ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଖାଇଲେ କୋବ୍ରା ବାଟାଲିୟନର ଯବାନ।ସୁକମା ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମର ଭୀମରାମ ବେଟ୍ଟୀଙ୍କ ପତ୍ନୀ ମାୟା ବେଟ୍ଟି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ କିପରି ମାୟାକୁ ମେଡିକାଲରେ ପହଞ୍ଚାଇବେ କିଛି ବୁଝିପାରିନଥିଲେ। ଏନେଇ ପୋଟକପଲ୍ଲୀ ଗ୍ରାମରେ ଅବସ୍ଥାପିତ ୨୦୮ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ଏ.କେ.ରାୟ ଜାଣିବା ପରେ ତୁରନ୍ତ ମହିଳାଙ୍କୁ ପ୍ରଥମେ କୋବ୍ରା ବାଟାଲିୟନର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ରାଜେଶ ପଟ୍ଟା ଚିକିତ୍ସା କରିବା ପରେ ତୁରନ୍ତ ଏକ ଆମ୍ବୁଲାନସ ଯୋଗେ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଲମ ମେଡିକାଲକୁ ପଠାଇଥିଲେ।

Advertisment

ଭଦ୍ରାଞ୍ଚଲମ ମେଡିକାଲରେ ମାୟା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମା ଓ ଶିଶୁ ଭଦ୍ରାଞ୍ଚଲମ ମେଡିକାଲରେ ସୁସ୍ଥ ଥିବା ଜଣାପଡିଛି। ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମଠାରୁ ମେଡିକାଲ ୭୦ କିଲୋମିଟର ଦୂର ହୋଇଥିବାରୁ ଏହି ଅଂଚଳରେ ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଏଠାରେ କୋବ୍ରା ବାଟାଲିୟନର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସରକାରଙ୍କ ତରଫରୁ ଏକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ନକ୍ସଲ ପ୍ରବଣ ଅଂଚଳରେ ଯବାନ କେବଳ ନକ୍ସଲଙ୍କୁ ଦମନ ନେଇ ଅବସ୍ଥାପିତ ହୋଇନାହାନ୍ତି ବରଂ ସ୍ଥାନୀୟ ଅଂଚଳର ଲୋକଙ୍କ ସହ ସୁସଂପର୍କ ରକ୍ଷା କରିବା ସହ ସେହି ଅଂଚଳର ବିକାଶ ଏବଂ ସମାଜସେବା, ପରିବେଶ ସୁନ୍ଦର କରିବା ଦିଗରେ ମଧ୍ୟ ସବୁବେଳେ ଯତ୍ନବାନ। ଯବାନଙ୍କ ଏଭଳି ସହାୟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାବେଳେ ମାୟାଙ୍କ ପରିବାର ଲୋକେ ଯବାନଙ୍କ କାମକୁ ପ୍ରଶଂସା କରିଥିଲେ।