ସମ୍ବଲପୁର: ଏବେ ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ଖରାଦିନିଆ ତଟୀୟ ବିହଙ୍ଗଙ୍କ ସମାହାର। ଏମାନେ ଉଭୟ ପାଣି ଓ ସ୍ଥଳ ଭାଗରୁ ନିଜ ଖାଦ୍ୟ ସଂଗ୍ରହ କରିବା ସହ ପାଣି କୂଳିଆ ଆର୍ଦ ଅଞ୍ଚଳରେ ବସା ବାନ୍ଧନ୍ତି। ହୀରାକୁଦ ଜଳଭଣ୍ଡାର ଚତୁଃପାର୍ଶ୍ବ ଆର୍ଦ୍ର ଅଞ୍ଚଳ (ୱେଟ୍ଲାଣ୍ଡ) ଏବଂ ଏହା ମଧ୍ୟସ୍ଥ ଦ୍ବୀପ ସମୂହରେ ବସା ବାନ୍ଧି ଅଣ୍ଡା ଦେବା ଆରମ୍ଭ କରିଛନ୍ତି ଏହି ଦେଶୀ, ବିଦେଶୀ ଚଢ଼େଇ। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆରୁ ଆସୁଥିବା ଓରିଏଣ୍ଟାଲ୍ ପ୍ରାଟିନ୍କୋଲ୍, ଦେଶୀୟ ଅତିଥି ପକ୍ଷୀ ସ୍ମଲ୍ ପ୍ରାଟିନ୍କୋଲ ସମେତ ଲିଟିଲ୍ ଟର୍ନ, ରିଭର୍ ଟର୍ନ, ବ୍ଲାକ୍ ୱିଙ୍ଗ୍ଡ ଷ୍ଟିଲ୍ଟ, ଲିଟିଲ୍ ରିଂଗ୍ଡ ପ୍ଲଭର୍, ରେଡ୍ ୱାଟେଲ୍ଡ ଲାପ୍ୱିଙ୍ଗ ଆଦି ପ୍ରାୟ ୭ଟି ପ୍ରଜାତି ଅଛନ୍ତି। ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଆର୍ଦ୍ର ଅଞ୍ଚଳ, ଜଳଭଣ୍ଡାରକୁ ଲାଗି ଥିବା ଡେବ୍ରିଗଡ଼ ଅଭୟାରଣ୍ୟ ଓ ଜଳଭଣ୍ଡାର ମଧ୍ୟସ୍ଥ କ୍ଷୁଦ୍ର ଦ୍ବୀପ ଓ ଟାପୁଗୁଡ଼ିକୁ ଏହି ପକ୍ଷୀମାନେ ପ୍ରଜନନ ଓ ଅଣ୍ଡା ଦେବା ପାଇଁ ବାଛିଛନ୍ତି। ମାର୍ଚ୍ଚ ଶେଷ ସପ୍ତାହରୁ ହୀରାକୁଦକୁ ଏମାନଙ୍କ ଆଗମନ ଆରମ୍ଭ ହୋଇଥିଲା ବେଳେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ପ୍ରଜନନ, ବସା ବାନ୍ଧିବା ଓ ଅଣ୍ଡା ଦେବା ପ୍ରକ୍ରିୟା ଚାଲିବ। ଅଣ୍ଡାରୁ ଛୁଆ ଜନ୍ମ ହେବା ପରେ ସେମାନେ ସାମାନ୍ୟ ବଡ଼ ହେବା ପର୍ଯ୍ୟନ୍ତ ପକ୍ଷୀମାନେ ଅପେକ୍ଷା କରିବେ। ଅଗଷ୍ଟ ସୁଦ୍ଧା ଛୁଆମାନଙ୍କୁ ନେଇ ନିଜ ମୂଳ ଅଞ୍ଚଳକୁ ଉଡ଼ି ଯିବେ।
ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ହୀରାକୁଦ ଆର୍ଦ୍ର ଅଞ୍ଚଳରେ ପ୍ରଜନନ ଓ ଅଣ୍ଡା ଦେବା ପାଇଁ ପ୍ରାୟ ୧୫ ହଜାର ପକ୍ଷୀ ଆସିଛନ୍ତି। ଏମାନଙ୍କ ମଧ୍ୟରେ ସ୍ମଲ୍ ପ୍ରାଟିନ୍କୋଲ୍ ପ୍ରଜାତିର ପକ୍ଷୀ ସର୍ବାଧିକ ଅଛନ୍ତି ଯାହାଙ୍କ ସଂଖ୍ୟା ୭ ହଜାରରୁ ଅଧିକ ହେବ। ଏମାନଙ୍କୁ ମୁଖ୍ୟତଃ ଜଳଭଣ୍ଡାରର ବାରଖଣ୍ଡିଆ (ଜିରୋ ପଏଣ୍ଟ), ପାର୍ବତୀଟଙ୍ଗ, ଗଉରଗଡ଼, ଚୌରାଶିମାଲ, ପୂଜାରୀପାଲି, ଜମାଦାରପାଲି, ପିତାପାଲି ଆଦି ଅଞ୍ଚଳରେ ଦେଖିବାକୁ ମିଳୁଛି। ଏମାନେ ଆର୍ଦ୍ର ଅଞ୍ଚଳରେ ମାଟି ଉପରେ କୁଟାକାଠି ଜମା କରି ବସା ବାନ୍ଧୁଛନ୍ତି। ଗୋଟିଏ ସ୍ଥାନରେ ଅଳ୍ପଅଳ୍ପ ଦୂରତାରେ ୬୦ରୁ ୭୦ ଯୋଡ଼ି ପକ୍ଷୀ ଏକାଠି ବସା ବାନ୍ଧୁଥିବା ଦେଖିବାକୁ ମିଳୁଛି। ବହୁ ପକ୍ଷୀ ଅଣ୍ଡା ଦେଇ ସାରିଲେଣି। ୨୦୧୦ରୁ ଏହି ଖରାଦିନିଆ ଅତିଥି ପକ୍ଷୀଙ୍କ ସଂଖ୍ୟା ରେକର୍ଡ କରା ଯାଉଥିଲେ ବି ଏଥି ପ୍ରତି ବନ ବିଭାଗ ବିଶେଷ ଅାଗ୍ରହ ଦେଖାଉ ନାହିଁ। ସମ୍ବଲପୁରର ଚଢ଼େଇ କ୍ଲବ୍ର ସଦସ୍ୟ ମାନେ ଏହି ଖରା ଦିନିଆ ପକ୍ଷୀଙ୍କ ଉପରେ ନଜର ରଖିବା ସହ ଅନୁଧାନ କରୁଛନ୍ତି। ଶୀତଦିନିଆ ପକ୍ଷୀ ଗଣନା ଭଳି ଖରା ଦିନେ ବି ପକ୍ଷୀ ଗଣନା କରିବା ଓ ଏମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରକୃତି ପ୍ରେମୀମାନେ ଦାବି କରୁଛନ୍ତି।
ଆକର୍ଷଣର କେନ୍ଦ୍ରରେ ଅଷ୍ଟ୍ରେଲୀୟ ମଇନା
ମଇନା ବା ବଣି ଭଳି ଦେଖା ଯାଉଥିବା ଅଷ୍ଟ୍ରେଲିଆର ଓରିଏଣ୍ଟାଲ୍ ପ୍ରାଟିନ୍କୋଲ ହୀରାକୁଦ ଜଳଭଣ୍ଡାର କୂଳରେ ଏହି ଖରାଦିନିଆ ପକ୍ଷୀ ସମୂହର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ସେମାନଙ୍କ ସଂଖ୍ୟା ପାଖାପାଖି ୨ ହଜାର ହେବ। ବର୍ତ୍ତମାନ ସୁଦ୍ଧା ହୀରାକୁଦ ଆର୍ଦ୍ର ଅଞ୍ଚଳ ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ଏମାନେ ପ୍ରଜନନ କରିବା ଓ ବସାବାନ୍ଧି ଅଣ୍ଡା ଦେବା ଦେଖିବାକୁ ମିଳି ନାହିଁ ବୋଲି କହନ୍ତି ପକ୍ଷୀ ବିଶେଷଜ୍ଞ ଆଶିଷ ପ୍ରଧାନ। ଏମାନେ ଏକାଠି ବହୁ ସଂଖ୍ୟାରେ ପାଖେପାଖେ ବସା ବାନ୍ଧନ୍ତି। ଅଣ୍ଡା ଦେବା ପରେ ତାକୁ ବିଭିନ୍ନ ଉପାୟରେ ଲୁଚେଇ ଦିଅନ୍ତି ଯାହା ବାହାରକୁ ସହଜରେ ଦେଖାଯାଏ ନାହିଁ। ଛୁଆ ଜନ୍ମ ହେବା ମାତ୍ରେ ଚାଲିବାରେ ସକ୍ଷମ ହୋଇଥାଏ ଓ ସେମାନଙ୍କୁ ମା’ ଓ ବାପା ପକ୍ଷୀ ଉଭୟ ମିଳିତଭାବେ ଖାଦ୍ୟ ଯୋଗାଇ ଥାଆନ୍ତି। ଖରାଦିନରେ ପାଣି ଉପରେ ଉଡ଼ି ବୁଲୁଥିବା ପତଙ୍ଗ ଏମାନଙ୍କ ମୁଖ୍ୟ ଖାଦ୍ୟ ହୋଇଥାଏ। ଏହାଛଡ଼ା ଏମାନେ ମାଟିରୁ ବି କୀଟପତଙ୍ଗ ସଂଗ୍ରହ କରି ଖାଇଥାଆନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।