ଉପକୂଳ ରାଜପଥ ବିବାଦ : ସମାଧାନ ପାଇଁ ୪ଟି ପ୍ରସ୍ତାବ ଦେଲେ ମୁଖ୍ୟ ସଚିବ

ଚିଲିକା ଉପରେ ୨ଟି ସିଗ୍‌ନେଚର ସେତୁ ନିର୍ମାଣ ନିଷ୍ପତ୍ତି

ଭୁବନେଶ୍ବର : ଓଡ଼ିଶାରେ ଉପକୂଳ ରାଜପଥ ବା କୋଷ୍ଟାଲ୍‌ ହାଇୱେର ଆଭିମୁଖ୍ୟ ଅନୁଯାୟୀ ପ୍ରକଳ୍ପଗୁଡ଼ିକ ସମୁଦ୍ରର ଯଥାସମ୍ଭବ ନିକଟରେ ନିର୍ମାଣ କରାଯିବା ଉଚିତ। ମୁଖ୍ୟତଃ ଏହା ବନ୍ଦରଗୁଡ଼ିକୁ ସଂଯୋଗୀକରଣ, ପ୍ରାକୃତିକ ବିପର୍ଯ୍ୟୟରୁ ସରକ୍ଷା ଓ ଉପକୂଳ ପର୍ଯ୍ୟଟନର ବିକାଶ ନିମନ୍ତେ କାର୍ଯ୍ୟ କରିବା କଥା। କିନ୍ତୁ କେନ୍ଦ୍ର ସରକାରଙ୍କ ସଡ଼କ ଓ ରାଜପଥ ମନ୍ତ୍ରଣାଳୟ ଅବିଚାରିତ ଭାବେ ପ୍ରସ୍ତାବିତ ଉପକୂଳ ରାଜପଥର ଦିଗ ନିର୍ଣ୍ଣୟ ଓ ଗତିପଥ ଚୂଡ଼ାନ୍ତ କରିଥିବାରୁ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନାହାନ୍ତି। ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜ‌େନୖତିକ ବିବାଦ ଉପୁଜିଛି। ତେବେ ଏହାର ସମାଧାନ ଉଦ୍ଦେଶ୍ୟ‌େର ମୁଖ୍ୟ ଶାସନ ସଚିବ ୪ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତିି। ଏ ସମସ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କଲେ ରାଜ୍ୟରେ ଉପକୂଳ ରାଜପଥ ପ୍ରକଳ୍ପ ଆଗେଇ ପାରିବ।

ଆଜି ଏ ନେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜାତୀୟ ରାଜପଥ କର୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ର ଓଡ଼ିଶା ମୁଖ୍ୟ ସିଜିଏମ୍‌ ରାମପ୍ରସାଦ ପଣ୍ଡା, ରାଜପଥ ପ୍ରକଳ୍ପ ପରାମର୍ଶଦାତା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ। ଏଭଳି ମର୍ଯ୍ୟାଦାଜନକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟ ସଚିବ କହିଥିଲେ। ଗତ ବର୍ଷ ଏପ୍ରିଲ ୭ ତାରିଖରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେବା ଉପରେ ସେ ଗୁରୁତ୍ବ ଦେଇଥିଲେ। କିନ୍ତୁ ସେହି ପ୍ରସ୍ତାବଗୁଡ଼ିକୁ ସଂପୃକ୍ତ ମନ୍ତ୍ରଣାଳୟ ବିଚାରକୁ ନେଇନଥିବାରୁ ସେ ବିସ୍ମୟ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ସିଜିଏମ୍‌ ଶ୍ରୀ ପଣ୍ଡା ଗତ ବର୍ଷ ଏପ୍ରିଲ୍‌ ୭ ତାରିଖର ବୈଠକ ପରେ ବିଭିନ୍ନ ରାଜପଥର ଦିଗ ନିର୍ଣ୍ଣୟ ସଂକ୍ରାନ୍ତରେ ହୋଇଥିବା ପରିବର୍ତନ ଉପରେ ସବିଶେଷ ଉପସ୍ଥାପନା କରିଥିଲେ।

ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଚିଲିକାର ସାତପଡ଼ା ପର୍ଯ୍ୟନ୍ତ ପରିବର୍ତିତ ରାଜପଥ ନିର୍ମାଣ ହେବ। ତେବେ ପର୍ଯ୍ୟଟନର ବିକାଶ ଦୃଷ୍ଟିରୁ ଚିଲିକା ଉପରେ ୨ଟି ସିଗ୍‌ନେଚର ସେତୁ ନିର୍ମାଣ କରାଯିବ। ତେବେ ସାତପଡ଼ାରୁ ପୁରୀ ଓ କୋର୍ଣାକରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ରାଜପଥ ପ୍ରକଳ୍ପର ଦିଗ ନିର୍ଣ୍ଣୟରେ କୌଣସି ପରିବର୍ତନ ହୋଇନାହିଁ। ତେବେ ସାତପଡ଼ାରୁ ପୁରୀ ଓ କୋର୍ଣାକରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ପ୍ରସ୍ତାବିତ ରାଜପଥ ପ୍ରକଳ୍ପର ଦିଗ ନିର୍ଣ୍ଣୟରେ କୌଣସି ପରିବର୍ତନ ହୋଇନାହିଁ। ଗତ ବୈଠକର ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜପଥ ପ୍ରକଳ୍ପ ସିଆରଜେଡ୍‌ ନିୟମାବଳୀ ଅଧୀନରେ ଯେତେସମ୍ଭବ ସମୁଦ୍ର ନିକଟବର୍ତୀ ହେବା ଉଚିତ ବୋଲି ଦର୍ଶାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅସ୍ତରଙ୍ଗରୁ ରତନପୁର ଦେଇ ଧାମରା ପର୍ଯ୍ୟନ୍ତ ଲମ୍ବିଯାଇଥିବା ରାଜପଥ ପ୍ରକଳ୍ପରେ କୌଣସି ପରିବର୍ତନ ଆବଶ୍ୟକ ହେଉନାହିଁ। ତେବେ ଜାମୁଝାଡ଼ିରୁ ବାସୁଦେବପୁର ଦେଇ ଧାମରା ପର୍ଯ୍ୟନ୍ତ ସଂଯୋଗକାରୀ ରାସ୍ତାକୁ ଚାରିଲେନ୍‌ ବିଶିଷ୍ଟ କରିବାକୁ ଏନ୍‌ଏଚ୍‌ଏଆଇ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ଜମି ଅଧିଗ୍ରହଣ ସମସ୍ୟା ଉପରେ ଦୃଷ୍ଟି ଦେବା ସହିତ ଏହି ରାସ୍ତାକୁ ଦୁଇଲେନ୍‌ କରି ଡିଆରଡିଓ ଓ ବନ୍ଦରର ଆବଶ୍ୟକତା ପୂରଣ ନେଇ ନିଷ୍ପତ୍ତି ନିଆଯାଇଛି। ‌ଏହି ପ୍ରକଳ୍ପ ବାବଦ ଖର୍ଚ କେନ୍ଦ୍ର ସରକାର ସାଗରମାଳା କିମ୍ବା ସିଆରଏଫ୍‌ ଜରିଆରେ ବହନ କରିବାକୁ ମୁଖ୍ୟ ସଚିବ ପ୍ରସ୍ତାବ ଦେଇଛନ୍ତିି।

ପୁରୀ-କୋର୍ଣାକ ମେରାଇନ୍‌ ଡ୍ରାଇଭ ଭଳି ତାଳସାରୀ-ଉଦୟପୁର ବେଳାଭୂମି ପ୍ରକଳ୍ପ ରାଜପଥକୁ ଯଥାସମ୍ଭବ ସମୁଦ୍ର ନିକଟବର୍ତୀ କରିବାକୁ ମୁଖ୍ୟ ସଚିବ ପ୍ରସ୍ତାବ ଦେଇଥିଲେ। ଫଳରେ ବେଳାଭୂମି ପର୍ଯ୍ୟଟନର ବିକାଶ ହୋଇପାରିବ। ସେ ପଟେ ଦେଖିବାକୁ ଗଲେ, କେନ୍ଦ୍ର ମନ୍ତ୍ରଣାଳୟ ପ୍ରସ୍ତାବିତ ରାଜପଥଗୁଡ଼ିକୁ ସମୁଦ୍ରରୁ ଦୂରରେ ନିର୍ମାଣ ପାଇଁ ଚୂଡ଼ାନ୍ତ କରିଛି। କେବଳ ସେତିକି ନୁହେଁ, ଚୂଡ଼ାନ୍ତ ହୋଇଥିବା ରାଜପଥଗୁଡ଼ିକୁ ରାଜ୍ୟ ସରକାର ଆଖିବୁଜି ମାନିନେବାକୁ ବି ପରୋକ୍ଷରେ ଚାପ ପକାଉଛି। ଏ ପଟେ ରାଜ୍ୟ ସରକାରଙ୍କ କହିବାନୁସାରେ ଗୁଜୁରାଟ୍‌ରେ ଥିବା ପ୍ରାୟ ୮୦୦ କି.ମି. ଉପକୂଳ ରାଜପଥଗୁଡ଼ିକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ମୁତାବକ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶାର ମାତ୍ର ୪୪୦ କି.ମି. ଉପକୂଳ ରାଜପଥ ନିର୍ମାଣ ପ୍ରସ୍ତାବ ରହିଛି। ଏଣୁ, ଗୁଜୁରାଟ୍‌ ଢାଞ୍ଚାରେ ଏହି ଉପକୂଳ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି। ତେବେ ଏହା କେତେଦୂର କେନ୍ଦ୍ରୀୟ ମନ୍ତ୍ରଣାଳୟ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର