା ୧୫୦ ପ୍ରତିଶତ ଅଧିକ ପ୍ରିମିୟମ୍ ମିଳିଛି, ଯାହା କି ହଜାର ହଜାର କୋଟି ଟଙ୍କା ଆକଳନ କରାଯାଇଛି। ୨୦୧୪ ମସିହାରେ ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର କଂଗ୍ରେସ ସରକାର ଖଣିଗୁଡ଼ିକୁ ନିଲାମ ପରିବର୍ତ୍ତେ ପରିଚିତ ସମ୍ପର୍କୀୟ ଲୋକମାନଙ୍କୁ ବାଣ୍ଟୁଥିଲା। ଏହା ଫଳରେ ଦେଶର ଅପର୍ଯ୍ୟାପ୍ତ କ୍ଷତି ହୋଇଛି। ଓଡ଼ିଶାରେ ୫୯ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିଲା। ଶାହ କମିସନ୍ ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ଖଣି ଦୁର୍ନୀତି କରିଥିବା କମ୍ପାନିମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରି ନ ଥିଲେ ? ରାଜ୍ୟ ସରକାର ଡିଏମ୍ଏଫ୍ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ। କେନ୍ଦ୍ରକୁ ଖଣି ରୟାଲିଟି ବଢ଼ାଇବା ପାଇଁ ଆବେଦନ କରିବା ବଦଳରେ ଏ ପର୍ଯ୍ୟନ୍ତ ମିଳିଥିବା ଅଧିକ ଅର୍ଥ କିପରି ଓଡ଼ିଶା ଲୋକଙ୍କ ହିତରେ ଖର୍ଚ୍ଚ ହେବ, ସେଥି ନିମନ୍ତେ ଯୋଜନା ପ୍ରସ୍ତୁତ କରନ୍ତୁ।
କୋଇଲା ରୟାଲିଟି ବୃଦ୍ଧି ପାଇଁ ରାଜ୍ୟର ଦାବି ପ୍ରସଙ୍ଗ : ଡିଏମ୍ଏଫ୍ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ମାଗିଲା ବିଜେପି
/sambad/media/post_attachments/wp-content/uploads/2019/11/coal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)