ଟମକା/କାଳିଆପାଣି: ଡ୍ରାଇଭରକୁ ମାଡ଼ମାରି କୋଇଲା ବୋଝେଇ ଟ୍ରକ୍ ଲୁଟିନେଇ ପଳାଉଥିବା ବେଳେ ଟମକା ପୁଲିସ ଏହାକୁ ପାଣିକୋଇଲିରୁ ଜବତ କରିଛି। ଏହି ଟ୍ରକ୍(ଓଡି-୩୪ଇ-୧୪୭୨)ରେ ୨୬ ରୁ ୨୮ ଟନ୍ କୋଇଲା ବୋଝେଇ ହୋଇଥିଲା। ଏହାର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ। ତାଳଚେର କୋଇଲା ଖଣି ଅଞ୍ଚଳରୁ ଟମକା ରେଳବାଇ ପ୍ଲଟ୍କୁ ଆସିଥିବା ଏହି ଟ୍ରକ୍କୁ ଲୁଟେରା ଗ୍ୟାଙ୍ଗ୍ ପିଛା କରିଥିଲେ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ୪ ଜଣ ଲୁଟେରା ତାଙ୍କୁ ମାଡ଼ମାରି ଚାବି ଛଡ଼ାଇ ନେଇ ଟ୍ରକ୍କୁ ଭଦ୍ରକ ଅଭିମୁଖେ ଧରି ପଳାଉଥିଲେ ବୋଲି ଡ୍ରାଇଭର ଅଭିଯୋଗ କରିଛନ୍ତି।
ବିଶେଷ ସୂତ୍ରରୁ ଖବରପାଇ ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ପାଣିକୋଇଲିରେ ଉକ୍ତ ଟ୍ରକ୍କୁ ଗୋଡ଼ାଇ ଧରିଥିଲେ। ୨ ଜଣ ଅଭିଯୁକ୍ତ ପୁଲିସ ପଞ୍ଝାରେ ପଡ଼ିଥିବା ବେଳେ ଅନ୍ୟ ୨ ଜଣ ବାଇକ୍ ନମ୍ବର ଓଡି-୩୪ଏଲ୍-୧୧୮୯ରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଅଭିଯୁକ୍ତମାନେ ନିଜକୁ ଏକ ଫାଇନାନ୍ସ କମ୍ପାନିର କର୍ମଚାରୀ ବୋଲି ସଫେଇ ଦେଉଥିବା ସ୍ଥଳେ ଡ୍ରାଇଭର ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ତାଳମେଳ ରହୁନଥିବା ପୁଲିସ କହିଛି। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ନମ୍ବର ୮୫/୨୨ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ଟମକା କୋଇଲା ପ୍ଲଟ୍ରେ ଚୋରା କୋଇଲା କାରବାର ହୋଇଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରନ୍ତି।