ସୁନ୍ଦରଗଡ଼: ଏମ୍ସିଏଲ୍ କ୍ଷେତ୍ର ଅଧୀନ ଗୋପାଳପୁର କୁଲାପଡ଼ା-ତେଲେନଡିହି ଜଙ୍ଗଲରେ ୧୦୦ରୁ ଅଧିକ ଚୋରା କୋଇଲା ଖଣି ଓ ଷ୍ଟକୟାର୍ଡ ଠାବ ହେବା ପରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗର ନିଦ ଉଡ଼ିଯାଇଛି। ବର୍ଷବର୍ଷ ଧରି ମାଫିଆମାନେ ଜଙ୍ଗଲ ଭିତରେ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରା ଚାଲାଣ କରି ଆସୁଛନ୍ତି। ଏ ସଂପର୍କରେ ପ୍ରଶାସନ, ଖଣି ଓ ରାଜସ୍ବ ବିଭାଗ ପାଖରେ ଖବର ଥିଲେ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସ୍ଥିତିରେ ଖଣିଜ ଲୁଟ୍କୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ୩ ଦିନ ମଧ୍ୟରେ ଚୋରା ଖଣି ଠାବ ସହ ଅଞ୍ଚଳର ସମସ୍ତ କୋଲ୍ ୱାସେରି ଓ କୋଇଲା ଡିପୋକୁ ଯାଞ୍ଚ କରି ଷ୍ଟକ୍ର ହିସାବ ନେବା ପାଇଁ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଲେନଡିହିର ବିଶାଳ ଚୋରା ଖଣିରୁ କୋଇଲା ବାହାର ରାଜ୍ୟ ସହ ସ୍ଥାନୀୟ କୋଲ୍ ୱାସେରି ଓ କୋଇଲା ଡିପୋମାନଙ୍କୁ ଯାଉଥିବା ସନ୍ଦେହ ହେବାରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।
କୋଲ୍ ୱାସେରି, ଡିପୋ ଯାଞ୍ଚ ନିର୍ଦ୍ଦେଶ
ଡିଡିଏମ୍ଙ୍କୁ ରିପୋର୍ଟ ତଲବ
ମିଳିତ ଟିମ୍ର ଚଢ଼ଉ, ସ୍ପଞ୍ଜ କାରଖାନାରେ ଯାଞ୍ଚ
ଯଦି ହିସାବରୁ ଅଧିକ କୋଇଲା ବାହାରିଲା, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ତେଲେନଡିହି ପରେ ରତନସରା ଓ ଭୋଗ୍ରାକଛାର ଅଞ୍ଚଳରେ ମଧ୍ୟ ଚୋରା କୋଇଲା ଖଣି ଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର, ହେମଗିର ତହସିଲଦାର ସାରିକାରାଣୀ ଧମେଲ, ଲେଫ୍ରିପଡ଼ା ତହସିଲଦାର ଇଜିଲୁସ୍ ବିନୟ କୁଲୁ, ହେମଗିର ଥାନାଧିକାରୀ ଚିତ୍ତରଞ୍ଜନ ନାଏକ, ଗୋପାଳପୁର ବନାଞ୍ଚଳ ଅଧିକାରୀ ହରିହର ପାତ୍ର ଓ ପୁଲିସ ଟିମ୍ ମଙ୍ଗଳବାର ସେ ଅଞ୍ଚଳକୁ ଯାଇ ଦିନତମାମ ଚଢ଼ଉ କରିଥିଲେ। ରତନସରାରେ ଜଙ୍ଗଲ ଜମିରେ ଖଣି ଖୋଳା ଯାଇ ନିକଟସ୍ଥ ଜାମକାନି ସଂରକ୍ଷିତ ଜଙ୍ଗଲରେ ଷ୍ଟକୟାର୍ଡ କରି ଶତାଧିକ ଟନ୍ କୋଇଲା ଜମା କରାଯାଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରୁ କୋଇଲା ଖୋଳା ଯାଇ ଜଙ୍ଗଲ ମଝିରେ ଷ୍ଟକ୍ କରାଯାଉଛି, ଯେମିତି କେହି ଜାଣି ପାରିବେ ନାହିଁ। ସେହିପରି ଭୋଗ୍ରାକଛାରରେ ମଧ୍ୟ ଖଣି ଓ ଷ୍ଟକୟାର୍ଡ ଠାବ କରିଥିଲା ଟିମ୍। ଶହେରୁ ଅଧିକ ଟନ୍ କୋଇଲା ଜବତ ହୋଇଥିବାବେଳେ ସେସବୁକୁ ସେଠାରୁ ସ୍ଥାନାନ୍ତର କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ପୋଡ଼ାଜଲଙ୍ଗା ସ୍ପଞ୍ଜ ଆଇରନ୍ କାରଖାନାରେ ଚଢ଼ଉ କରି ଉପଜିଲ୍ଲାପାଳ ଷ୍ଟକ୍ ଯାଞ୍ଚ କରିଥିଲେ।
ମାଫିଆଙ୍କ ପାଖରେ କେବେ ପହଞ୍ଚିବ ପ୍ରଶାସନ!
