ଭୁବନେଶ୍ବର (ବିଶ୍ବଜିତ ଦାଶ): କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ପ୍ରକଳ୍ପରେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ହେବାକୁ ଥିବା କୋଷ୍ଟାଲ ହାଇୱେର ନିର୍ମାଣ ଉପରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ବିଶେଷଜ୍ଞ କମିଟି ରୋକ୍ ଲଗାଇଛି। ୪୫୧କିମିର ଏହି କୋଷ୍ଟାଲ ହାଇୱେର ଗୋପାଳପୁରରୁ ରତନପୁର ପର୍ଯ୍ୟନ୍ତ (୨୪୦.୧୨ କିମି) ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ପରିବେଶ ଅନୁମତି ସାର୍ଟିଫିକେଟ୍ ଦେବାକୁ ପରିବେଶ ମନ୍ତ୍ରାଳୟର ବିଶେଷଜ୍ଞ କମିଟି ମନା କରିଦେଇଛି। ବର୍ତ୍ତମାନ ଯେଉଁ ଡିଜାଇନ୍ର ଏବଂ ଯେଉଁ ଯେଉଁ ଅଞ୍ଚଳରେ ରାସ୍ତା ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ସେହିପରି ନିର୍ମାଣ ହେଲେ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡ଼ିବ। ବିଶେଷ କରି ବିଦେଶୀ ପକ୍ଷୀ ଏବଂ ଅଲିଭ ରିଡଲେ କଇଁଛଙ୍କ ପ୍ରତି ବିପଦ ଅଛି। ତେଣୁ ନୂଆ ବିକଳ୍ପ ରାସ୍ତା ଡିଜାଇନ୍ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି (ଇଏସି) ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁଆରି ୨୪ ଓ ୨୫ରେ ନୂଆଦିଲ୍ଲୀରେ ବସିଥିବା ଇଏସି ବୈଠକରେ ନୂଆ ଜାତୀୟ ରାଜପଥ (୫୧୬-ଏ) ନିର୍ମାଣ ପାଇଁ ଆବଶ୍ୟକୀୟ ପରିବେଶ ଅନୁମତି ଦେବାକୁ ପ୍ରସ୍ତାବ ଆସିଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଥିଲେ ଯେ, ଏହି କୋଷ୍ଟାଲ ହାଇୱେ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ନିକଟରୁ ଆରମ୍ଭ ହୋଇ ସାତପଡ଼ା, କୋଣାର୍କ, ଅସ୍ତରଙ୍ଗ, ନୂଆଗାଁ, ପାରାଦୀପ ବନ୍ଦର ହୋଇ ରତନପୁରରେ ଶେଷ ହେବ। ୨୪୦.୧୨କିମି ଲମ୍ବର ଏହି ରାସ୍ତା ପାଇଁ ୨୨ବିଲିଅନ ଅର୍ଥାତ୍ ୨୧୯୬.୪୯କୋଟି ଖର୍ଚ୍ଚ ହେବ। ଏହି ରାସ୍ତା ନିର୍ମାଣ ପାଇଁ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଛି ସେଥିରେ ରାସ୍ତା ଯିବାକୁ ଥିବା ଅଞ୍ଚଳର ଉଭୟ ପାର୍ଶ୍ବର ୧୦କିମି ପର୍ଯ୍ୟନ୍ତ ଅଞ୍ଚଳ ଉପରେ ସର୍ଭେ ହୋଇଛି। ଏଠାରେ ମୁଖ୍ୟତଃ ଚାଷ ଜମି ରହିଛି। ଏହାସହ ପତିତ ଭୂମି, ଗୋଚର, ଆଦ୍ରଭୂମି, ଲୁଣି ଅଞ୍ଚଳ, ନଦୀ ମୁହାଣ, ନଈ, ଜଙ୍ଗଲ ଏବଂ ବିଭିନ୍ନ ଜନବସତି ରହିଛି। ଏହି ରାସ୍ତା ନିର୍ମାଣ ପାଇଁ ୯୯୬.୨୫ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏଥିରୁ ୩୩.୬ହେକ୍ଟର ଜଙ୍ଗଲ ଜମି ରହିଛି।
ଏହି ରାସ୍ତା ନିର୍ମାଣ ପାଇଁ ତିନିଟି ରାସ୍ତାର ପ୍ରସ୍ତାବ ଆସିଥିଲେ ହେଁ ଏଥିରୁ କମ୍ ଜମି ଅଧିଗ୍ରହଣ, କମ୍ ଦୈର୍ଘ୍ୟ ଏବଂ କମ୍ ଖର୍ଚ୍ଚ ହେଉଥିବା ପ୍ରସ୍ତାବଟିକୁ ବଛା ଯାଇଛି। ଯାହା ଗୋପାଳପୁରରୁ ରତନପୁର ପର୍ଯ୍ୟନ୍ତ ଯିବ। ଏହାସହ କମ୍ ଜଙ୍ଗଲ ଜମି ଅଧିଗ୍ରହଣ କରିବାକୁ ପଡ଼ିବ, ସର୍ବନିମ୍ନ ୨୪୫୯୬ଟି ଗଛ କାଟିବାକୁ ପଡ଼ିବ, ଓଡ଼ିଶାରେ ଥିବା ପ୍ରମୁଖ ବନ୍ଦରଗୁଡ଼ିକୁ ଯୋଗାଯୋଗ ସହଜ ହେବ, କମ୍ ଜନବସତି ପ୍ରଭାବିତ ହେବ, ସେହି ଅଞ୍ଚଳର ଅର୍ଥନୈତିକ ପ୍ରଗତି ହେବ, ପର୍ଯ୍ୟଟନ ଦୃଷ୍ଟିରୁ ଅଧିକ ଲୋକ ଯାତାୟତ କରିବେ। ତେଣୁ ଏହି ରାସ୍ତାକୁ ଆବଶ୍ୟକୀୟ ଅନୁମତି ଦେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଥିଲେ।
କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବକୁ ବିଶେଷଜ୍ଞ କମିଟି ପ୍ରତ୍ୟାଖାନ କରିଦେଇଥିଲେ। କମିଟି କହିଥିଲା ଯେ, ଏହି ରାସ୍ତା ନିର୍ମାଣ ହେଲେ ୧୩ଟି ନଦୀ ଓ ହ୍ରଦ ଯଥା ଋଷିକୂଲ୍ୟା, ଚିଲିକା, କୁଶଭଦ୍ରା, କାଦୁଆ, ପ୍ରାଚୀ, ବରାଦିଆ, ବୋରୁଆଁ, ସଉନିଳା, ହରହୁଆ, ଗୋବରୀ, ନୂଆନଈ, ଦେବୀ ଏବଂ ମହାନଦୀକୁ ଅତିକ୍ରମ କରିବାକୁ ପଡ଼ିବ। ଏହି ନଦୀଗୁଡ଼ିକ ଉପରେ ବ୍ରିଜ୍ ନିର୍ମାଣ ହେଲେ ଅଲିଭ୍ ରିଡଲେଙ୍କ ଅଣ୍ଡା ଦାନ ଉପରେ ଏବଂ ଦେଶାନ୍ତର ପକ୍ଷୀଙ୍କ ଯାତାୟତ ଉପରେ ପ୍ରଭାବ ପଡ଼ିବ । ଏହାସହ ଭିତରକନିକା ଅଭୟାରଣ୍ୟରୁ ଆରମ୍ଭ ହେବାକୁ ଥିବା ରାସ୍ତା ବାଲୁଖଣ୍ଡ କୋଣାର୍କ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଚିଲିକା (ନଳବଣ) ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଦୁଇ ଭାଗ କରି ଯିବ। ଯାହା ଶୀତ ଋତୁରେ ଚିଲିକା ଓ ଭିତରକନିକାକୁ ଆସୁଥିବା ଦେଶାନ୍ତର ପକ୍ଷୀଙ୍କ ପ୍ରମୁଖ ବାସସ୍ଥଳୀ। ସେହିପରି ବାଲୁଖଣ୍ଡ ଅଭୟାରଣ୍ୟ ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡା ଦେବାର ପ୍ରମୁଖ ସ୍ଥାନ। ଏହି ଅଞ୍ଚଳରେ ରାସ୍ତା ନିର୍ମାଣ କଲେ ଏବଂ ଅଧିକ ଯାନବାହାନ ଚାଲିଲେ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡ଼ିବ। ତେଣୁ ଏଠାରେ କୋଷ୍ଟାଲ ହାଇୱେ ନିର୍ମାଣ କରିବାକୁ ଅନୁମତି ଦିଆଯାଇପାରିବନି ବୋଲି ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ରୋକଠୋକ୍ ଜଣାଇ ଦେଇଛି।
ଏହାସହ କମିଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛି ଯେ, କୋଷ୍ଟାଲ ହାଇୱେକୁ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୂରରେ ନିର୍ମାଣ କରାଯାଉ। ନୂଆ ଡିଜାଇନ୍ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ କମିଟି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/odisha-coastal-highway.jpg)