ସଂକଟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ପରିବେଶ

ଲୁଣିଜୁଆର ପ୍ରଭାବରେ ଶୁଖିଗଲା ଲକ୍ଷାଧିକ ଗଛଲତା
ଚାଷ ଅନୁପଯୋଗୀ ହେଲା ହଜାର ହଜାର ଏକର ଚାଷଜମି
ପୋଖରୀ ଓ ନଦୀନାଳରେ ମରି ଭାସୁଛନ୍ତି ସାପ, କଙ୍କଡ଼ା, ମାଛ
ସମୁଦ୍ର କଡ଼ରେ ଲୁଣି ଜଙ୍ଗଲ ସୃଷ୍ଟି ପାଇଁ ଉଠିଲା ଦାବି

ବାଲେଶ୍ବର, (ମନୋଜ କୁମାର ରାଉଳ): ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବହୁ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘିଛି। ବାଲେଶ୍ବର ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସହ ଲୁଣି ଜୁଆର ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ ଏହାର କୁପ୍ରଭାବ ଏବେ ଜୀବନଜୀବିକା ସହ ବଣଜଙ୍ଗଲ, ଜୀବଜନ୍ତୁ ଏବଂ ପରିବେଶ ଉପ‌େର ପ୍ରତିଫଳିତ ହୋଇଥିବା ଦେଖାଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ୟାସ୍’ ଯିବାର ଇତିମଧ୍ୟରେ ୬ ଦିନ ବିତିଛି। ହେଲେ ଏହାର ପ୍ରଭାବ‌େର ଲୁଣି ଜୁଆର ମାଡ଼ିଥିବା ବା‌ଲେଶ୍ବର ଜିଲ୍ଲାର ଶତାଧିକ ଗ‌ାଁ, ଚାଷଜମି ଏବଂ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଜୁଆର ପାଣି ‌ଲହଡ଼ି ଖେଳୁଛି। ୮୦ କିମି ସମୁଦ୍ର ବେଳାଭୂମି ଥିବା ଏହି ଜିଲ୍ଲାର ସୋର, ବାହାନଗା, ରେମୁଣାଠାରୁ ଆରମ୍ଭ କରି ବାଲେଶ୍ବର ସଦର, ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲୁଣିବନ୍ଧ ଭାଙ୍ଗି ଜୁଆର ପାଣି ଜନବସତି ଆଡ଼କୁ ମାଡ଼ିଯାଇଥିଲା। ଫଳରେ ଲୁଣିପାଣିର ପ୍ରଭାବରେ ଏସବୁ ଅଞ୍ଚଳର ଲକ୍ଷାଧିକ ଗଛଲତା ସବୁ ଶୁଖିଯାଇଛି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି, ସଦର ବ୍ଲକ ଶ୍ରୀକୋଣା, ଚାନ୍ଦିପୁର, କଷାଫଳ, ଆଳୁମେଦା, ରସାଳପୁର, ଦୁବଲାଗଡ଼ି, ପରିଖି, ଗୋପୀନାଥପୁର, ବର୍ଦ୍ଧନପୁର ଅଞ୍ଚଳ। ଏହି ଅଞ୍ଚଳବାସୀଙ୍କ ବାଡ଼ିବଗିଚା ତଥା ବଣଜଙ୍ଗଲଗୁଡ଼ିକରେ ଥିବା ନଡ଼ିଆ, ଆମ୍ବ, ଜାମୁ, ଆକାଶୀ, ଇଉକାଲ ପଟାସ, ଶାଗୁଆନ ସମେତ ପିଜୁଳି, ସଜନା, ଲେମ୍ବୁ, କମଳା ଆଦି ମଧୁର ଜଳରେ ବଢ଼ୁଥିବା ଗଛସବୁ କେଉଁଠି ମରିଗଲାଣି ତ ଆଉ କେଉଁଠି ଶୁଖିଯାଇଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଶହଶହ ଏକରର ପନିପରିବ‌ା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ଲୁଣିପାଣି ମାଡ଼ି ଗୋଚର ଜମିରେ ଘାସ ମରିଯିବା ଓ ନଈପୋଖରୀର ପାଣି ଲୁଣି ହୋଇ ଯାଇଥିବାରୁ ଗୋରୁଗାଈ, ଛେଳିମେଣ୍ଢା ଆଦି ତୃଣଭୋଜୀ ପ୍ରାଣୀ ଖାଦ୍ୟ, ପାନୀୟ ଅଭାବରୁ ଡହଳବିକଳ ହେଉଛନ୍ତି।

ସେହିପରି ମଧୁର ଜଳରେ ରହୁଥିବା ମାଛ, କଇଁଛ, ସାପ, ବେଙ୍ଗ ଆଦି ଜଳଚର ଜୀବ ପାଣିରେ ମରି ଭାସୁଥିବା ଦେଖାଯାଇଛି। ଏସବୁ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲୁଣି ଜୁଆର ପ୍ରଭାବରୁ ସମୁଦ୍ରକୂଳିଆ ଅଞ୍ଚଳରେ ଆଗାମୀ ଖରିଫ୍ ଋତୁରେ ହେବାକୁ ଥିବା ଧାନଚାଷ ଏଥର ହୋଇପାରିବ କି ନାହିଁ ସେନେଇ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏ ଅଞ୍ଚଳର ଚାଷୀଙ୍କ ମୁଖ୍ୟ ଜୀବିକା ଧାନ ଏବଂ ପନିପରିବା ଚାଷ ହୋଇଥିବା ବେଳେ ଏଥର କଣ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଜିଲ୍ଲା କୃଷି ଅଧିକାରୀ ସୁଦାମ କୁମାର ନାୟକ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ୟାସ୍’ ପ୍ରଭାବରୁ ସମୁଦ୍ରକୂଳିଆ ଅଞ୍ଚଳରେ ଲୁଣିଜଳ ମାଡ଼ିଯାଇ କୃଷିକ୍ଷେତ୍ର ବହୁ ପରିମାଣରେ ପ୍ରଭାବିତ ହୋଇଛି। ଜମିରେ ଲବଣ ଭାଗ ମାତ୍ରାଧିକ ରହିଥିବାରୁ ଫସଲ ଉପରେ ଏହାର କୁପ୍ରଭାବ ପଡ଼ିବ। ତେବେ ମାଟି ପରୀକ୍ଷା କରିବା ପରେ ତାର ସ୍ଥିତି ଜଣାପଡ଼ିବ ବୋଲି ଶ୍ରୀ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ବନ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ କହିବା ଅନୁସାରେ ଲୁଣିପାଣି ମାଡ଼ିବା ସମୟରେ ଯଦି ସେହି ଅନୁଯାୟୀ ବର୍ଷା ହୋଇଥାନ୍ତା ତାହେଲେ ମାଟିର ଲବଣ ଭାଗ କମିଯାଇଥାନ୍ତା। ବର୍ଷା ନହେଲେ ତାର ବିକଳ୍ପ ବ୍ୟବସ୍ଥା କିଛି କରି ହେବନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ, ‘ୟାସ’ ପ୍ରଭାବିତ ଅଞ୍ଚଳରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପରିଦର୍ଶନ କରୁଥିବା ବେଳେ ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ତାଙ୍କୁ ଅବଗତ କରାଇଥିଲେ। ବାଲେଶ୍ବର ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ପରିବେଶ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଜୀବନଜୀବିକ‌ା ଉଜୁଡ଼ି ସ୍ଥାନୀୟ ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ତେଣୁ ଏହାର ପ୍ରତିକାର ପାଇଁ ତୁରନ୍ତ ଦୀର୍ଘସୂତ୍ରୀ ଯୋଜନା କରାଯିବ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳମାନଙ୍କରେ ବହୁଳ ପରିମାଣରେ ହେନ୍ତାଳବଣ ସୃଷ୍ଟି କରିବା, ବ୍ୟାପକ ଝାଉଁ ଗଛ ଲଗାଇବା, ନଦୀବନ୍ଧ ସୁଦୃଢ଼ କରିବା, ନଦୀ ଓ ସମୁଦ୍ର କୂଳରେ ଥିବା ଗ୍ରାମଗୁଡ଼ିକର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପକ୍କାଘର ବଣ୍ଟନ ଆଦି ନିହାତି ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଏନେଇ ସେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜଣାଇ ଖୁବଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଅଞ୍ଚଳବାସୀ, ସ୍ବେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ର, ଯୁବିପିଢ଼ି ସମସ୍ତେ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର