କୋଇଲା ଖଣି କ୍ଷତିପୂରଣ ହାତେଇବାକୁ କାରସାଦି; ସନ୍ଦେହରେ ଅସାଧୁ ତହସିଲ କର୍ମଚାରୀ

ସୁନ୍ଦରଗଡ଼/ହେମଗିର: ହେମଗିର ତହସିଲ ଅଞ୍ଚଳରେ କୋଇଲା ଖଣି କ୍ଷତିପୂରଣ ହାତେଇବାକୁ ଚାଲିଛି ସାଂଘାତିକ କାରସାଦି। ଜମି ଅଧିଗ୍ରହଣରେ କୋଟି କୋଟି ଟଙ୍କାର କ୍ଷତିପୂରଣ ମିଳିବାକୁ ଥିବାରୁ ଜମି ଦଲାଲମାନେ ପ୍ରସ୍ତାବିତ ଖଣି ଅଞ୍ଚଳରେ ବିଛାଇଛନ୍ତି ଜାଲ୍। ଗୋଚର, ଜଳଚର, ଅନାବାଦି ସରକାରୀ ଜମି ସହ ରୟତି ଜମି ଉପରେ ବି ପକାଇଛନ୍ତି ନଜର। କୌଣସି ମତେ ଜମିକୁ ନିଜ ନାମରେ କରାଇ ମୋଟା ଅଙ୍କର କ୍ଷତିପୂରଣ ମାରିନେବାକୁ ଚଲାଇଛନ୍ତି ଉଦ୍ୟମ। ତହସିଲ କର୍ମଚାରୀଙ୍କୁ ହାତ କରି କେଉଁଠି ଜମି ସହ କୌଣସି ସମ୍ପର୍କ ନଥିବା ଲୋକଙ୍କ ନାମରେ ସତ୍ତ୍ବ ସଂଶୋଧନ ଉଦ୍ୟମ ତ କେଉଁଠି ମିଛ ବଂଶାବଳୀ ରିପୋର୍ଟ ପ୍ରସ୍ତୁତ କରାଯାଇଥିବାର ସାଂଘାତିକ ଅଭିଯୋଗ। ଏହିକ୍ରମରେ କିଛି ଦିନ ତଳେ ହେମଗିର ତହସିଲର ବିଜାହାନ ଗାଁର ବାସୁଦେବ ମହାପ୍ରଭୁଙ୍କ ଜମି ହଡ଼ପ ମସୁଧା କଥା ସାମ୍ନାକୁ ଆସିଥିଲା।

ଆଦାନୀକୁ ଆବଣ୍ଟିତ ବିଜାହାନ କୋଇଲା ଖଣି ପ୍ରକଳ୍ପରେ ବିଜାହାନ ଗାଁ ଅଧିଗ୍ରହଣ ହେବାକୁ ଥିବାବେଳେ ବାସୁଦେବ ମହାପ୍ରଭୁଙ୍କ ୨ ଏକର ୩୧ ଡିସିମିଲ ଜମିକୁ କୌଣସି ମତେ ନିଜ ନାମରେ କରିନେବାକୁ ଦଲାଲମାନେ ରଚିଥିଲେ କାରସାଦି। ଅସାଧୁ ତହସିଲ କର୍ମଚାରୀଙ୍କୁ ହାତ କରି ଜାଲ କାଗଜପତ୍ର ଜରିଆରେ ଜଣେ ବ୍ୟକ୍ତିଙ୍କ ନାମରେ ଏହି ଖାତାର ୨ୟ କଲମ ବା ସତ୍ତ୍ବ ସଂଶୋଧନ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବାସୁଦେବ ମହାପ୍ରଭୁଙ୍କ ଜମିର ପ୍ରକୃତ ତତ୍ତ୍ବାବଧାରକ ଥିବା ବିଜାହାନ ଗାଁର ତିନି ଭାଇ ଗଣେଶ ପଧାନ, ବଂଶୀଧର ପଧାନ ଓ ବିହାରୀ ପଧାନ ଏହା ଜାଣିପାରି ତହସିଲଦାରଙ୍କ ନିକଟରେ ସତ୍ତ୍ବ ସଂଶୋଧନ ଆବେଦନ ଖାରଜ ପାଇଁ ଦାବି କରିଥିଲେ। ଉକ୍ତ ଖାତାର ସତ୍ତ୍ବାଧିକାରୀ ସ୍ବର୍ଗତ ଲାଏବାନ ଭୋଏ (ଅଭିଯୋଗକାରୀଙ୍କ ବାପାଙ୍କ ମାଇଁ) ତାଙ୍କ ଜୀବିତ ଅବସ୍ଥାରେ ଗତ ୧୯୭୩ ମସିହାରେ ଦାନ ସୂତ୍ରରେ ବାସୁଦେବ ମହାପ୍ରଭୁଙ୍କ ନାମରେ ପଞ୍ଜିକୃତ ପଟ୍ଟା କରି ଦେଇଥିଲେ।

ସେହି ଦିନଠାରୁ ୩ ଭାଇ ଉକ୍ତ ଜମି ଦଖଲ କରି ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଜମି ଦଲାଲମାନେ ଏହି ଜମି ସହିତ କୌଣସି ସତ୍ତ୍ବ ସଂପର୍କ ନଥିବା ଜଣେ ବ୍ୟକ୍ତିଙ୍କ ନାମରେ ଏହାର ୨ୟ କଲମ ସଂଶୋଧନ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଅଭିଯୋଗ ପରେ ତହସିଲଦାର ଏହାର ତଦନ୍ତ କରି ଆବେଦନକୁ ଖାରଜ କରି ଦେଇଥିଲେ। କିନ୍ତୁ ଦଲାଲମାନେ ଚୁପ୍ ବସି ଯାଇନାହାନ୍ତି। ସେ ବ୍ୟକ୍ତି ଜରିଆରେ ସତ୍ତ୍ବ ସଂଶୋଧନ ପାଇଁ ପୁଣି ଆବେଦନ କରିଛନ୍ତି। କୌଣସି ମତେ ଥରେ ଜମିର ସତ୍ତ୍ବ ସଂଶୋଧନ ହୋଇଗଲେ, ସବୁ କ୍ଷତିପୂରଣ ଟଙ୍କା ସେମାନଙ୍କ ଖାତାକୁ ଆସିବାରେ କେହି ରୋକିପାରିବେ ନାହିଁ। ଏହା ମଧ୍ୟରେ ଖଣି କ୍ଷତିପୂରଣ ହାତେଇବାର ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି। ମିଛ ବଂଶାବଳୀ ରିପୋର୍ଟ ପ୍ରସ୍ତୁତ କରି ଜମି ଟଙ୍କା ହଡ଼ପ କରିବାକୁ ମସୁଧା ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ, ଜାମକାନି ଗାଁର ଖାତା ନଂ-୫୪ର ପ୍ରକୃତ ଉତ୍ତରାଧିକାରୀ ହେଉଛନ୍ତି ପ୍ରେମ ସିଂ କାୱାର । କିନ୍ତୁ ଦଲାଲମାନଙ୍କ ପ୍ରରୋଚନାରେ ରାଜସ୍ବ ନିରୀକ୍ଷକ ଅତି ଚତୁରତାର ସହ ଉକ୍ତ ଖାତାର ମିଛ ବଂଶାବଳୀ ରିପୋର୍ଟ ପ୍ରସ୍ତୁତ କରି ଅନ୍ୟ ଜଣକୁ ଉତ୍ତରାଧିକାରୀ ବୋଲି ଦର୍ଶାଇବାକୁ ଉଦ୍ୟମ କରିଛନ୍ତି। ଯେଉଁ ମହିଳାଙ୍କୁ ବଂଶାବଳୀ ରିପୋର୍ଟରେ ସ୍ଥାନ ଦିଆଯାଇଛି, ଖାତାଧାରୀଙ୍କ ସହ ସମ୍ପୃକ୍ତ ମହିଳାଙ୍କ କୌଣସି ରକ୍ତଗତ ସମ୍ପର୍କ ନାହିଁ।

ବିନା ତଦନ୍ତରେ ବଂଶାବଳୀ ରିପୋର୍ଟ ଉପସ୍ଥାପନ କରାଯାଇଛି। ଯେଉଁମାନେ ସାକ୍ଷୀ ରୂପେ ଦସ୍ତଖତ ବା ଟିପଚିହ୍ନ ଦେଇଛନ୍ତି, ସେମାନେ ଜାମକାନି ଗାଁର ନୁହନ୍ତି। ସେହିପରି ୧୨ ବର୍ଷ ତଳେ ମୃତ୍ୟୁ ହୋଇଥିବା ସୁଖରାମ କୁଅଁରଙ୍କୁ ସାକ୍ଷୀ ଭାବେ ଉପସ୍ଥାପିତ କରାଯାଇଥିବାରୁ ଚଞ୍ଚକତା ଜଳଜଳ ଦିଶୁଛି ବୋଲି କହିଛନ୍ତି ପ୍ରେମ ସିଂ। ଅନ୍ୟପଟେ ଜାମକାନି କୋଇଲା ଖଣି ଭୂଷଣକୁ ଆବଣ୍ଟିତ ହୋଇଥିବା ସମୟରେ ମଧ୍ୟ ଉକ୍ତ ମହିଳା ଜମି ଉପରେ ତା’ ଭାଗ ଥିବା କହି କ୍ଷତିପୂରଣ ମାଗିଥିଲା। କିନ୍ତୁ ସେତେବେଳେ ରାଜସ୍ବ ବିଭାଗ କର୍ମଚାରୀ ଗାଁକୁ ଆସି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ। ଏବେ ବେଦାନ୍ତକୁ ଖଣି ଆବଣ୍ଟିତ ହେବା ପରେ ସମାନ ଉପାୟରେ କ୍ଷତିପୂରଣ ହାେତେଇବାକୁ ମହିଳାଙ୍କ ମାଧ୍ୟମରେ ଦଲାଲମାନେ ଜାଲସାଦି କରିଥିବା ପ୍ରେମ ସିଂ ଅଭିଯୋଗ କରିଛନ୍ତି। ତଦନ୍ତ କରି ଏ କାରସାଦିର ପର୍ଦ୍ଦାଫାସ ପୂର୍ବକ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ଓ ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର