କାଳବୈଶାଖୀ କମାଇଲା ତାତି: ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆଶ୍ବସ୍ତି

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ଆଜି ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ଆଜିଠାରୁ ଓଡ଼ିଶା ପାଗରେ ପରିବର୍ତ୍ତନ ଆସିଛି। ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହୋଇଛି। ସ୍ଥାନେ ସ୍ଥାନେ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାରୁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବର ସମେତ ରାଜ୍ୟର କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ପାଳାଖେମୁଣ୍ଡିରେ ସର୍ବାଧିକ ୨୬.୬ ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୫.୩, ଭୁବନେଶ୍ବରରେ ୧୦.୫, ନୟାଗଡ଼ାରେ ୧୪ ମିମି ବର୍ଷା ‌ହୋଇଛି। ଏହାବ୍ୟତୀତ ଚାନ୍ଦବାଲି, କଟକ, ପାରାଦୀପ, ପୁରୀ, ସମ୍ବଲପୁର, ଛତ୍ରପୁର ସହରରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗିରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ‌ଯେ ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ଅନେକ ସ୍ଥାନରେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ତେଣୁ ଗ୍ରୀଷ୍ମ ପ୍ରବାହର କୌଣସି ସମ୍ଭାବନା ନାହିଁ। ଆସନ୍ତା ୪ରୁ ୫ ଦିନ ଯାଏଁ ବର୍ଷା ହେବାକୁ ଥିବାରୁ ଆଶ୍ବସ୍ତିକର ସ୍ଥିତି ରହିବ ଏବଂ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଏହା ସୁହାଇବ। ମେ’ ୭ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ମେ’ ୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ହେବାକୁ ଥିବାରୁ ‌ଅରେଞ୍ଜ ଓ ବାକି ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୯ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ‌କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶା ତତଲା ପାଲଟିଛି। ବଲାଙ୍ଗୀର ଆଜି ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହେବା ସହ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ୪୪, ବୌଦ୍ଧରେ ୪୩.୫, ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୩.୪, ଭବାନୀପାଟଣା ଓ ବରଗଡ଼ରେ ୪୩, ସୁନ୍ଦରଗଡ଼ରେ ୪୨.୯, ରାଉରକେଲାରେ ୪୨.୬, ମାଲକାନଗିରିରେ ୪୨.୫, ସୋନପୁରରେ ୪୨.୩, ଅନୁଗୁଳରେ ୪୨.୧, ହୀରାକୁଦରେ ୪୨ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର