କୋଇଲା ଅଭାବ ଯୋଗୁଁ କଣିହାଁର ଦୁଇ, ଥର୍ମାଲ୍‌ର ୩ ୟୁନିଟ୍‌ ବନ୍ଦ, ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ

କଣିହାଁ : ଏସିଆ ମହାଦେଶର ଦ୍ବିତୀୟ ବୃହତ୍‌ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର କୁହାଯାଉଥିବା ଅନୁୁଗୁଳ ଜିଲ୍ଲା କଣିହାଁ ଏନ୍‌ଟିପିସି ପ୍ଲାଣ୍ଟରେ ଏବେ ସାଂଘାତିକ ଅବସ୍ଥା। କୋଇଲା ଅଭାବ ଯୋଗୁଁ ପ୍ଲାଣ୍ଟର ୨ଟି ୟୁନିଟ୍‌ ବନ୍ଦ ହୋଇଯାଇଛି। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ପରିସ୍ଥିତିରେ ସୁଧାର ନଆସିଲେ ଦେଶର ୧୭ଟି ରାଜ୍ୟରେ ବିଦ୍ୟୁତ୍‌ ସଂକଟ ହେବା ନିଶ୍ଚିତ ବୋଲି କୁହାଯାଉଛି।

କଣିହାଁ ଏନ୍‌ଟିପିସି ପ୍ଲାଣ୍ଟ‌େର ୬ଟି ୟୁନିଟ୍‌ ରହିଛି। ସବୁ ୟୁନିଟ୍ ଚଳାଇବା ପାଇଁ ଦୈନିକ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। ପ୍ରତ୍ୟେକ ୟୁନିଟ୍‌ର ବିଦ୍ୟୁତ ଉତ୍ପାଦନ କ୍ଷମତା ହେଉଛି ୫୦୦ ମେଗାୱାଟ। ସବୁ ୟୁନିଟ୍‌ କାର୍ଯ୍ୟକ୍ଷମ ହେଲେ ୩ ହଜାର ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ। ଜରୁରୀକାଳୀନ ସ୍ଥିତିର ମୁକାବିଲା ନିମନ୍ତେ ପ୍ଲାଣ୍ଟର ଷ୍ଟକ୍‌ୟାର୍ଡ଼ରେ ଅନ୍ୟୂନ ୩୫ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ କୋଇଲା ସଂରକ୍ଷିତ ରଖାଯାଇଥାଏ। ଥଇଥାନ, ନିଯୁକ୍ତି ଆଦି ଦାବି ନେଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ କଣିହାଁ ଖୋଲାମୁହଁ କୋଇଲା ଖଣିର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଷ୍ଟକ୍‌ୟାର୍ଡର କୋଇଲା ବ୍ୟବହାର କରାଯାଉଥିଲା। ଷ୍ଟକ୍‌ୟାର୍ଡ‌େର ଥିବା କୋଇଲା ଆଜି ସଂପୂର୍ଣ୍ଣ ଶେଷ ହୋଇଯାଇଛି।

ଜରୁରୀ ସ୍ଥିିତିର ମୁକାବିଲ ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଜିଲ୍ଲା ଓ ଅନ୍ୟ ରାଜ୍ୟରୁ ୧୦ ହଜାର ମେଟ୍ରିକ ଟନ୍‌ କୋଇଲା ଆଣିଥିଲେ। ଅପରପକ୍ଷରେ, ତାଳଚେର ଲିଙ୍ଗରାଜ କୋଇଲା ଖଣି ଓ କଣିହାଁ ଖୋଲାମୁହଁ କୋଲଲା ଖଣିରୁ ଏବେ ବି ପର୍ଯ୍ୟାପ୍ତ କୋଇଲା ଉତ୍ପାଦିତ ହେଉନାହିଁ। ଏଭଳି ସ୍ଥତିରେ ଏନ୍‌ଟିପିସି ବାଧ୍ୟ ହୋଇ ୨ଟି ୟୁନିଟ୍‌ ବନ୍ଦ କରି ଦେଇଛି। ୫ ଦିନ ତଳେ ଗୋଟିଏ ୟୁନିଟ୍‌ ବନ୍ଦ କରିଥିବାବେଳେ ରବିବାର ଆଉ ଗୋଟିଏ ୟୁନିଟ୍‌ ବନ୍ଦ କରିଛି। କୋଇଲା ସଂକଟ ଯୋଗୁଁ ଅନ୍ୟ ୟୁନିଟ୍‌ଗୁଡ଼ିକରୁ କ୍ଷମତା ମୁତାବକ ବିଦ୍ୟୁତ ଉତ୍ପାଦନ ହୋଇପାରୁ ନାହିଁ। ୩ ହଜାର ମେଗାୱାଟ ସ୍ଥାନରେ ଏବେ ମାତ୍ର ୧୨ ଶହ ମେଗାୱାଟ ବିଦ୍ୟୁତ୍‌ ଏଠାରେ ଉତ୍ପାଦିତ ହେଉଛି। ଏହି ପ୍ଲାଣ୍ଟ୍‌ରୁ ଦକ୍ଷିଣ, ପୂର୍ବ ଓ ଉତ୍ତର ଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଣ କରାଯାଉଛି। ଏଠାରୁ ଓଡ଼ିଶାକୁ ୫୩୦ ମେଗାୱାଟ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ। ୨ଟି ୟୁନିଟ୍‌ ବନ୍ଦ ହେବା ପରେ ମାତ୍ର ୨୫୦ ମେଗାୱାଟ ବିଦ୍ୟୁତ୍‌ ଓଡ଼ିଶାକୁ ଦିଆଯାଉଛି। କୋଇଲା ଅଭାବ ତୁରନ୍ତ ଦୂର କରାନଗଲେ କଣିହାଁ ଏନ୍‌ଟିପିସି ପ୍ଲାଣ୍ଟ ସଂପୂର୍ଣ୍ଣ ବନ୍ଦ ହେବା ସହ ଦେଶରେ ବିଦ୍ୟୁତ୍‌ ସଂକଟ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର