ଲିଙ୍ଗରାଜ କୋଇଲା ଖଣିରେ କଳା କାରବାର : କୋଟି କୋଟି ଟଙ୍କାର କୋଇଲା ଲୁଟ୍‌!

ଅନୁଗୁଳ : ଏମ୍‌ସିଏଲ୍‌ କୋଇଲା ଖଣି ଦ୍ବାରା ପରିଚାଳିତ ତାଳ‌ଚେରର ଲିଙ୍ଗରାଜ କୋଇଲା ଖଣି ଏବେ କେତେକ ମୁଷ୍ଟିମେୟ ଟ୍ରକ୍ ମାଲିକଙ୍କ କବ୍‌ଜାରେ ରହିଥିବା ଜଣାପଡ଼ିଛି। ‌କେତେକ ପ୍ରଭାବଶାଳୀ ଟ୍ରକ୍ ମାଲିକ ‘ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ’ ବ୍ୟବସ୍ଥାକୁ ବେଖାତିର କରୁଥିବାବେଳେ ଡିମାଣ୍ଡ ଅର୍ଡର(ଡିଓ) ସ୍ଲିପ ବଣ୍ଟନ କାର୍ଯ୍ୟରେ ଘରୋଇ ବ୍ୟକ୍ତି ନିୟୋଜିତ ହେବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଏଥସହିତ, ପ୍ରତି ମାସ କୋଟିକୋଟି ଟଙ୍କାର କୋଇଲା ବି ଲୁଟ୍‌ ହେଉଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଲିଙ୍ଗରାଜ କୋଇଲା ଖଣି ଭିତରକୁ ଭାରୀଯାନ ପ୍ରବେଶ ପାଇଁ ପ୍ରଥମେ ଖଣି ତରଫରୁ ଏକ ଟୋକନ୍‌ ଦିଆଯାଇଥାଏ। ଉକ୍ତ ଭାରୀଯାନ ଚାଳକ ଟୋକନ୍ ନେଇ ଖଣି ମୁଖ୍ୟ ଫାଟକ ଭିତରକୁ ପ୍ରବେଶ କରିଥାନ୍ତି। ପରବର୍ତ୍ତୀ ଫାଟକରେ ଉକ୍ତ ଭାରୀଯାନକୁ ଟୋକନ୍‌ କ୍ରମଅନୁଯାୟୀ ଏକ ଡିଓ ସ୍ଳିପ୍ ଦିଆଯାଇଥାଏ। ଉକ୍ତ ଡିଇଓ ସ୍ଲିପ୍ ଦେଖାଇଲେ ଖଣି ଭିତରୁ ଯିବାକୁ ଅନୁମତି ମିଳିଥାଏ। କୋଇଲା ବୋଝେଇ ପରେ ଗନ୍ତବ୍ୟ ଅଭିମୁଖେ ଗାଡ଼ି ବାହାରିଥାଏ। ଖଣି କର୍ତ୍ତୃପକ୍ଷ ବିଭିନ୍ନ ଶିଳ୍ପସଂସ୍ଥାକୁ ପ୍ରତିଦିନର କୋଇଲା ଅନୁମୋଦିତ ହୋଇଥିବା ପରିମାଣ(କୋଇଲା ଟନ୍ ହିସାବରେ) ଅନୁଯାୟୀ ଡିଓ ସ୍ଲିପ୍‌ ମଧ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ, ଲିଙ୍ଗରାଜ କୋଇଲା ଖଣିରେ ଅନୁମୋଦିତ ପରିମାଣଠାରୁ କେତେକ ଗାଡ଼ି ଅଧିକ ଡିଓ ନେଇ ଖଣି ଭିତରକୁ ପ୍ରବେଶ ସହିତ କୋଇଲା ଚୋରାଚାଲଣ କରୁଥିବା ଅଭିଯୋଗ ହୋଇଛି।

ଗତ ୨ ତାରିଖ ଦିନ ‘ସମ୍ବାଦ’ର ଏକ ଟିମ୍‌ ଲିଙ୍ଗରାଜ କୋଇଲା ଖଣିର ଡିଓ ସ୍ଲିପ୍‌ ଦିଆଯାଇଥିବା ସ୍ଥାନକୁ ଅନୁସନ୍ଧାନ ପାଇଁ ଯାଇଥିଲା। ଅନୁସନ୍ଧାନ ବେଳେ ଡିଓ ସ୍ଲିପ୍‌ ଦେଉଥିବା କେତେକ କର୍ମଚାରୀ ପ୍ରତିଦିନ ୩/୪ଟି ଗାଡ଼ିକୁ ବେଆଇନ୍‌ ଭାବେ ଖଣି ଭିତରୁ ପଠାଉଥିବା ଜଣାପଡ଼ିିଥିଲା। ଏପରିକି, ଜଣେ ଖଣି କର୍ମଚାରୀ କହିଥିଲେ, ଖଣି ପକ୍ଷରୁ ଗତକାଲି ୧୬ଟି ଡିଓ ସ୍ଲିପ୍ ଆସିଥିଲା। କିନ୍ତୁ, ଖଣି ଭିତରକୁ ଏକ ନର୍ଦ୍ଦିଷ୍ଟ କାରଖାନାର ୧୬ଟି ଗାଡ଼ି ପରିବର୍ତ୍ତେ ୧୯ଟି ଗାଡ଼ି କୋଇଲା ଖଣି ଭିତରକୁ ପ୍ରବେଶ କରିଥିଲା। ବେଆଇନ ଭାବେ ଉକ୍ତ ୩ଟି ଗାଡ଼ି କୋଇଲା ନେଇ ଖଣିରୁ ବାହାରିଥିଲା। ଏହି ଘଟଣା କେବଳ ଗତକାଲିର ନୁ‌େହଁ, ପ୍ରତିଦିନ ଏଭଳି ହେଉଥିବା କେତେକ ଗାଡ଼ିମାଲିକ ଅଭିଯୋଗ କରିଛନ୍ତି। ଡିଓ ସ୍ଲିପ୍ କେବଳ ଖଣି କର୍ମଚାରୀ ଦେଇ ପାରିବେ। କିନ୍ତୁ, ଲିଙ୍ଗରାଜ କୋଇଲା ଖଣିରେ ନିଯୁକ୍ତ କର୍ମଚାରୀଙ୍କ ବ୍ୟତୀତ ଦୁଇ ଜଣ ବାହାରିଆ ବ୍ୟକ୍ତି ଡିଓ ସ୍ଲିପ୍ ଦେଉଥିବା ଜଣାପଡ଼ିଛି। ସଂପୃକ୍ତ ବ୍ୟକ୍ତିମାନେ ପ୍ରତି ଡିଓ ସ୍ଲିପ୍ ପିଛା ୨୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଉକ୍ତ ୩ଟି ଗାଡ଼ିରେ ‌ଚୋରାରେ ଲକ୍ଷାଧିକ ଟଙ୍କାର କୋଇଲା ପାର୍ ହୋଇଯାଇଛି। ଏହି କାରବାରରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହୁଛି। ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗାଡ଼ି ବେଆଇନ ଭାବେ ଖଣିକୁ ପ୍ରବେଶ କରୁଛି। କୋଇଲା ଖଣିର କେତେକ ଅସାଧୁ ଅଧିକାରୀଙ୍କ ଜ୍ଞାତସାରରେ ଏସବୁ ଚାଲିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ପ୍ରତିଦିନ ଯଦି ୩/୪ଟି କୋଇଲା ବୋଝେଇ ଗାଡ଼ି ନକଲି ଡିଓ ସ୍ଲିପ୍ ଦେଇ ଖଣି ଭିତରକୁ ପ୍ରବେଶ କରୁଛି, ତାହେଲେ ପ୍ରତି ମାସ କୋଟି କୋଟି ଟଙ୍କାର କୋଇଲା ଲୁଟ୍ ହେବା ସ୍ବାଭାବିକ। ଏନେଇ ଲିଙ୍ଗରାଜ ଖଣି ପ୍ରକଳ୍ପ ଅଧିକାରୀ ଏ.କେ ଦେହୁରୀଙ୍କ ସହିତ ମୋବାଇଲ ଫୋନ୍ ଯୋଗେ ଯୋଗାଯୋଗ ପାଇଁ ବାରଂବାର ଚେଷ୍ଟା କରାଯାଇଥିଲେହେଁ ସେ କଲ୍ ରିସିଭ୍ ନକରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର