ଭୁବନେଶ୍ବର : ନଡ଼ିଆ ଉତ୍ପାଦନ ବୃଦ୍ଧି, ସେଥିରୁ ସାମଗ୍ରୀ ପ୍ରସ୍ତୁତ କରିବା, ବଜାର ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଏବେ ନଡ଼ିଆ ଉନ୍ନୟନ ପରିଷଦ(ସିଡିବି)ର ଆର୍ଥିକ ସହାୟତାରେ ଦେଶରେ ୪୯୦ଟି ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି। ୨୦୨୦ ସୁଦ୍ଧା ଏହାକୁ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଶ୍ବ ନଡ଼ିଆ ଦିବସ ଅବସରରେ ସିଡିବି ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ତୋମାର କହିଲେ ଦେଶର ଏକ କୋଟିରୁ ଅଧିକ ଚାଷୀ ୨୦ ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ କରୁଛନ୍ତି। ବିଶ୍ବର ମୋଟ ନଡ଼ିଆ ଚାଷ ମଧ୍ୟରୁ କେବଳ ଭାରତରେ ୩୩ ପ୍ରତିଶତ ଉତ୍ପାଦନ ହେଉଛି। ବିଶ୍ବରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦେଶର ନଡ଼ିଆ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ସିଡିବି ପକ୍ଷରୁ ନୂତନ ଜ୍ଞାନକୌଶଳ, ପ୍ରଶିକ୍ଷଣ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଦେଶର ଜିଡିପିରେ ଓ କୃ‌ଷି କ୍ଷେତ୍ରର ଅବଦାନରେ ନଡ଼ିଆ ଚାଷ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶରେ ନଡ଼ିଆ ଚାଷ ଜମିର ପରିମାଣ ବୃଦ୍ଧି ସହ ଏହାର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଉପରେ ପ୍ରାଥମିକତା ଦିଆଯାଉଛି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କେନ୍ଦ୍ର ସରକାର ୧୦ ହଜାର ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ(ଏଫ୍‌ପିଓ) ଗଠନ କରିଛନ୍ତି। ଏଥିରେ ଓଡ଼ିଶାରୁ ଅନେକ ଚାଷୀ ସାମିଲ ହୋଇଛନ୍ତି। ‌ନଡ଼ିଆ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏଠାକାର ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ବାତ୍ୟାରେ ‘ଫନି’ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଡିବି ପକ୍ଷରୁ ପ୍ରାୟ ୨୯ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ନେଇ ସେ କହିଥିଲେ।

ବୈଠକରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ ଓଡ଼ିଶାର ଜଳବାୟୁ ନଡ଼ିଆ ଚାଷ ପାଇଁ ଅନୁକୂଳ। ତେବେ ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ‘ଫନି’ରେ ୭ ହଜାର ୯୩୦ ହେକ୍ଟର ଜମିରେ ନଡ଼ିଆ ଚାଷ ପ୍ରଭାବିତ ହୋଇଛି। ୭ ଲକ୍ଷ ଗଛ ନଷ୍ଟ ହୋଇଥିବା ବେଳେ ପ୍ରାୟ ୪ ଲକ୍ଷ ଗଛ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ନଡ଼ିଆ ଚାଷ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହ ନଡ଼ିଆ ଚାଷୀଙ୍କୁ ବୀମାଭୁକ୍ତ କରାଯିବାର ଆବଶ୍ୟକତା ରହିଛି। କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ନଡ଼ିଆ ଗଛ ପିଛା ୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା। ଅଧିକାଂଶ ଚାଷୀ କ୍ଷତିପୂରଣ ପାଇସାରିଛନ୍ତି। ଆଉ ଯେଉଁମାନେ ରହିଛନ୍ତି ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ। ସିଡିବି ପକ୍ଷରୁ ଓଡ଼ିଶାର ନଡ଼ିଆ ଚାଷୀଙ୍କୁ ଅଧିକ ସଂଖ୍ୟାରେ ନଡ଼ିଆ ଚାରା ଯୋଗାଇଦେବାକୁ ସେ ଦାବି ଜଣାଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଡିବିର ଅଧ୍ୟକ୍ଷ ଉଷାରାଣୀ ଦିବସ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ‌କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସିଡିବିର ଉପାଧ୍ୟକ୍ଷ ବିଶ୍ବନାଥ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମର ୫୦୦ରୁ ଅଧିକ ନଡ଼ିଆ ଚାଷୀ ଯୋଗଦେଇଥିଲେ। ଏହି ଅବସରରେ ୧୫ଟି ଉଦ୍ୟୋଗ ପକ୍ଷରୁ ନଡ଼ିଆ ଓ ଏଥିରେ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଅତିଥିମାନଙ୍କ ଦ୍ବାରା ନଡ଼ିଆ ଚା‌ଷ ସମ୍ପର୍କିତ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଲିଖିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।