କୋଣାର୍କ: ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ। କିଛି ବର୍ଷ ପୂର୍ବରୁ ଜୁଆର ମାଡ଼ରେ ବେଳାମାର୍ଗର କିଛି ଅଂଶ ଧସିଯିବା ପରେ ନୂଆ କରି ନିର୍ମାଣ ହୋଇଥିଲା। କିନ୍ତୁ ଏବେ ବି ସମୁଦ୍ର ଜୁଆର କୂଳ ଲଂଘିବା ନେଇ ଆଶଙ୍କା ଲାଗି ରହିଛି। ଜାତୀୟ ରାଜପଥ ମାନ୍ୟତା ଲାଭ କରିଥିବା ପୁରୀ-କୋଣାର୍କ ବେଳାମାର୍ଗ ପାଇଁ ସମୁଦ୍ର ହିଁ ବିପଦ ସାଜିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠି ଅନେକ ସମୟରେ କୂଳ ଲଂଘୁଥିବା ବେଳେ ତାହା ଏହି ରାଜପଥ ଆଡ଼କୁ ମାଡ଼ିଆସିବା ଯୋଗୁ ରାଜପଥ ସଂଲଗ୍ନ ଅତଡ଼ା ଧସିଯାଉଛି। ବେଳାମାର୍ଗକୁ ଲାଗି ରହିଥିବା ବାଲିବନ୍ଧ ମଧ୍ୟ ଅନେକ ଜାଗାରେ ନଷ୍ଟ ହୋଇଗଲାଣି।

Advertisment

ସମୁଦ୍ର ବେଳାମାର୍ଗ ଧସିବା ଆରମ୍ଭ ହେବା ପରେ ବେଳାମାର୍ଗ କଡ଼ରେ ଜିଓ ସିନ୍ଥେଟିକ୍‌ ପ୍ରାଚୀର ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ଏହା ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ। ସମୁଦ୍ର କୂଳେ କୂଳେ ପର୍ଯ୍ୟଟନ ସହର କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ପ୍ରାୟ ୩୫ କିଲୋମିଟର ଲମ୍ବା ଏହି ବେଳାମାର୍ଗର ସୁରକ୍ଷା ପ୍ରତି ଆବଶ୍ୟକ ପଦକ୍ଷେପ ଜରୁରୀକାଳୀନ ଭିତ୍ତିରେ ନିଆନଗଲେ ଏହା ସମ୍ପୂର୍ଣ୍ଣ ଧସିଯିବାର ଆଶଙ୍କାକୁ ଏଡ଼ାଇ ହେବନାହିଁ। ଏହି ରାସ୍ତା ଦେଇ ପ୍ରତି ଦିନ ଦେଶବିଦେଶର ହଜାର ହଜାର ପର୍ଯ୍ୟଟକ ଗାଡି ଯାତାୟାତ କରିଥାଏ। ରାମଚଣ୍ଡୀ ସାହୁଖଣତାଠାରୁ ଚନ୍ଦ୍ରଭଗା ବେଳାମାର୍ଗ ରାସ୍ତାରେ ଏବେ ସମୁଦ୍ର ଜୁଆର ମାଡ଼ ହୋଇ ଅତଡ଼ା ଖାଉଥିବା ଦେଖିବାକୁ ମିଳିଛି I ବିଶେଷ ଭାବେ ସମୁଦ୍ର ଜୁଆରରୁ ରାସ୍ତାକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ବାଲିବନ୍ତଗୁଡିକୁ ସୁରକ୍ଷିତ ରଖାଯାଇ ପାରୁନାହିଁ। ଅନେକ ବାଲିମାଫିଆ ଏହି ବାଲିବନ୍ତଗୁଡିକରୁ ତାଡ଼ି ବାଲି ଲୁଟ କରି ନେଇଯିବା ଫଳରେ ବେଳାମାର୍ଗ ରାସ୍ତା ସମୁଦ୍ର ଗର୍ଭରେ ଲୀନ ହୋଇ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି।

ଦୀର୍ଘ ୩ ବର୍ଷ ହେଲା ସମୁଦ୍ରର ଉଗ୍ରରୂପ ଦେଖିବାକୁ ମିଳୁଥିବାରୁ ବର୍ତ୍ତମାନ ବେଳାମାର୍ଗର ମୁଖ୍ୟରାସ୍ତା ସମୁଦ୍ରଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଛି। ବେଳେ ବେଳେ ସମୁଦ୍ର ଅଶାନ୍ତ ହୋଇଯିବା ଫଳରେ ଲହଡ଼ି ଆସି ରାସ୍ତା ପାର୍ଶ୍ୱ ବାଲି ଛୁଉଁଥିବା ଦେଖିବାକୁ ମିଳୁଛି। ଚନ୍ଦ୍ରଭାଗାଠାରୁ ସାହୁ ଖଣତା ଇକୋ ରିଟ୍ରିଟ୍‌ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟରରୁ ଅଧିକ ରାସ୍ତା ନିକଟରେ ସମୁଦ୍ର ଅଧିକ କରାଳ ରୂପ ଧାରଣ କରୁଛି। ମୁଖ୍ୟରାସ୍ତାକୁ ସୁରକ୍ଷା ଯୋଗାଉଥିବା ବାଲିବନ୍ତଗୁଡିକୁ ଧୋଇ ରାସ୍ତାକୁ ସୁରକ୍ଷିତ ରଖିଥିବା ପଥର ପାଚେରିଗୁଡିକୁ ଏହା ଭାଙ୍ଗିରୁଜି ଦେଇଛି। ଦୀର୍ଘ ୨୦ ବର୍ଷ ମଧ୍ୟରେ ସମୁଦ୍ରର ଏଭଳି ଉଗ୍ର ରୂପ ଦେଖିନଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ଏହି ରାସ୍ତାକୁ ସମୁଦ୍ର ଜୁଆରରୁ ବଞ୍ଚାଇବାକୁ ହେଲେ ଚନ୍ଦ୍ରଭାଗାଠାରୁ ସାହୁ ଖଣତା ଲୋଟସ୍‌ ରିସର୍ଟ ପଛ ପାର୍ଶ୍ୱ ଦେଇ ଚନ୍ଦ୍ରଭଗା ନୋଳିଆ ବସ୍ତି ପର୍ଯ୍ୟନ୍ତ ସୁରକ୍ଷା ପାଚେରି ନିର୍ମାଣ ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ କାଶିନାଥ ନାୟକ ଓ ପୁରୀର ପରିବେଶବିତ୍‌ ସରୋଜ କୁମାର ଜେନା ମତବ୍ୟକ୍ତ କରିଛନ୍ତି।