ନାଲକୋନଗର : ନାଲ୍‌କୋର ଅନୁଗୁଳ ପ୍ଲାଣ୍ଟରୁ ୧୦ ଦିନ ହେଲା ପାଉଁଶ ନିଷ୍କାସନ ବନ୍ଦ ରହିଛି। ଏଠାକୁ କୋଇଲା ଯୋଗାଣ ମଧ୍ୟ ବନ୍ଦ ରହିଛି। କାରଖାନା ଏବେ ସଂକଟର ସମ୍ମୁଖୀନ ହୋଇଛି। ତୁରନ୍ତ ପ୍ରତିକାର କରାନଗଲେ ପ୍ଲାଣ୍ଟ୍‌ ବନ୍ଦ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି। ଏ ଘଟଣାରେ ହସ୍ତକ୍ଷେପ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ମୁଖ୍ୟମନ୍ତ୍ରୀ, ବିଭାଗୀୟ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ନାଲ୍‌କୋ ଅଫିସର୍ସ ସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ନାଲ୍‌କୋ ସିପିପିର ୧୦ଟି ୟୁନିଟ୍‌ରୁ ଏବେ ୫ଟିରୁ ବିଦ୍ୟୁତ୍‌ ଉତ୍ପାଦିତ ହେଉଛି। ସିପିପି ପ୍ଲାଣ୍ଟରୁ ଲିନ୍‌ସ୍ଲରି ପ୍ରକଳ୍ପରେ ପାଉଁଶ ନିଷ୍କାସିତ ହୋଇପାରୁନାହିଁ।

Advertisment

ଅନ୍ୟପକ୍ଷରେ ଆନ୍ଦୋଳନ ଯୋଗୁଁ ତାଳଚେର ଭରତପୁର କୋଇଲା ଖଣିରୁ ଟ୍ରେନ୍‌ରେ ନାଲ୍‌କୋକୁ କୋଇଲା ଯୋଗାଣ ବନ୍ଦ ରହିଛି। ଯେତିକି କୋଇଲା ଗଚ୍ଛିତ ଅଛି, ସେଥିରେ ଆଉ ପ୍ରାୟ ଏକ ସପ୍ତାହ ପ୍ଲାଣ୍ଟ ଚାଲିବ। ସିପିପିରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁଁ ସ୍ମେଲଟର୍‌ ପ୍ଲାଣ୍ଟର ଆବଶ୍ୟକତା ଭରଣା ପାଇଁ ନାଲକୋ ରାଜ୍ୟ ଗ୍ରିଡ୍‌ଠାରୁ ଅଧିକ ଦରରେ ବିଦ୍ୟୁତ୍‌ କିଣୁଛି। ଦୈନିକ ୪ ହଜାର ମେଗାୱାଟ୍‌ ବିଦ୍ୟୁତ୍‌ କିଣାଯାଉଛି, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ସ୍ମେଲ୍‌ଟର୍‌ ପ୍ଲାଣ୍ଟର ୯୫୦ଟି ପଟ୍‌ ରହିଛି। ପ୍ରତି ପଟ୍‌ ଚାଲିବା ପାଇଁ ୧୮୫ ଆମ୍ପିୟର୍‌ ବିଦ୍ୟୁତ୍‌ ଆବଶ୍ୟକ। ବିଦ୍ୟୁତ୍‌ ଅଭାବ ଯୋଗୁଁ ଗୋଟିଏ ପଟ୍ ବନ୍ଦ କରାଗଲେ, ତାହା ପୁନର୍ବାର କାର୍ଯ୍ୟକ୍ଷମ ହେବା ପାଇଁ ୩ରୁ ୬ମାସ ସମୟ ଲାଗିବ ଓ ଏଥିପାଇଁ ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି।

ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ୍, ଆଲୁମିନିୟମ ମଜୁଦୁର ସଂଘ, ନାଲ୍‌କୋ ଅଫିସର୍‌ ସଂଘ ପକ୍ଷରୁ ବିଭିନ୍ନ ଫୋରମ୍‌ରେ ନାଲ୍‌କୋର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ନାଲ୍‌କୋ ଅଫିସର୍ସ ସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ବନମାଳୀ ସେଠୀ, ସାଧାରଣ ସମ୍ପାଦକ ନଳିନୀକାନ୍ତ ପଣ୍ଡା, ଉପସଭାପତି କିଶୋର ବେହେରା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଆଲୁମିନିୟମ୍‌ ମଜଦୁର ସଂଘ କର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ ଅହେତୁକ ଧର୍ମଘଟ ଯୋଗୁଁ ନାଲକୋର ଅଚଳାବସ୍ଥା ସୃଷ୍ଟି କରୁଥିବା ଲୋକପ୍ରତିନିଧିଙ୍କୁ  ତୀବ୍ର ନିନ୍ଦା କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ମୁନା ସାମଲ, ସାଧାରଣ ସମ୍ପାଦକ ବିନୋଦ ସାମଲ, ସଂଜୟ ଦେହୁରୀ,  ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।