ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଆକାଶରୁ ନିଆଁ ଖସିବ। ମୌସୁମୀରେ ବିଶେଷ ବର୍ଷା ହେବ ନାହିଁ। ଉଷ୍ମତା ଚରମସୀମାରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କଲେଣି। ଜଳବାୟୁ ପ୍ରକ୍ରିୟା ଲା-ନିନା ନିଷ୍କ୍ରିୟ ହୋଇ ଏଲ୍-ନିନୋ ଏହି ବର୍ଷଠାରୁ ସକ୍ରିୟ ହେଉଥିବାରୁ ଚଳିତ ବର୍ଷର ପାଣିପାଗ ଉଷ୍ମ ରହିବ। ୟୁକେ ପାଣିପାଗ ସଂସ୍ଥା, ଅଷ୍ଟ୍ରେଲିଆ ପାଣିପାଗ ସଂସ୍ଥା ତଥା ଆମେରିକାସ୍ଥ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ହୋଇଥିବା ଦୀର୍ଘଅବଧି ଆକଳନ ଅନୁସାରେ ୨୦୨୨ ତୁଳନାରେ ୨୦୨୩ ମସିହାରେ ଗ୍ରୀଷ୍ମ ଋତୁର ଉଷ୍ମତା ଅଧିକ ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଏବର୍ଷ ଦେଶବାସୀ ଗରମରେ ସନ୍ତୁଳି ହେବେ ବୋଲି ଅନୁମାନ କରାଯାଉଛି।
ପାଣିପାଗ ବିଜ୍ଞାନୀମାନଙ୍କ କହିବା କଥା ହେଉଛି, ଗତ ୩ ବର୍ଷ ହେଲା ଲଗାତାର ସକ୍ରିୟ ଥିବା ଜଳବାୟୁ ପ୍ରକ୍ରିୟା ଲା-ନିନାର ଚଳିତ ବର୍ଷ ନିଷ୍କ୍ରିୟ ହେବା ସହ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଲ୍-ନିନୋ ପ୍ରକ୍ରିୟା ସକ୍ରିୟ ହେବାକୁ ଯାଉଛି। ସାଧାରଣ ଭାବେ ଜଳବାୟୁ ପ୍ରକ୍ରିୟା ଲା-ନିନା ସକ୍ରିୟ ରହିଲେ ଗ୍ରୀଷ୍ମ ଋତୁରେ ଭାରତରେ ଉଷ୍ମତା କମ୍ ରହିଥାଏ। ସେହିପରି ବିପରୀତ ପ୍ରକ୍ରିୟା ଏଲ-ନିନୋ ସକ୍ରିୟ ରହିଲେ ଉଷ୍ମତା ତୀବ୍ରତର ହୋଇଥାଏ। ଚଳିତବର୍ଷ ଏଲ୍-ନିନୋ ସକ୍ରିୟ ହେବାକୁ ଯାଉଥିବାରୁ ମୌସୁମୀ ଋତୁରେ ବର୍ଷାର ପରିମାଣ ମଧ୍ୟ କମିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଧାରଣତଃ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ମୌସୁମୀ ବର୍ଷାକୁ ନିୟନ୍ତ୍ରଣ କରୁଥିବାରୁ ଚଳିତ ବର୍ଷ ରାଜ୍ୟ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିବ ଓ ବର୍ଷା କମି ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି।
କେବଳ ସେତିକି ନୁହେଁ, ଗତବର୍ଷ ଲା-ନିନା ସତ୍ତ୍ବେ ଗ୍ରୀଷ୍ମପ୍ରବାହ ଅତ୍ୟନ୍ତ ଚରମ ସ୍ଥିତିରେ ପହଞ୍ଚିଥିଲା, ଟିଟଲାଗଡ଼ରେ ଗ୍ରୀଷ୍ମ ଋତୁରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରି, ବୌଦ୍ଧରେ ଜୁନ ମାସର ଦ୍ୱିତୀୟ ସପ୍ତାହ ପ୍ରାରମ୍ଭରେ ୪୫.୨ ଡିଗ୍ରି ତଥା ଭୁବନେଶ୍ୱରରେ ୪୩.୩ ଡିଗ୍ରି ଛୁଇଁଥିଲା। ଏଥିସହ ସାରାରାଜ୍ୟ ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହୋଇଥିଲା। ୨୦୨୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଲାଗି ରହିଥିବା ତ୍ରୟବାର୍ଷିକ ଲା-ନିନା ସତ୍ତ୍ବେ ୨୦୨୧ରେ ଭୁବନେଶ୍ୱରରେ ମାର୍ଚ୍ଚ ୩୦ରେ ୪୪.୨ ଡିଗ୍ରି ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ଏଥିସହ ଭୁବନେଶ୍ୱର ବିଶ୍ୱର ଉତ୍ତପ୍ତ ସହର ମଧ୍ୟ ପାଲଟିଥିଲା। ସେହିପରି ବାରିପଦା ୨୦୨୧ ମସିହା ଏପ୍ରିଲ ୧ରେ ୪୪.୬ ଡିଗ୍ରି ସହ ମଧ୍ୟ ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା।
କଲମ୍ବିଆ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଡିସେମ୍ବର ମାସର ତାପମାତ୍ରା ସ୍ଥିତିକୁ ନେଇ ଯାହା ଆକଳନ କରିଛି ସେଥିରୁ ଜଣାପଡ଼ୁଛି ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ଓଡ଼ିଶାର ତାପମାତ୍ରା ବେଶ୍ ଅଧିକ ରହିବ। ପ୍ରଥମ ଅବଧିରେ (ମାର୍ଚ୍ଚ-ଅପ୍ରେଲ-ମେ’) ଉଷ୍ମତା ଆଭ୍ୟନ୍ତର ଓଡ଼ିଶାରେ ଅଧିକ ରହିବ। ସେହିଭଳି ଦ୍ୱିତୀୟ ଅବଧିରେ (ଏପ୍ରିଲ-ମେ’-ଜୁନ) ଗ୍ରୀଷ୍ମ ପ୍ରବାହ ଅାଭ୍ୟନ୍ତରୀଣ ସମେତ ଉପକୂଳରେ ଯଥେଷ୍ଟ ଅଧିକ ରହିବ। ଫଳରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଢେର ଅଧିକ ରହିବ। ଲା-ନିନା ଧୀରେଧୀରେ ଦୁର୍ବଳ ହେଉଥିବାରୁ ରାଜ୍ୟରେ ଚଳିତ ଶୀତ ଋତୁରେ ମାତ୍ର ଦୁଇଦିନ ଶୀତ ଲହରି ପ୍ରବାହିତ ହୋଇଥିବା ଜଣାପଡ଼ିଛି। ଏଥିସହ ଚଳିତ ଶୀତ ଋତୁରେ ରାତି ତାପମାତ୍ରାରେ ଅସ୍ୱାଭାବିକ ଭାବେ ବୃଦ୍ଧି ଘଟିଛି। ଏଥିରୁ ସ୍ପଷ୍ଟ ହେଉଛି, ଚଳିତ ବର୍ଷ କେବଳ ଗ୍ରୀଷ୍ମ ଉଗ୍ର ନୁହେଁ ବରଂ ମୌସୁମୀ ବି ଅଧିକ ଚରମ ସ୍ଥିତିରେ ରହିବ। ଏଥିସହ ବର୍ଷା ଯଥେଷ୍ଟ କମିବ ବୋଲି ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ଓ ପବନ ଦ୍ୱାରା ପରିଚାଳିତ ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା ହେଉଛି ଲା- ନିନା ଓ ଏଲ୍-ନିନୋ। ଲା-ନିନାରେ ପୂର୍ବ-ପ୍ରଶାନ୍ତ ମହାସାଗର ଥଣ୍ଡା ଓ ପଶ୍ଚିମ ଗରମ ରହୁଥିବା ବେଳେ ଏଲ-ନିନୋରେ ଠିକ ବିପରୀତ ପ୍ରକ୍ରିୟା କାର୍ଯ୍ୟ କରିଥାଏ। ପ୍ରଶାନ୍ତ ମହାସାଗରରେ ଅନୁଭୂତ ହେଉଥିବା ଏହି ଜଳବାୟୁ ପ୍ରକ୍ରିୟା ଆମ ଦେଶରେ ଅନୁଭୂତ ହେଉଥିବା ମୌସୁମୀ ଋତୁର ବର୍ଷା, ଗ୍ରୀଷ୍ମ ପ୍ରବାହ ଓ ଶୀତ ଲହରିକୁ ପ୍ରଭାବିତ କରିଥାଏ।