ଆସନ୍ତା ୨ ଦିନ ଶୁଖିଲା ପାଗ, ୨୫ ଓ ୨୬ରେ ଉପକୂଳ ଓ ଆଭ୍ୟନ୍ତରରେ ବର୍ଷା

ଭୁବନେଶ୍ବର : ଅଗଷ୍ଟ ଆରମ୍ଭରୁ ରାଜ୍ୟରେ ମୌସୁମୀ-ବିରତି ସ୍ଥିତି ଜାରି ରହିଛି। ଫଳରେ ଅଗଷ୍ଟରେ ଯେତିକି ବର୍ଷ ହେବା କଥା ଏଯାଏ ଏହାର ଅଧା ବର୍ଷା ବି ‌ହୋଇନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ସ୍ଥିତି ଜାରି ରହିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ୨୫ ଓ ୨୬ ତାରିଖ ଆଡ଼କୁ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ମୌସୁମୀଜନିତ ନିମ୍ନ ଚାପରେଖା ରାଜସ୍ଥାନର ବିକାନେରରୁ ବାହାରି ଶିବପୁରୀ, ପାଟଣା ଓ ବାଲୁରଘାଟ ମଧ୍ୟ ଦେଇ ପୂର୍ବରେ ଏହା ନାଗାଲାଣ୍ଡ ଯାଏ ଲମ୍ବିଛି। ଏହି ନିମ୍ନ ଚାପରେଖାର ପୂର୍ବ ଭାଗ ଏହାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ମୌସୁମୀ ପ୍ରବାହ ଓଡ଼ିଶା ଉପରେ ଦୁର୍ବଳ ରହିଛି। ଏହି ପରିସ୍ଥିତି ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ। ୨୫ ତାରିଖ ବେଳକୁ ଉପକୂଳ ଓଡ଼ିଶା ମଧ୍ୟ ଦେଇ ଏକ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ଉପକୂଳ ଅଞ୍ଚଳକୁ ଅତିକ୍ରମ କରିବାର ସମ୍ଭାବନା ରହୁଛି। ଏହାର ପ୍ରଭାବରେ ମୌସୁମୀଜନିତ ନିମ୍ନ ଚାପରେଖା ଧୀରେଧୀରେ ଦକ୍ଷିଣ ଆଡ଼କୁ ଗତି କରି ସାଧାରଣ ଅବସ୍ଥାନକୁ ଫେରିବାର ସମ୍ଭାବନା ଥିବାରୁ ୨୫ ଓ ୨୬ ତାରିଖରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହାସହିତ ଉପକୂଳ ଅଞ୍ଚଳର କିଛି କିଛି ସ୍ଥାନରେ ପ୍ରବଳ ବ‌ର୍ଷାର ମଧ୍ୟ ସମ୍ଭାବନା ରହିଛି। ଏଣୁ ୨୫ ଓ ୨୬ ତାରିଖ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ‌ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

୧ ଜୁନ୍‌ରୁ ୨୨ ଅଗଷ୍ଟ ମଧ୍ୟରେ ଓଡ଼ିଶାରେ ପାଖାପାଖି ୫୮୩.୭ ମିମି ବର୍ଷା ରେକର୍ଡ ହୋଇଯାଇଛି; ଯାହାକି ସ୍ବାଭାବିକ ବର୍ଷା ୮୩୬.୨ ମିମିଠାରୁ ୩୦% କମ୍‌ । ଅର୍ଥାତ ଏହା ନିଅଣ୍ଟିଆର ପରିସରଭୁକ୍ତ ରହିଛି। ଏହି ସମୟ ପରିଧି ମଧ୍ୟରେ ପାଖାପାଖି ୨୭ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ପ୍ରଭାବିତ ଭାବେ ୫ ଜିଲ୍ଲାରେ ୪୦% କିମ୍ବା ଏହାଠାରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ଏଠାରେ ୫୪% କମ୍‌ ବର୍ଷା, ଭଦ୍ରକରେ ୫୦% ନିଅଣ୍ଟିଆ, ବଲାଙ୍ଗୀର ୪୩%, କେନ୍ଦୁଝର ୪୨% ଓ ଅନୁଗୁଳଠାରେ ୪୦% କମ୍‌ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକର ଆକାଶ ଆଜି ଆଂଶିକ ମେଘାଚ୍ଛନ୍ନ ରହିଥିଲା। ଏଥିସହ ଅପରାହ୍ନରେ ହାଲୁକା ବର୍ଷା ହୋଇଥିବା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର