କୋଷ୍ଟଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ

ପୁରୀ : ଇଣ୍ଡିଆନ୍‌ କୋଷ୍ଟଗାର୍ଡର ଏକ ହେଲିକପ୍ଟର ତାଳବଣିଆ ହେଲିପ୍ୟାଡ୍‌ରେ ଜରୁରି ଅବତରଣ କରିଛି। ଏଥିସହ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି। ସମୁଦ୍ର ଉପର ଭାଗରେ ‌ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଶନିବାର ପୂର୍ବାହ୍ଣରେ କୋଷ୍ଟଗାର୍ଡର ଏହି ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଇନ୍ଧନ ଲିକେଜ୍‌ ହେବାରୁ ତରବରିଆ ଭାବେ ହେଲିପ୍ୟାଡ୍‌ରେ ଅବତରଣ କରାଯାଇଥିଲା। ତ୍ରୁଟି ଦେଖାଯିବା ସ୍ଥଳ ନିକଟରେ ହେଲିପ୍ୟାଡ୍‌ ଥିବାରୁ ଏକ ବଡ଼ ଅଘଟଣରୁ ହେଲିକପ୍ଟରଟି ବର୍ତିଯାଇପାରିଛି ବୋଲି ଇଣ୍ଡିଆନ କୋଷ୍ଟଗାର୍ଡର କର୍ମଚାରୀ କହିଛନ୍ତି। ପୂର୍ବାହ୍ଣ ୧୧ଟା ୪୦ ମିନିଟ୍‌ରେ ହେଲିକପ୍ଟରଟି ଅବତରଣ କରିବା ପରେ ଆଉ ଏକ ହେଲିକପ୍ଟରରେ ୫ ଜଣ କର୍ମଚାରୀ ଆସି ହେଲିପ୍ୟାଡରେ ପହଞ୍ଚି ମରାମତି ଆରମ୍ଭ କରିଥିଲେ। ମରାମତି ପରେ ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ହେଲିକପ୍ଟର ଉଡ଼ାଣ କରିଥିଲା।

ସମ୍ବନ୍ଧିତ ଖବର