ଭୁବନେଶ୍ବର : ପ୍ରସ୍ତାବିତ ଉପକୂଳ ରାଜପଥ ବିବାଦରେ ଶେଷରେ ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ପ୍ରସ୍ତାବରେ ପରିବର୍ତ୍ତନ ଆଣିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କୁ ଚିଠି ଲେଖା‌ଯାଇଛି। କ୍ୟାପିଟାଲ ୟୁଥ୍‌ ଆଣ୍ଡ ସ୍ପୋର୍ଟସ୍‌, ଭୁବନେଶ୍ବର ନାମକ ଏକ ଅନୁଷ୍ଠାନ ପକ୍ଷରୁ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ମର୍ମରେ (ନକ୍ସା ପରିବର୍ତ୍ତନ) ଏକ ଦାବିପତ୍ର ଦିଆଯାଇଥିଲା। ଉକ୍ତ ଦାବିକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି। ଏହା ଉପରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଏନ୍‌ଏଚ୍‌ଏଆଇର ଓଡ଼ିଶା ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ (ସିଜିଏମ୍‌)ଙ୍କୁ ଅନୁରୋଧ କରାଯାଇଛି।

Advertisment

ଅପରପକ୍ଷେ ଏହି ନକ୍ସା ପରିବର୍ତ୍ତନ ପାଇଁ ଦୀର୍ଘ ଦିନ ଧରି ଲଢ଼େଇ ଜାରି ରଖିଥିବା ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି(ବାଲିକୁଦା) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ଦୋହରାଇଛି। କମିଟିର ସକ୍ରିୟ ସଦସ୍ୟ ଡ. ଶଶାଙ୍କ ଶେଖର ସାହାଣୀ ଓ ମନୋଜ ଶୁକ୍ଳା ପ୍ରମୁଖ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରି ଉପକୂଳଠାରୁ ୨୫ କିଲୋମିଟର ଦୂରରେ ରାଜପଥ ନିଆଗଲେ, କି’ କି’ ସମସ୍ୟା ହେବ, ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଶଦ୍‌ ଭାବେ ବୁଝାଇଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସୁରକ୍ଷାବାହିନୀଙ୍କ ଗମନାଗମନ ମଧ୍ୟ ସହଜ ହେବ; ଯାହାକି ତଟ ସୁରକ୍ଷା ଦିଗରେ ବିଶେଷ ଉପାଦେୟ ସାବ୍ୟସ୍ତ ହେବ। ପୂର୍ବ ପ୍ରସ୍ତାବିତ ନକ୍ସା-୨ ଉପକୂଳଠାରୁ ୫ କିମି ଭିତରେ ଯାଉଥିଲା। ଏନେଇ ସର୍ଭେ କରାଯାଇ ହଳଦିଆ ପିଲର୍‌ ପୋତା ଯାଇ ଫାଇନାଲ୍‌ କରାଯାଇଥିଲା। କିନ୍ତୁ ଚଞ୍ଚକତା କରାଯାଇ ନକ୍ସାରେ ପରିବର୍ତ୍ତନ କରାଯାଇଛି ବୋଲି କମିଟି ଅଭିଯୋଗ କରିଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗପତ୍ର ଗ୍ରହଣ କରିବା ସହ ସକାରାତ୍ମକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ସାହାଣୀ କହିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିବା ପ୍ରତିନିଧିମଣ୍ଡଳୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ବିଶ୍ବାଳ ଓ ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ ଉପକୂଳଠାରୁ ୨୫ କିମି ଦୂରରେ ଏହି ରାଜପଥ ଯାଉଥିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ହୃଦୟଙ୍ଗମ କରି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ଦୀର୍ଘ ଦିନ ଧରି ଏହାର ପ୍ରତିବାଦ କରିଆସୁଛି। ଅନ୍ୟପକ୍ଷରେ, ଏବେ ସୁଦ୍ଧା ଖୋର୍ଦ୍ଧା ଟାଙ୍ଗୀଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୯୨କିମି ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଥିବା ବେଳେ ବିବାଦୀୟ ଅଞ୍ଚଳକୁ ଏପର୍ଯ୍ୟନ୍ତ ଟେଣ୍ଡର୍‌ କରାଯାଇନାହିଁ। ରାଜ୍ୟ ସରକାରଙ୍କ ଏହି ଚିଠି ପରେ ଏନ୍‌ଏଚ୍‌ଏଆଇ କ’ଣ ପଦକ୍ଷେପ ନେବ ତାକୁ ନେଇ ମାନସମନ୍ଥନ ଚାଲିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଡ୍ରିମ୍‌ ପ୍ରୋଜେକ୍ଟ କୁହାଯାଉଥିବା ଏହି କୋଷ୍ଟାଲ୍‌ ହାଇୱେକୁ ନେଇ ଉଠିଥିବା ବିବାଦର କିପରି ସମାଧନ ହେଉଛି, ତାହା ଦେଖିବା ବାକି ରହିଲା।