କୋଷ୍ଟାଲ ହାଇୱେ, ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପକୁ ତ୍ବରାନ୍ବିତ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ। କଟକ-ସମ୍ବଲପୁର ଭାୟା ଅନୁଗୋଳ ଏନ୍‌ଏଚ୍‌-୫୫କୁ ଶୀଘ୍ର ସାରିବା ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କରିଡର ପ୍ରକଳ୍ପର ତ୍ୱରିତ ପଦକ୍ଷେପ ପାଇଁ ସମୀକ୍ଷା କରାଯାଇଛି। ଦୁଇଟି ପୃଥକ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଓଡ଼ିଶାର ପୂର୍ବାଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱ ରଖୁଥିବା ଏସବୁ ଜାତୀୟ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସଡ଼କ ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧୀନ ଏନ୍‌ଏଚ୍‌-୫୫ ଅନେକ ଶିଳ୍ପଭିତ୍ତିକ ସହର, କୃଷି କେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଇ ଯିବ। ଏନ୍‌ଏଚ୍‌- ୫୫(ପୂର୍ବରୁ ଏନଏଚ ୪୨) ସମ୍ବଲପୁରରୁ କଟକ ସେକ୍ସନ ତିନୋଟି ପ୍ୟାକେଜରେ ବିଭକ୍ତ ରହିଛି। ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ବିଳମ୍ବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ କୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡର ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଏହା ଗେମ୍ ଚେଞ୍ଜର ହେବ। ତେଣୁ ଏହି ପ୍ରକଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ଲାଗି ଶ୍ରୀ ଗଡ଼କରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଭାରତମାଳା ଯୋଜନା ଅନ୍ତର୍ଗତ ୧୧,୦୪୦ କୋଟି ଟଙ୍କାର ପ୍ରସ୍ତାବିତ ୩୪୫ କିମି ଲମ୍ବ ରାମେଶ୍ୱରରୁ ଦୀଘା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ମୃତ୍ତିକା ଅନୁସନ୍ଧାନ ବ୍ୟତିତ ଡିଟେଲ ଇଞ୍ଜିନିୟରିଂ ସର୍ଭେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାମେଶ୍ୱର-ରତ୍ନପୁର ପାଇଁ ଟେଣ୍ଡର ପ୍ରକ୍ରିୟା ଅକ୍ଟୋବର ୨୦୨୨ ସୁଦ୍ଧା ପ୍ରକାଶ ପାଇବ। ସେହିପରି ବଳକା ରତନପୁରରୁ ଦୀଘା ମାର୍ଚ୍ଚ ୨୦୨୩ ସୁଦ୍ଧା ଟେଣ୍ଡର ପ୍ରକାଶ ହୋଇପାରେ। ସହରାଞ୍ଚଳର ବିକାଶ ପାଇଁ ଆନୁମାନିକ ୫୭୪୪ କୋଟି ଟଙ୍କାର ପ୍ରସ୍ତାବିତ ଏନଏଚ-୧୬ ଅନ୍ତର୍ଭୁକ୍ତ ୧୧୧ କିମି କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ଖୋର୍ଦ୍ଧା ଟାଉନ, ଭୁବନେଶ୍ୱର ଓ କଟକ ସହର ବାଇପାସ ଦେଇ ଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇସାରିଥିବା ବେଳେ ମୃତ୍ତିକା ପରୀକ୍ଷଣ ବ୍ୟତିତ ସମସ୍ତ ଇଞ୍ଜିନିୟରିଂ ସର୍ଭେ ସମ୍ପୂର୍ଣ୍ଣ ହୋଇସାରଛି। ଅକ୍ଟୋବର ୨୦୨୨ ସୁଦ୍ଧା ଏହାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରାଯିବ। ସେହିପରି ପାରାଦୀପ-ବଡ଼ବିଲ ଇକୋନୋମିକ କୋରଡର ଅନ୍ତର୍ଗତ ୮ ଲେନ୍ ବିଶିଷ୍ଟ ପାରାଦୀପ-ଚଣ୍ଡିଖୋଲ, ଏନଏଚ-୧୬ର ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାଣିକୋଇଲି, ଏନ୍‌ଏଚ୍‌-୨୦ରେ ୪ ଲେନ୍ ବିଶିଷ୍ଟ ପାଣିକୋଇଲି-କେନ୍ଦୁଝର-ରିମୁଳି, ୪ ଲେନ୍ ବିଶିଷ୍ଟ ରିମୁଳି-ଭଦ୍ରାସାହୀ, ୪ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ଡ଼ୁବୁରି ଏବଂ ୪ ଲେନ୍ ବିଶିଷ୍ଟ ଡୁବୁରି-କେନ୍ଦୁଝର ରହିଛି। ଏହି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ୪ଟି ଏନଏଚ୍ ପ୍ରକଳ୍ପ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଗଲେ ଓଡ଼ିଶାରେ ବିକାଶର ନୂଆ ଧାରା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର