କୁହୁଡ଼ି ଆସ୍ତରଣରେ ଉପକୂଳ ଓଡ଼ିଶା, ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କୁହୁଡ଼ିର ଚାଦରରେ ଆଚ୍ଛାଦିତ ହେଉଛି ରାଜ୍ୟ। ଆଗକୁ କିଛି ଦିନ ବି ଏହିଭଳି ଭାବେ କୁହୁଡ଼ିର ଆସ୍ତରଣ ପଡ଼ିବ। ଆସନ୍ତାକାଲି ୮ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଅନୁଗୁଳ ଓ ଢେଙ୍କାନାଳ। ଏଥିସହ ରାଜ୍ୟର ବାକି କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ବି ପଡ଼ିବ ବୋଲି ବିଭାଗ ସୂଚନା ଦେଇଛି।

ଗତକାଲିର ୱାର୍ଣ୍ଣିଂ ଅନୁସାରେ ଆଜି ସକାଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଏହାର ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା। ଏହାଛଡ଼ା ପାରାଦୀପଠାରେ ଘନ କୁହୁଡ଼ି ଦେଖାଯାଇଥିଲା। ଏହାର ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା। ଅନ୍ୟପଟେ ଭୁବନେଶ୍ବର, କଟକ ଓ ଫୁଲବାଣୀରେ ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଥିଲା। ଏହାର ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ କୁହୁଡ଼ି ପାଇଁ ପାଗ ଉପଯୋଗୀ ରହୁଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳବର୍ତୀ ଓଡ଼ିଶା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ‌ସୋନପୁର, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି। ୮ ତାରିଖ ସକାଳୁ କଟକ, ଜଗତସିଂହପୁର, ସୋନପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ପୁରୀ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଅନ୍ୟପ‌ଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। ଅର୍ଥାତ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଭଳି ଶୀତ ଜାରି ରହିବ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ସୋନପୁରର ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୬ ଡିଗ୍ରିକୁ ଖସିଛି। ଏଥିସହ ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ ହୋଇଛି। ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ତାପମାତ୍ରା ଥିବା ସ୍ଥାନଗୁଡ଼ିକ ମଧ୍ୟରେ ଫୁଲବାଣୀରେ ୮.୩ ଡିଗ୍ରି ଓ ଅନୁଗୁଳରେ ୧୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହାଛଡ଼ା କଟକରେ ୧୫. ୮ ଓ ଭୁବନେଶ୍ବରରେ ୧୭.୬ ଡିଗ୍ରି ତାପମାତ୍ରା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର