କୋଷ୍ଟାଲ ହାଇୱେ ବାଟ ଖୋଲିଲା : ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତାକୁ ରାଜ୍ୟର ସବୁଜ ସଂକେତ

ଚିଲିକା ଉପରେ ବ୍ରିଜ୍ ନିର୍ମାଣ ନେଇ ପୁଣି ଆଲୋଚନା ହେବ
୨୪୦କିମି ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୧୯୬.୪୯କୋଟି
ଜଙ୍ଗଲ ଓ ପରିବେଶ ବିଶେଷଜ୍ଞ କମିଟି ଏବେ ବି ବାଧକ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ପ୍ରକଳ୍ପରେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ହେବାକୁ ଥିବା କୋଷ୍ଟାଲ ହାଇୱେ (ନୂଆ ଜାତୀୟ ରାଜପଥ ୫୧୬-ଏ)ର ନିର୍ମାଣ ପାଇଁ ଦୁଇ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିବା ପରେ ଏବେ ଏହାର ନିର୍ମାଣ ନେଇ ବାଟ ଖୋଲିଛି। ରାଜ୍ୟ ସରକାର ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ସବୁଜ ସଂକେତ ଦେଇଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଅନୁମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବେଦନ କରିବାକୁ ଓଡ଼ିଶା ସରକାର କହିଛନ୍ତି। କିନ୍ତୁ ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ଏବଂ ଚିଲିକା ଉପରେ ହେବାକୁ ଥିବା ବ୍ରିଜ୍ ସମ୍ପର୍କରେ ପରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ସେହି ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ପୂର୍ବରୁ ରାଜ୍ୟ ସରକାର କୋଷ୍ଟାଲ ହାଇୱେକୁ ସମୁଦ୍ର ବେଳାଭୂମି କୂଳେ କୂଳେ ନେବାକୁ ଦାବି କରୁଥିଲେ ହେଁ ଏଥିପାଇଁ ଅଧିକ ଅର୍ଥ ‌ଖର୍ଚ୍ଚ ହେବାକୁ ଥିବାରୁ ଏବଂ ଅଧିକ ଅନୁମତି ଆବଶ୍ୟକ ଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତା‌ଙ୍କ ନକ୍ସା ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ କହିଥିଲେ। ଏହାପରେ ରାଜ୍ୟ ସରକାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ନକ୍ସାରେ ରାଜି ହୋଇଯାଇଛନ୍ତି।

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କୋଷ୍ଟାଲ ହାଇୱେ ତଥା ନୂଆ ଏନ୍‌ଏଚ୍ ୫୧୬-ଏ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ବାହାରି ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଯିବ। ଏହା ଗୋପାଳପୁର ବନ୍ଦର ନିକଟରୁ ବାହାରି ସାତପଡ଼ା-ପୁରୀ-କୋଣାର୍କ-ଅସ୍ତରଙ୍ଗ-ରତନପୁର-ଧାମରା-ବାସୁଦେବପୁର-ଚାନ୍ଦିପୁର ହୋଇ ଦୀଘାରେ ମିଶିଥାନ୍ତା। ୪୫୧କିମିର ଏହି କୋଷ୍ଟାଲ ହାଇୱେର ଗୋପାଳପୁରରୁ ରତନପୁର ପର୍ଯ୍ୟନ୍ତ (୨୪୦.୧୨ କିମି) ରାସ୍ତା ନିର୍ମାଣ ଆବଶ୍ୟକ ଥିବାବେଳେ ବାକି ରାସ୍ତା ବର୍ତ୍ତମାନ ଥିବା ରାସ୍ତାର ଉନ୍ନତୀକରଣ ପରେ ଯୋଡ଼ାଯିବ।

୨୪୦.୧୨କିମି ଲମ୍ବର ଏହି ରାସ୍ତା ପାଇଁ ୨୨ବିଲିଅନ ଅର୍ଥାତ୍‌ ୨୧୯୬.୪୯କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଛି ସେଥିରେ ରାସ୍ତା ଯିବାକୁ ଥିବା ଅଞ୍ଚଳର ଉଭୟ ପାର୍ଶ୍ବର ୧୦କିମି ପର୍ଯ୍ୟନ୍ତ ଅଞ୍ଚଳ ଉପରେ ସର୍ଭେ ହୋଇଛି। ଏଠାରେ ମୁଖ୍ୟତଃ ଚାଷ ଜମି ରହିଛି। ଏହାସହ ପତିତ ଭୂମି, ଗୋଚର, ଆଦ୍ରଭୂମି, ଲୁଣି ଅଞ୍ଚଳ, ନଦୀ ମୁହାଣ, ନଈ, ଜଙ୍ଗଲ ଏବଂ ବିଭିନ୍ନ ଜନବସତି ରହିଛି। ଏହି ରାସ୍ତା ନିର୍ମାଣ ପାଇଁ ୯୯୬.୨୫ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏଥିରୁ ୩୩.୬ହେକ୍ଟର ଜଙ୍ଗଲ ଜମି ରହିଛି।

ଏହି ରାସ୍ତା ନିର୍ମାଣ ପାଇଁ ତିନିଟି ରାସ୍ତାର ପ୍ରସ୍ତାବ ଆସିଥିଲେ ହେଁ ଏଥିରୁ କମ୍‌ ଜମି ଅଧିଗ୍ରହଣ, କମ୍‌ ଦୈର୍ଘ୍ୟ ଏବଂ କମ୍‌ ଖର୍ଚ୍ଚ ହେଉଥିବା ପ୍ରସ୍ତାବଟିକୁ ବଛା ଯାଇଛି। ଯାହା ଗୋପାଳପୁରରୁ ରତନପୁର ପର୍ଯ୍ୟନ୍ତ ‌ଯିବ। ଏହାସହ କମ୍‌ ଜଙ୍ଗଲ ଜମି ଅଧିଗ୍ରହଣ କରିବାକୁ ପଡ଼ିବ, ସର୍ବନିମ୍ନ ୨୪୫୯୬ଟି ଗଛ କାଟିବାକୁ ପଡ଼ିବ, ଓଡ଼ିଶାରେ ଥିବା ପ୍ରମୁଖ ବନ୍ଦରଗୁଡ଼ିକୁ ଯୋଗାଯୋଗ ସହଜ ହେବ, କମ୍‌ ଜନବସତି ପ୍ରଭାବିତ ହେବ, ସେହି ଅଞ୍ଚଳର ଅର୍ଥନୈତିକ ପ୍ରଗତି ହେବ, ପର୍ଯ୍ୟଟନ ଦୃଷ୍ଟିରୁ ଅଧିକ ଲୋକ ଯାତାୟତ କରିବେ।

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାର କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ସବୁ ପ୍ରକାରର ସହଯୋଗ ଯୋଗାଇଦେବେ। ଏବେ ଆମେ ଏହି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଅନୁମତି ଯୋଗାଡ଼ କରିବାକୁ ଯୋଜନା କରୁଛୁ। ଏହି ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହେବ, ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ଦରକାର, ନାସନାଲ୍ ବୋର୍ଡ ଅଫ୍ ୱାଇଲ୍ଡ ଲାଇଫ୍‌ର ଅନୁମତି ଦରକାର, ସିଆରଜେଡ୍‌ ଏବଂ ପରିବେଶ ଅନୁମତି ଦରକାର। ଏହି ଅନୁମତିଗୁଡ଼ିକ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ। ତେଣୁ ଆମେ ଏବେ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିବୁ।

ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ଏବେବି ବାଧକଜାତୀୟ ରାଜପଥ କର୍ତ୍ତୃପକ୍ଷ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ନିକଟରେ ଯେଉଁ ଟିଓଆର୍ ଦାଖଲ କରିଥିଲେ ତାକୁ କମିଟି ପ୍ରତ୍ୟାଖାନ କରିଦେଇଥିଲା। କମିଟି ପୁଣି ନୂଆ ଡିଜାଇନ୍ ପ୍ରସ୍ତୁତ କରିବାକୁ କହିଥିଲା। ‌ହେଲେ ଏବେ ଓଡ଼ିଶା ସରକାର ଏନ୍‌ଏଚ୍‌ଏଆଇ ଡିଜାଇନ୍‌ରେ ରାଜି ହୋଇଯାଇଥିବାରୁ ଏନ୍‌ଏଚ୍‌ଏଆଇ ପୁଣି ଏକ ଟିଓଆର୍ ପ୍ରସ୍ତୁତ କରି ବିଶେଷଜ୍ଞ କମିଟି ନିକଟରେ ଦାଖଲ କରିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ଏନ୍‌ଏଚ୍‌ଏଆଇ ପ୍ରସ୍ତାବକୁ ଖାରଜ କରି କମିଟି କହିଥିଲା ଯେ ଏହି ରାସ୍ତା ନିର୍ମାଣ ହେଲେ ୧୩ଟି ନଦୀ ଓ ହ୍ରଦ ଯଥା ଋଷିକୂଲ୍ୟା, ଚିଲିକା, କୁଶଭଦ୍ରା, କାଦୁଆ, ପ୍ରାଚୀ, ବରାଦିଆ, ବୋରୁଆଁ, ସଉନିଳା, ହରହୁଆ, ଗୋବରୀ, ନୂଆନଈ, ଦେବୀ ଏବଂ ମହାନଦୀକୁ ଅତିକ୍ରମ କରିବାକୁ ପଡ଼ିବ। ଏହି ନଦୀଗୁଡ଼ିକ ଉପରେ ବ୍ରିଜ୍‌ ନିର୍ମାଣ ହେଲେ ଅଲିଭ୍‌ ରିଡଲେଙ୍କ ଅଣ୍ଡା ଦାନ ଉପରେ ଏବଂ ଦେଶାନ୍ତର ପକ୍ଷୀଙ୍କ ଯାତାୟତ ଉପରେ ପ୍ରଭାବ ପଡ଼ିବ । ଏହାସହ ଭିତରକନିକା ଅଭୟାରଣ୍ୟରୁ ଆରମ୍ଭ ହେବାକୁ ଥିବା ରାସ୍ତା ବାଲୁଖଣ୍ଡ କୋଣାର୍କ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଚିଲିକା (ନଳବଣ) ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଦୁଇ ଭାଗ କରି ଯିବ। ଯାହା ଶୀତ ଋତୁରେ ଚିଲିକା ଓ ଭିତରକନିକାକୁ ଆସୁଥିବା ଦେଶାନ୍ତର ପକ୍ଷୀଙ୍କ ପ୍ରମୁଖ ବାସସ୍ଥଳୀ। ସେହିପରି ବାଲୁଖଣ୍ଡ ଅଭୟାରଣ୍ୟ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡା ଦେବାର ପ୍ରମୁଖ ସ୍ଥାନ। ଏହି ଅଞ୍ଚଳରେ ରାସ୍ତା ନିର୍ମାଣ କଲେ ଏବଂ ଅଧିକ ଯାନବାହାନ ଚାଲିଲେ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡ଼ିବ। ତେଣୁ ଏଠାରେ କେ‌ାଷ୍ଟାଲ ହାଇୱେ ନିର୍ମାଣ କରିବାକୁ ଅନୁମତି ଦିଆଯାଇପାରିବନି ବୋଲି ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ରୋକଠୋକ୍‌ ଜଣାଇ ଦେଇଥିଲା।

ଏହାସହ କମିଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲା ଯେ, କୋଷ୍ଟାଲ ହାଇୱେକୁ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୂରରେ ନିର୍ମାଣ କରାଯାଉ। ନୂଆ ଡିଜାଇନ୍ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରାଯାଉ। ହେଲେ ଏନ୍‌ଏଚ୍‌ଏଆଇ ପୁଣି ସେହି ପୁରୁଣା ଡିଜାଇନ୍‌କୁ ଆବେଦନ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର