ସୀମାନ୍ତ ଗାଁରେ ଚାଲୁଛି କୁକୁଡ଼ା ଲଢ଼େଇ; ପ୍ରଚାର ଓ ପ୍ରସାରର ମାଧ୍ୟମ ସାଜିଛି ହ୍ବାଟ୍‌ସଅପ୍‌

ପରିଚାଳନା କରୁଛନ୍ତି ଝାରଖଣ୍ଡ ଅପରାଧୀ

ରାଉରକେଲା: ଉଭୟ ସୁନ୍ଦରଗଡ଼ ଓ ରାଉରକେଲା ପୁଲିସର ଚଢ଼ଉ ସତ୍ବେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ବନ୍ଦ ହେଉନି କୁକୁଡ଼ା ଲଢ଼େଇ। ସବୁ କିଛି ଚାଲିଛି ଭିତିରି ସଲାସୁତୁରାରେ। ଖେଳକୁ ପରିଚାଳନା କରୁଛନ୍ତି ଝାଡ଼ଖଣ୍ଡର ଅପରାଧୀ। ଏମାନଙ୍କୁ ସହାୟତା କରୁଛନ୍ତି ସ୍ଥାନୀୟ ଅଞ୍ଚଳ କିଛି ଯୁବକ। ଯେଉଁମାନେ ଝାଡ଼ଖଣ୍ଡ ଅପରାଧୀଙ୍କଠାରୁ ମୋଟା ଅଙ୍କର ଅର୍ଥ ପାଉଛନ୍ତି। କୁକୁଡ଼ା ଲଢ଼େଇ ସହିତ ଗୋଟିଏ ଗୋଟିଏ ଜାଗାରେ ପକାଯାଉଛି ୪ରୁ ୫ଟି ଘୁଡଘୁଡ ପଟି। ବାଜି ଲାଗୁଛି ଶହରୁ ଆରମ୍ଭ କରି ୬ରୁ ୧୦ ହଜାର ଟଙ୍କା। କୁକୁଡା ଲଢ଼େଇରେ ଯେମିତି ଟଙ୍କା ଉଡୁଛି। ଘୁଡ଼ଘୁଡ ପଟିରେ ମଧ୍ୟ ସେହି ସମାନ ଟଙ୍କା ଉଡୁଛି। ଲୋକେ ଜିତୁଛନ୍ତି କମ୍‌, ହାରୁଛନ୍ତି ବେଶି।

ଦିନକୁ ରୋଜଗାର କରୁଛନ୍ତି ୫ରୁ ୧୦ ଲକ୍ଷ ଟଙ୍କା। ରଉରକେଲା ପୁଲିସ ବାରମ୍ବାର ଚଢ଼ଉ କରିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା, ଭାଲୁଲତା, ମହିପାଣି ଆଦି ଅଞ୍ଚଳରେ ପୂର୍ବପରି ନିୟମିତ ବ୍ୟବଧାନରେ ଖେଳ ହେଉ ନାହିଁ। ତଥାପି ଝିରପାଣି, ବିଶ୍ରା, ବନ୍ଧମୁଣ୍ଡା, ନୂଆଗାଁ, ହାତୀବାରି, ବୀମିତ୍ରପୁର ଏବଂ ଏହାର ନିକଟସ୍ଥ ଗାଁରେ ନିୟମିତ ବ୍ୟବଧାନରେ କୁକୁଡ଼ା ଲଢ଼େଇ ଚାଲୁଛି। ଲୋକମାନେ ସେମାନଙ୍କ ଉପାର୍ଜିତ ଟଙ୍କା ହରାଇ ସର୍ବସ୍ବାନ୍ତ ହେଉଛନ୍ତି। ଗତ କିଛି ମାସ ହେବ ହାତୀବାରି ଅଞ୍ଚଳରେ କୁକୁଡା ଲଢ଼େଇ ଜୋରସୋରରେ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କୁକୁଡ଼ା ଲଢ଼େଇକୁ ଲୋକମାନଙ୍କୁ ଆସିବାକୁ ସୋସିଆଲ ମିଡିଆ (ୱାଟ୍‌ସଆପ୍‌)କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଭଏସ୍‌ ମେସେଜ୍‌ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ପଠାଯାଉଛି। କେବଳ ଏତିକି ନୁହେଁ ଲୋକମାନଙ୍କୁ ଆକର୍ଷିତ କରିବାକୁ ଖାସି ସହ ବିଭିନ୍ନ ପ୍ରକାର ଆକର୍ଷଣୀୟ ପୁରସ୍କାର ଘୋଷଣା କରାଯାଉଛି।

ହାତୀବାରିରେ କୁକୁଡା ଲଢ଼େଇକୁ ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ସ୍ଥାନୀୟ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୁକୁଡ଼ା ଲଢ଼େଇକୁ ବନ୍ଦ କରାଯାଇପାରିନି। ଏବେ ପନିପରିବା ଭଲ ଉତ୍ପାଦନ ହେଉଥିବାରୁ ଲୋକଙ୍କ ହାତରେ ଟଙ୍କା ଅଛି। ତେଣୁ ଖେଳ ପୂର୍ବାପେକ୍ଷା ଜୋରଦାର୍‌ ଚାଲିଛି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ହାଟରେ ନିଜର ଉତ୍ପାଦିତ ପନିପରିବା ବିକି ଯାହା ପାଉଛନ୍ତି, ତା’କୁ ଧରି କୁକୁଡା ଲଢ଼େଇରେ ପହଞ୍ଚି ଯାଉଛନ୍ତି। ଟଙ୍କାତକ ସେଠାରେ ଉଡାଇ ଦେଇ ଖାଲି ହାତରେ ଘରକୁ ଫେରୁଛନ୍ତି। ଟଙ୍କା ଚାଲିଯିବା ପରେ ମଦ ପିଉଛନ୍ତି ଓ ପରିବାର ସହ ପାଟିତୁଣ୍ଡ କରୁଛନ୍ତି। ଜୁଆ ଖେଳକୁ ନେଇ ହିଂସାକାଣ୍ଡ ବି ଘଟୁଛି।

ଓଡ଼ିଶା ସୀମାନ୍ତ ଝାରଖଣ୍ଡର ଆନନ୍ଦପୁର, ମନୋହରପୁରରେ ମଧ୍ୟ ସପ୍ତାହିକ ହାଟ ନିକଟରେ ଚାଲୁଥିବା କୁକୁଡା ଲଢ଼େଇରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ଲୋକେ ଭିଡ ଜମାଉଛନ୍ତି। ସାରନଗରୀ, ଜଲଦା ସମେତ ରାଉରକେଲାର ଶହ ଶହ ଛୋଟ ବ୍ୟବସାୟୀ ମଧ୍ୟ ସେଠାକୁ ଯାଉଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ନଭେମ୍ବର ୧୪ରେ କୁକୁଡା ଲଢ଼େଇ ଆୟୋଜନ କରୁଥିବା ମଦନ ମାଝି (୪୫)ଙ୍କୁ କିଛି ଯୁବକ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏମିତି ଆହୁରି ଅନେକ ହିଂସାକାଣ୍ଡ ଘଟିଛି। ନିୟମିତ ଭାବେ ଚାଲୁଥିବା କୁକୁଡା ଲଢ଼େଇ ଓ ଘୁଡ଼ଘୁଡି ପଟି ଉପରେ ଚଢ଼ଉ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର