ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ: ଉଦ୍ୟାନ ବିଭାଗରେ କେଳେଙ୍କାରୀ, କାଗଜପତ୍ରରେ ଚାଲିଛି ନଡ଼ିଆ ଚାଷ

ଯାଜପୁର/ବରୀ/ରସୁଲପୁର/ପାଣିକୋଇଲି : ଯାଜପୁର ଜିଲ୍ଲା ଉଦ୍ୟାନ ବିଭାଗର ଏଡିଏଚ୍ କାର୍ଯ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି। ହଜାର ହଜାର ନଡ଼ିଆ ଗଛ ଉଭାନ ହୋଇଯାଇଛି। କେବଳ କାଗଜପତ୍ରରେ ନଡ଼ିଆ ଚାଷ କରାଯାଇଥିବା ଭଳି ସାଂଘାତିକ ତଥ୍ୟ ଏବେ ପଦାକୁ ଆସିଛି।

ଚାଷୀର ବିକାଶ ପାଇଁ ଉଦ୍ୟାନ ବିଭାଗ ଜରିଆରେ ପନିପରିବା, ଫଳ, ଫୁଲ ପ୍ରଭୃତି ଚାଷ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ଅଥଚ ଏସବୁ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଜାଲ କାଗଜପତ୍ର ଜରିଆରେ ବ୍ୟାପକ ଦୁର୍ନୀତି ହୋଇଛି। ଜାଲ ଚାଷୀଙ୍କ ନାମରେ ହେରାଫେରି ହୋଇଥିବାର ସମ୍ବାଦ ଅନୁସନ୍ଧାନ ଟିମର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

୨୦୧୩-୧୪ ରୁ ୨୦୧୭-୧୮ଆର୍ଥିକ ବର୍ଷ ମଧ୍ୟରେ ଏନଆରଜିଏସ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ନଡ଼ିଆ ଚାଷ ପାଇଁ ସରକାର ଯୋଗାଇ ଥିବା ପ୍ରାୟ ୫୦ହଜାର ନଡ଼ିଆ ଗଛ ଓ ଅନୁଦାନ ଅର୍ଥ ହରିଲୁଟ୍ ହୋଇଛି। କାଗଜପତ୍ରରେ ମଧ୍ୟ ନଡ଼ିଆ ଚାରା ରୋପଣ କରାଯିବା ସହିତ ଅନୁଦାନ ବିଭାଗୀୟ ଅଧିକାରୀ ଓ ‌େକତେକ ଦଲାଲ ନିଜ ନିଜ ଭିତରେ ଭାଗବାଣ୍ଟି ନେଇଛନ୍ତି। ନଡ଼ିଆ ଚାରା କେଳେଙ୍କାରୀ ପ୍ରଥମ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଛାନିଆଁ ହୋଇପଡ଼ିଛନ୍ତି। ଅନ୍ୟପଟେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଅନୁସଂଧାନ ଟିମ୍ କୋରେଇ ବ୍ଲକ୍ର ପାଣିକୋଇଲି, ରସୁଲପୁର, ବଡ଼ଚଣା, ବରୀ, ବିଂଝାରପୁର ପ୍ରଭୃତି ବ୍ଲକ୍ର ହିତାଧିକାରୀଙ୍କୁ ଯୋଗାଯୋଗ କରିବା ପରେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି।

କୋରେଇ ବ୍ଲକର ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର କାଙ୍କାଳି ଦାସ ଓ ବିବେକା ଦାସଙ୍କୁ ୩୫୦ଟି ଚାରା ