ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନ ବିବାଦ: ଶାସକ-ବିରୋଧୀ ଏକାଠି

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରେ କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ)‌ର ପ୍ରସ୍ତାବିତ ନକ୍ସାକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀର୍ଘ ଦିନ ଧରି ‘ଉପକୂଳ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ବିରୋଧ ଜାରି ରହିଛି। ଏବେ ଶାସକ ବିଜେଡି, ବିଜେପିର ନେତୃବୃନ୍ଦ ସାମିଲ ହୋଇ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ତଳେ ହୋଇଥିବା ବିଜେଡି ଲୋକସଂପର୍କ ପଦଯାତ୍ରା ସଭାରେ ଶାସକ ଦଳର ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଖୋଲାଖୋଲି ଭାବେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ଏହି ମନମୁଖୀ କାରବାର ବିରୋଧରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଉପକୂଳ ଦେଇ ରାଜପଥ ଯିବା ଉଚିତ ବୋଲି କହିଛନ୍ତି। ସେହିପରି ବିଜେପିର ୫ଜଣିଆ ରାଜ୍ୟ ପ୍ରତିନିଧିଦଳ ଜିଲ୍ଲାରେ ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖି ନକ୍ସାରେ ତ୍ରୁଟି ରହିଛି ବୋଲି ଅଭିଯୋଗ କରିଛନ୍ତି। ଫଳରେ ଏହା ଏନ୍‌ଏଚ୍‌ଏଆଇ ପାଇଁ ନୂଆ ଅଡ଼ୁଆ ସୃଷ୍ଟି କରିଛି।

କମିଟି ଅଭିଯୋଗ କରିଛି ଯେ ନକ୍ସା ତିଆରିରେ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାରବାର ସ୍ପଷ୍ଟ ବାରି ହେଉଛି। ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୂରରେ ଏହି ରାଜପଥ ଯିବା ପାଇଁ ପୂର୍ବରୁ ପ୍ରସ୍ତାବ ରହିଥିଲା। ଜଗତ୍‌ସିଂହପୁର ଜିଲ୍ଲା କ୍ଷେତ୍ରରେ ସେଭଳି କୌଣସି ସମସ୍ୟା ନଥିଲା। ତିନିଟି ନକ୍ସା ଭିତରୁ ଦ୍ବିତୀୟ ନକ୍ସା ଉପକୂଳ ରାଜପଥ ପାଇଁ ଅନୁକୂଳ ରହିଥିଲା। ଉକ୍ତ ନକ୍ସା ଅନୁଯାୟୀ, ରାଜପଥଟି ପୁରୀର ଅସ୍ତରଙ୍ଗ-ନଗର ନିକଟ ଦେଇ ଜଗତ୍‌ସିଂହପୁର ଜିଲ୍ଲାର ମାଙ୍କଡ଼ଖିଆ ନିକଟକୁ ବାହାରୁଥିଲା। ସେଠାରୁ ବାରବାଟିଆ-ଫୁଲବେଲାରୀ-କୁସୁପୁର-ତେନ୍ତୁଲିବେଲାରୀ-ଶିଆଳି ନିକଟ ଦେଇ ପାରାଦୀପ ଯାଉଥିଲା। ମାଙ୍କଡ଼ଖିଆ ନିକଟରୁ ସମୁଦ୍ର ପ୍ରାୟ ୫ କିମି। କିନ୍ତୁ ବର୍ତ୍ତମାନ ଯେଉଁ ନକ୍ସା ଚୂଡ଼ାନ୍ତ କରାଯାଇଛି, ସେଥିରେ ଜଗତସିଂହପୁର ଜିଲ୍ଲାରେ ରାଜପଥର ରୂପରେଖରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଜିଲ୍ଲାରେ ଏହା ଉପକୂଳଠାରୁ ପ୍ରାୟ ୧୭ରୁ ୨୦ କିଲୋମିଟର ଦୂରରେ କରାଯାଉଛି। ଯାହା ଉପକୂଳ ରାଜପଥର ମୂଳ ଲକ୍ଷ୍ୟ ସାଧନ କରୁନାହିଁ ବୋଲି କମିଟି ଅଭିଯୋଗ କରିଛି।

ସମର୍ଥନ ଜଣାଇଲେ ସାଂସଦ, ବିଧାୟକ, ସରକାରୀ ଦଳ ମୁଖ୍ୟ ସଚେତକ
‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କଲେ ବିଜେପି ଟିମ୍‌
ପ୍ରଭାବିତ ହେବ ଉପକୂଳ ୨୦ ପଞ୍ଚାୟତର ୨ ଲକ୍ଷ ଲୋକ

କମିଟି ଯୁକ୍ତି ବାଢ଼ିଛି ଯେ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟ ଭଳି ପରିବେଶ ସମ୍ବେଦନଶୀଳ ଜାଗା ନିକଟରୁ ଯଦି ଏହା ୫ରୁ ୭କିମି ଦୂରରେ ଯାଇପାରୁଛି, ତେବେ ଜଗତସିଂହପୁରରେ କୌଣସି ପ୍ରତିବନ୍ଧକ ନଥାଇ କାହିଁକି ୨୦ କିମି ଦୂରରେ ନିଆଯାଉଛି। ନକ୍ସା-୨ ଅନୁସାରେ ହଳଦିଆ ଖୁଣ୍ଟ ପୋତା ଯାଇଥିଲେ ହେଁ କିଭଳି ଶେଷ ମୁହୂର୍ତ୍ତରେ ନକ୍ସାରେ ଏପରି ଆମୂଳଚୂଳ ପରିବର୍ତ୍ତନ କରି ଦିଆଗଲା? ଏନ୍‌ଏଚ୍‌ଆଇର ଜଣେ ପୂର୍ବତନ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀ କ୍ଷମତାକୁ ଅପବ୍ୟବହାର କରି ନିଜ ଘର ପାଖ ଦେଇ ଉପକୂଳ ରାଜପଥ ନେବା ପାଇଁ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ମନ୍ତ୍ରଣାଳୟକୁ ଚିଠି ମାଧ୍ୟମରେ ଜଣାଇଛି। ନକ୍ସା-୩ ଦେଇ ରାଜପଥ ନିଆଗଲେ, ବାଲିକୁଦା ଓ ଏରସମାର ଉପକୂଳରେ ଥିବା ପ୍ରାୟ ୨୦ଟି ପଞ୍ଚାୟତର ୨ ଲକ୍ଷ ଲୋକ ଗୁରୁତର ପ୍ରଭାବିତ ହେବେ। ତେଣୁ ନକ୍ସା-୨ ଅନୁସାରେ ଜାତୀୟ ରାଜପଥ ନେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜାତୀୟ ରାଜପଥ ମନ୍ତ୍ରାଳୟ ସମେତ ଏହା ସହ ଜଡ଼ିତ ସମସ୍ତ ବିଭାଗ, ସରକାରୀ ଦପ୍ତର ଓ ଜନପ୍ରତିନିଧିଙ୍କୁ କମିଟି ଦାବିପତ୍ର ଦେଇଛି। ଅପରପକ୍ଷେ କମିଟିର ଏହି ଅଭିଯୋଗକୁ ଶ୍ରୀ ଷଡ଼ଙ୍ଗୀ ଖଣ୍ଡନ କରି ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ସୋସିଆଲ ସାଇଟ୍‌ରେ ଜଗତସିଂହପୁରରେ ନକ୍ସା ପରିବର୍ତ୍ତନ ନେଇ ଏକ ପୋଷ୍ଟ କରିଛି। ଦେବୀ ନଦୀ ଓ ମହାନଦୀ‌ରେ ବ୍ରିଜ୍ ନିର୍ମାଣକୁ ଏଡ଼ାଇବା ପାଇଁ ଜଗତସିଂହପୁର ଜିଲ୍ଲାରେ ଉପକୂଳ ରାଜପଥର ନକ୍ସା ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ବୋଲି ସେଥିରେ କୁହାଯାଇଛି। କିନ୍ତୁ ରାଜପଥ କର୍ତ୍ତୃପକ୍ଷଙ୍କ ଏ ଯୁକ୍ତିକୁ କମିଟି ଅପ୍ରାସଙ୍ଗିକ ବୋଲି କହିଛି। ରାସ୍ତା ୨୦ କିମି ଦୂରରେ ନେଲେ ମଧ୍ୟ ଏନ୍‌ଏଚ୍‌ଏଆଇକୁ ଦୁଇ ନଦୀ ଉପରେ ବ୍ରିଜ୍‌ କରିବାକୁ ପଡ଼ିବ ବୋଲି କମିଟି ଯୁକ୍ତି ବାଢ଼ିଛି। କମିଟି ଆହୁରି କହିଛି ଯେ ଯଦି ବ୍ରିଜ୍‌ ନିର୍ମାଣ ହେଲେ ନଦୀ ଭିତରେ ପିଲର୍‌ କରିବାରେ ସମସ୍ୟା ରହିଛି, ତେବେ କୋଲକାତାର ‘ବିଦ୍ୟାସାଗର ସେତୁ’ ଭଳି ନୂତନ ଜ୍ଞାନକୌଶଳର ସହାୟତା ନେଇ ଏହି ଦୁଇଟି ସେତୁ କରାଯାଉ ବୋଲି କମିଟି କହିଛି।

ଏନ୍‌ଏଚ୍‌ଏଆଇ ରାଜ୍ୟ ମୁଖ୍ୟ ଆର୍‌.ପି ପଣ୍ଡାଙ୍କ ସୂଚନା ଅନୁସାରେ, କୋଷ୍ଟାଲ୍‌ ହାଇୱେ ପାଇଁ ଚଳିତ ବର୍ଷ ୫୦ ପ୍ରତିଶତ ଟେଣ୍ଡର୍‌ ଶେଷ ହୋଇଯିବ। ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ସ୍ଥିର କରିବାକୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଆବଶ୍ୟକ କାଗଜପତ୍ର ପଠାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର