କୋଇଲା ଟ୍ରେନ୍‌ରେ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ଷ୍ଟେସନର ୭ନଂ ପ୍ଲାଟଫର୍ମରେ ଥିବା କୋଇଲା ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ କର୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ରେଳ ବିଭାଗ କର୍ତୃପକ୍ଷଙ୍କ ତ୍ବରିତ ପଦକ୍ଷେପ ଯୋଗୁ ବଡ଼ଧରଣର ଅଗ୍ନିକାଣ୍ଡକୁ ଟାଳି ଦିଆଯାଇଛି। ତେବେ ଗତ ସପ୍ତାହକ ମଧ୍ୟରେ ଏହି ଟ୍ରେନରେ ଦୁଇ ଥର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ବିଶାଖାପାଟଣା ବନ୍ଦରରୁ କୋଇଲା ବୋଝେଇ କରି ରାୟଗଡା ଆସିଥିବା ଏହି ଟ୍ରେନ୍ ଗତ ୨୦ ଦିନ ହେଲା ୭ ନଂ ପ୍ଲାଟଫର୍ମରେ ଅଟକି ରହିଛି। ୨୨ଟି ୱାଗନରେ କୋଇଲା ବୋଝେଇ ହୋଇଥିବା ବେଳେ ଆଜି ଅପରାହ୍ନ ସାଢ଼େ ୧ଟାରେ ୱାଗନରୁ ଧୂଆଁ ବାହାରୁ ଥିବା ରେଳ କର୍ତୃପକ୍ଷ ଦେଖିଥିଲେ। ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ତୃପକ୍ଷ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଧ ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟ ଚାଲିଥିଲା।

ସମ୍ବନ୍ଧିତ ଖବର