ରାଉରକେଲା: ଇସ୍ପାତ ସହରରେ କୋଇଲା ମାଫିଆଙ୍କ ଦବ୍ଦବା ସ୍ପଷ୍ଟ ପରିଲକ୍ଷିତ ହେଲାଣି। ବିଶେଷକରି ଆର୍ଏସ୍ପିକୁ ମାଲବାହୀ ଟ୍ରେନ୍ରେ ଆସୁଥିବା କୋଇଲା ଚୋରି ଓ ଏହାର ଚୋରାଚାଲାଣ ପଛରେ ବନ୍ଧମୁଣ୍ଡା ଅଞ୍ଚଳର ୩ ଜଣ ମାଫିଆ ଅଛନ୍ତି। ଏମାନଙ୍କ ନିୟନ୍ତ୍ରଣରେ ହିଁ ସମଗ୍ର ବେପାର ନିରଙ୍କୁଶଭାବେ ଚାଲିଛି। ଏମାନେ ହିଁ ପରଦା ପଛର ଖଳନାୟକ ଥିବାବେଳେ ଶୀତଳନଗର, ତିଲକାନଗରର ଲୋକ ମୋହରା ପାଲଟିଛନ୍ତି। ଏହି କୋଇଲା ଚୋରି ରାକେଟ୍ରେ ସଂପୃକ୍ତ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମାଫିଆମାନେ ଆଗୁଆ ଟଙ୍କା ଦେଉଛନ୍ତି। ଏହାପରେ ଏମାନେ ଟ୍ରେନ୍ରୁ କୋଇଲା ଚୋରି କରିବାପରେ ଟଙ୍କା ଆଣିଥିବା ମାଫିଆଙ୍କ ନିକଟରେ ବସ୍ତା ପିଛା ୮ଶହ/ହଜାରେ ଟଙ୍କାରେ ବିକ୍ରି କରୁଛନ୍ତି। ପଇସା ଲୋଭରେ ନିରୀହ ଲୋକ ଜୀବନକୁ ବାଜି ଲଗାଇ କୋଇଲା ଚୋରି ପ୍ରକ୍ରିୟାରେ ସାମିଲ ହେଉଛନ୍ତି।
ତେବେ କୋଇଲା ମାଫିଆଙ୍କ ସହ ସିଆଇଏସ୍ଏଫ୍, ଆର୍ପିଏଫ୍, ଆର୍ଏସ୍ପି କର୍ମଚାରୀ ବି ସାମିଲ ଥିବା ଅଭିଯୋଗ ହୁଏ। ପ୍ରକୃତରେ ଡିଜେଲ କଲୋନି ରେଲୱେ ବ୍ରିଜ୍ ପାଖରେ ଏହି କୋଇଲା ବୋଝେଇ ମାଲବାହୀ ଟ୍ରେନ୍ କ୍ରସିଂ/ସିଗ୍ନାଲ ପାଇଁ ଅଟକି ଥାଏ। ତେବେ ଟ୍ରେନ୍ ସେଠାରେ ଅଟକିବାର ଢ଼େର୍ ପୂର୍ବରୁ ଚୋରଙ୍କ ଏ ପାଖରେ ସୂଚନା ପହଞ୍ଚିଯାଏ। ନିର୍ଦ୍ଦିଷ୍ଟ କେତେବେଳେ ଓ କେତେ ସମୟ ପର୍ଯ୍ୟନ୍ତ ଉକ୍ତ ମାଲବାହୀ ଟ୍ରେନ୍ ସେଠାରେ ଅଟକି ରହିବ ତା’ର ବିସ୍ତୃତ ସୂଚନା ମାଫିଆଙ୍କ ଦ୍ବାରା ଏମାନଙ୍କୁ ଜଣାଯାଏ। ତଦନୁଯାୟୀ ଚୋରମାନେ ରେଳଧାରଣା ପାଖରେ ପହଞ୍ଚି ପୂର୍ବ ପ୍ରସ୍ତୁତ ସାରି ଟ୍ରେନ୍ ପହଞ୍ଚିବାମାତ୍ରେ ଚୋରିକାର୍ଯ୍ୟରେ ମାତିଆଯାଆନ୍ତି। ତେବେ ଏତେ ବିସ୍ତୃତ ତଥା ସଠିକ୍ ସୂଚନା କୋଇଲା ମାଫିଆଙ୍କ ପାଖରେ ପହଞ୍ଚେ କେମିତି; ତାହା ଆଉ କାହାକୁ ଅଛପା ନାହିଁ। କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ବନ୍ଧମୁଣ୍ଡା ରେଲୱେୟାର୍ଡରୁ ଆର୍ଏସ୍ପି ଭିତରକୁ ଯାଇଥାଏ। ତେବେ ରେଲୱେ ୟାର୍ଡରୁ ରେଳବାଇ କର୍ମଚାରୀଙ୍କ ବଦଳରେ ଆର୍ଏସ୍ପିରେ କାର୍ଯ୍ୟରତ ବିଭାଗୀୟ ଠିକା କର୍ମଚାରୀ ହିଁ କାରଖାନା ଭିତରକୁ ମାଲବାହୀ ଟ୍ରେନ୍କୁ ନେଇ ସେଠାରେ ଅନଲୋଡ୍ କରିଥାନ୍ତି। ଅନଲୋଡ୍ ଦାୟିତ୍ବରେ ଥିବା ଏହି ଠିକା କର୍ମଚାରୀ ହିଁ ଟ୍ରେନ୍ ଚଳାଚଳା/ରହଣୀ ବିଷୟରେ ମାଫିଆଙ୍କୁସୂଚନା ପ୍ରଘଟ କରିଥାନ୍ତି।
ଅପରପକ୍ଷରେ ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସ୍ଏଫ୍-ଆର୍ପିଏଫ୍ ଯବାନ ମଧ୍ୟ ସବୁ ଜାଣି ଚୁପ୍ ବସିଛନ୍ତି। ସମ୍ଭବତଃ କୋଇଲା ମାଫିଆଙ୍କ ସହ ଭିତିରିଆ ସନ୍ଧି କରି ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସ୍ଥାନୀୟ ପୁଲିସ ମଧ୍ୟ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଅଞ୍ଚଳରେ ଯାଞ୍ଚ ବି କରାଯାଉନି। ଏଭଳି କୋଇଲା ଚୋରି ଆଜିକାର ନୁହେଁ, ଏହା ଢ଼େର୍ ପୁରୁଣା। ତେବେ ପୂର୍ବାପେକ୍ଷା ଚୋରି କାରବାର ଆଶାତୀତ ବୃଦ୍ଧି ପାଇଛି। ଏଣୁ ଯଥାଶୀଘ୍ର ଆର୍ଏସ୍ପି କର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ନେଇ ବିପୁଳ ରାଜସ୍ବ ହାନୀ ଏଡ଼ାଇବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/020bbbf9-3625-43a8-95f7-cc52a24bb955.jpg)