ସୁନ୍ଦରଗଡ଼: ଏମ୍ସିଏଲ ଖଣି କ୍ଷେତ୍ର ଗୋପାଳପୁର ନିକଟ କୁଲାପଡ଼ା-ତେଲେନଡିହି ଜଙ୍ଗଲରେ ବଡ଼ଧରଣର ଚୋରା ଖଣି ଠାବ କରିଥିଲା ‘ସମ୍ବାଦ’ ଓ କନକ ନ୍ୟୁଜ’ ଟିମ୍। ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି କିପରି ମାଫିଆମାନେ କଳାହୀରାର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରି ଶତାଧିକ ଖଣିରୁ ହଜାର ହଜାର ଟନ୍ କୋଇଲା ଲୁଟି ଚାଲିଥିଲେ, ଆଖି ଖୋସିଦେଲା ଭଳି ଚିତ୍ର ସାମନାକୁ ଆଣିଥିଲା। ଏହା ପରେ ଖଣି ବିଭାଗ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ମାଫିଆମାନେ ତେଲେନଡିହି ଜଙ୍ଗଲରୁ ରତନସରା, ଭୋଗ୍ରାକଛାର ଯାଏ କିଲୋମିଟର କିଲୋମିଟର ବ୍ୟାପି ଚୋରା ଖଣି ଖୋଳି ଶହ ଶହ ଟନ୍ କୋଇଲା ଚୋରାଚାଲାଣ କରୁଥିବା ଦେଖାଯାଇଛି। ଜେସିବି, ପୋକ୍ଲିନ ଲଗାଇ ମାଫିଆ ଉପର ମାଟି କାଢ଼ି ଦେବା ପରେ ମାତ୍ର କିଛି ଫୁଟ୍ ତଳେ ଥିବା କୋଇଲା ଉତ୍ତୋଳନ କରି ହାଇୱା ଯୋଗେ ଚୋରାଚାଲାଣ କରୁଥିବା ଜଣାପଡ଼ିଛି। ଆଗକୁ ଚତୁର୍ଧାରା ନାଳ କଡ଼େ କଡ଼େ ଚୋରା ଖଣି ଲମ୍ବି ଯାଇଥିବା ସୂଚନା ରହିଛି। ମାସେ କି ବର୍ଷେ ନୁହେଁ, ପ୍ରାୟ ୨୦ ବର୍ଷ ଧରି କୋଇଲା ଚୋରି ଚାଲିଛି। କିନ୍ତୁ ପ୍ରଶାସନ ଚୋରା ଖଣିରେ ଚଢ଼ଉ ଓ ହେମଗିରର ପୂର୍ବତନ ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ କାରଣଦର୍ଶାଅ ନୋଟିସ ପଠାଇବା ବ୍ୟତୀତ ଏଯାଏଁ ଅନ୍ୟ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପ୍ରଶାସନ ଜଣେ ରାଜନେତାଙ୍କ ସହ ୧୦ ଜଣ ମାଫିଆଙ୍କ ତାଲିକା ପ୍ରସ୍ତୁତ କରିଥିବାର ସୂଚନା ରହିଥିଲେ ମଧ୍ୟ କାହା ପାଖରେ ପହଞ୍ଚିପାରି ନାହିଁ।