ପୁଣି ବିବାଦରେ ଉପକୂଳ ରାଜପଥ : ରାଜ୍ୟକୁ ଦୋଷ ଦେଲା ବିଜେପି

ଦାବି କଲା ଆଗ ସାତପଡ଼ା-ଗୋପାଳପୁର ନିଷ୍ପତ୍ତି ନିଅ
ସଂଜୟଙ୍କ ଉପରେ ବର୍ଷିଲା, ଉପକୂଳ ରାଜପଥ କମିନି, ବଢ଼ିଛି

ଭୁବନେଶ୍ବର : ଉପକୂଳ ରାଜପଥ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର -ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ପ୍ରସ୍ତାବିତ ରାଜପଥ ମାର୍ଗ ପରିବର୍ତ୍ତନ ପ୍ରସଙ୍ଗ ନେଇ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି। କେବଳ ସେତିକି ନୁହେଁ, କାହିଁକି ସାତପଡ଼ା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପ କାମକୁ ଅଟକାଇ ରଖିଛନ୍ତି, ସେଥିଲାଗି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି। ପ୍ରଥମେ ୨୭ ତାରିଖ ଦିନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବୈଠକ, ସରକାରଙ୍କ ପ୍ରେସ ବିଜ୍ଞପ୍ତି ଓ ଆଜିର ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ଉପକୂଳ ରାଜପଥକୁ ନେଇ ବିବାଦ ତେଜିଛି। ରାଜନୀତି ବି ତେଜିଛି। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ନେଇ ବିବାଦ ଏତେ ତୀବ୍ର ହୋଇଥିଲା ଯେ ପ୍ରକଳ୍ପ ସଂପର୍କରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସର୍ବନିମ୍ନ ସହମତି ହୋଇପାରିନଥିଲା। ଦୁଇ ବର୍ଷ ପରେ ପୁଣି ଥରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲାଣି।

ଆଜି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଉପକୂଳ ରାଜପଥ ରହିଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱରେ ଭାରତ ସରକାର ଏହି ପ୍ରକଳ୍ପକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ ସ୍ବପ୍ନର ପ୍ରକଳ୍ପ। ହେଲେ ଶ୍ରୀ ଦାସବର୍ମାଙ୍କ ଏହି ପ୍ରକଳ୍ପ ମାର୍ଗ ପରିବର୍ତ୍ତନ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଠିକ୍ ନୁହେଁ। ଉପକୂଳ ରାଜପଥର ଯେଉଁ ୧୭୭ କିମି ୧୪୯ ମିଟର ଲମ୍ବ ଅର୍ଥାତ୍ ଖୋର୍ଧା ଟାଙ୍ଗୀରୁ ରତନପୁର ଭାୟା ବ୍ରହ୍ମଗିରି – ପୁରୀ – କୋଣାର୍କ – ଅସ୍ତରଙ୍ଗ – ନାଉଗାଁ – ପାରାଦୀପ ବନ୍ଦର – କୁହାଯାଇଛି, ଗତ ନଭେମ୍ବର ୧୦ ତାରିଖରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ଏହାର ଟର୍ମସ ଅଫ୍ ରେଫରେନ୍ସ (ଟିଓଆର)କୁ ଅନୁମୋଦନ ଦେଇସାରିଛନ୍ତି। କିନ୍ତୁ ରାଜ୍ୟ ସରକାର ସାତପଡାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପର କାମକୁ ଅଟକାଇ ରଖିଛନ୍ତି କାହିଁକି?

ବିଜେପି କହିଛି ଯେ ପ୍ରକଳ୍ପର ଦ୍ୱିତୀୟ ଭାଗକୁ ହିସାବ ନିଆଯାଇନାହିଁ। ଗତ ଡ଼ିସେମ୍ବର ୧୫ ତାରିଖରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ୱାରା ଧାମରା, ବାସୁଦେବପୁର ବ୍ୟତୀତ ୧୭୦.୭୭ କିମି ଲମ୍ବର ରତନପୁରରୁ ଦୀଘା ପାଇଁ ଅନୁମୋଦନ ଦିଆଯାଇସାରିଛି। ସେହିପରି ୩୫ କିମି ଲମ୍ବ ଧାମରାରୁ ବାସୁଦେବପୁରର କାର୍ଯ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାମ୍ମୁଝାଡ଼ି – ଧାମରା ବନ୍ଦର ସଂଯୋଗ ସ୍ଥାପନ ଏହି ପ୍ରକଳ୍ପ ଅଧୀନକୁ ଆସିଛି। ଅର୍ଥାତ୍ ଏସବୁକୁ ମିଶାଇଲେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାଜ୍ୟ ସରକାର ଯେଉଁ ୩୭୦ କିମି ଲମ୍ବର ପ୍ରକଳ୍ପକୁ ଅନୁମୋଦନ କରିଥିଲେ, ତାହା ଠାରୁ ଅଧିକ ବର୍ତମାନ ୩୮୨.୮୪୯ କିମି ଲମ୍ବର ଉପକୂଳ ରାଜପଥକୁ ଅନୁମୋଦନ ଦିଆଯାଇଛି। ବିଜେପି ଏ ଯୁକ୍ତି ବି ରଖିଛି ଯେ ରାଜ୍ୟ ସରକାର ଗୋପାଳପୁରରୁ ସାତପଡ଼ାର ରାସ୍ତାକୁ ସହମତି ଦେଇନଥିବା ଯୋଗୁଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ ଅସ୍ତରଙ୍ଗ-ନାଉଗାଁ– ପାରାଦୀପ ବନ୍ଦର-ରତନପୁର-ଧାମରା-ଦୀଘାକୁ ନିରନ୍ତରତା ରଖିବା ପାଇଁ ଅନୁମତି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର