ଡରାଉଛି ଅଶାନ୍ତ ସମୁଦ୍ର, ବିପଦରେ ବେଳାମାର୍ଗ

ମଙ୍ଗଳା ମୁହାଣରେ କୂଳ ଖାଇଥିଲା, ଏବେ ପୁରୀ‌-କୋଣାର୍କ ମେରାଇନ୍‌ ରାସ୍ତା

ପୁରୀ : ପୁରୀ ଉପକୂଳରେ ଦିନକୁ ଦିନ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଫଳରେ ସମୁଦ୍ର ଜୁଆର ପୂର୍ବାପେକ୍ଷା ବହୁ ଆଗକୁ ଆସି ଲହଡ଼ି ଭାଙ୍ଗୁଛି। ସେ ପୁରୀ ବେଳାଭୂମି ହେଉ କି ବ୍ରହ୍ମଗିରି, କୋଣାର୍କ ଅବା ଅସ୍ତରଙ୍ଗ, ସବୁଠି ସମାନ ସ୍ଥିତି ଦେଖିବାକୁ ମିଳିଛି। ସମୁଦ୍ର ବହୁ ଆଗକୁ ଆସି କୂଳ ଖାଇବା ଆରମ୍ଭ କରିଛି। ମଙ୍ଗଳା ମୁହାଣ, ପୁରୀ-କୋଣାର୍କ ମେରାଇନ୍‌ ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ ହୋଇଥିବା ବେଳେ ମନୁଷ୍ୟକୃତ ବିଭିନ୍ନ ପ୍ରକାର ପ୍ରତିକୂଳ ସ୍ଥିତି ଏହାର ପ୍ରମୁଖ କାରଣ ବୋଲି ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି। ସୁଉଚ୍ଚ ବାଲିବନ୍ତ ତାଡ଼ିଦେବା ସହ ଝାଉଁବଣକୁ କାଟିନେବା ଫଳରେ ଆଜି ସମୁଦ୍ର କୂଳ ଖାଇବା ସହ ସମୁଦ୍ରକୂଳ ଜନବସତି ପାଇଁ ବିପଦ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି। ଏହା ସତର୍କଘଣ୍ଟି ହୋଇଥିବା ବେଳେ ପ୍ରଶାସନ ବେଳ ଥାଉ ସାବଧାନ ହେବା ଜରୁରୀ ହୋଇପଡ଼ିଛି। ଏଭଳି ସ୍ଥିତିରେ ସମୁଦ୍ର କୂଳରେ ଜି‌ଓ ସିନ୍ଥେଟିକ ୱାଲ୍‌ ନିର୍ମାଣ କ୍ଷେତ୍ରରେ ପ୍ରଶାସନ, ରାଜନେତାଙ୍କ ନିରବତା ବିପଦକୁ ଆହୁରି ବଢ଼ାଇବାରେ ଲାଗିଛି।

ପ୍ରସ୍ତାବରେ ଅଟକିଛି ଜିଓ‌ ସିନ୍ଥେଟିକ ପ୍ରାଚୀର

୨୦୧୬ ମସିହାରେ ପୁରୀ ବେଳାଭୂମି ହୋଟେଲ ଷ୍ଟର୍ଲିନ ନିକଟରେ ସମୁଦ୍ର କୂଳ ଲଂଘିଥିଲା। ମଙ୍ଗଳ ମୁହାଣ ପୋତି ହୋଇଯିବା ଓ ଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେବାରୁ ସମୁଦ୍ର ଜଳ ସହ ମଙ୍ଗଳା ନଈର ଜଳ ମିଶି ଷ୍ଟର୍ଲିନ୍‌ ରାସ୍ତାରେ ପିଟି ହୋଇଥିଲା। ଫଳରେ ଏହି ରାସ୍ତା ସମ୍ପୂର୍ଣ୍ଣ ସମୁଦ୍ର ଆଁକୁ ଚାଲି ଯାଇଥିଲା। ସେ ସମୟରେ ବହୁ ତୁମ୍ବିତୋଫାନ ହୋଇଥିଲା। ସିଆର୍‌ଜେଡ୍‌ ସହ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ବିସ୍ତୃତ ଅନୁଧ୍ୟାନ କରିଥିଲେ। ପରେ ପୁନର୍ବାର ୨୦୧୮ ମସିହାରେ ସମାନ ସ୍ଥିତି ଉପୁଜିଥିଲା। ଏଣୁ ଏଠାରେ ଜିଓ ସିନ୍ଥେଟିକ ୱାଲ୍‌ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ଜଳସେଚନ ବିଭାଗ। ସେହି ଅନୁଯାୟୀ ଡିପିଆର୍‌ ପ୍ରସ୍ତୁତ ହେଲା। କିନ୍ତୁ ରାଜ୍ୟ ସରକାର ଏହାକୁ ନାମଞ୍ଜୁର କଲେ। ଯେଉଁଥିପାଇଁ ଏଠାରେ ଆଜି ପର୍ଯ୍ୟନ୍ତ ଜିଓ‌ ସିନ୍ଥେଟିକ ୱାଲ୍‌ ନିର୍ମାଣ ହୋଇପାରିନାହିଁ। ଏଣୁ ସମୁଦ୍ର ନିୟମିତ ଏଠାରେ ଅଶାନ୍ତ ରହୁଥିବା ଓ କୂଳ ଲଂଘୁଥିବା ଦେଖିବାକୁ ମିଳିଛି।

ସେପଟେ କିଛିଦିନ ହେବ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତାରେ ସମୁଦ୍ର ଜୁଆର କୂଳ ଲଂଘିବା ଏବେ ବିପଦ ସୃଷ୍ଟିକରିଛି। ଯଦି ସମୁଦ୍ର ଜଳକୁ ଅଟକା ନ ଯାଏ, ଏହା ରାସ୍ତାକୁ ସମୁଦ୍ର ଗର୍ଭକୁ ଟାଣିନେବା ଆଶଙ୍କା ଦେଖାଦେଇଛି। କୂଳ ଖାଇବା ଆଗରୁ ଅତୀତରେ ଚନ୍ଦ୍ରଭାଗାରୁ ଲୋଟସ୍‌ ଦେଇ ଲମ୍ବିଥିବା ରାସ୍ତା କଡ଼ରେ ଜିଓ ସିନ୍ଥେଟିକ ୱାଲ ନିର୍ମାଣର ଯୋଜନା କରାଯାଇଥିଲା। ଯେଉଁ ଜାଗାରେ ଏବେ କୂଳ ଖାଇଛି, ତାହା ବି ଜିଓ ସିନ୍ଥେଟିକ ୱାଲ ଯୋଜନା ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ‌ପ୍ରଶାସନିକ ଅବହେଳା ଓ ସମୁଦ୍ରର ଅସ୍ବାଭାବିକ ରୂପ ପାଇଁ ଏହି ଯୋଜନା ଅଧାରେ ଅଟକିଗଲା। ଏବେ କୂଳ ଖାଇବା ପରେ ପୁନର୍ବାର ଜିଓ ସି‌ନ୍ଥେଟିକ୍‌ ୱାଲ୍‌ ପ୍ରସଙ୍ଗ ଉଠାଇଛନ୍ତି ସ୍ଥାନୀୟ ଲୋକେ। ଯଦି ଚନ୍ଦ୍ରଭାଗା, ରାମଚଣ୍ଡୀ ଓ ଆଖପାଖ ଅଞ୍ଚଳବାସୀଙ୍କୁ ସମୁଦ୍ର ଆଁ’ରୁ ସୁରକ୍ଷା ଦେବାର ଅଛି, ତେବେ ତୁରନ୍ତ ଜି‌ଓ ସିନ୍ଥେଟିକ୍‌ ୱାଲ୍‌ କାମକୁ ତ୍ବରାନ୍ବିତ କରାଯାଉ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର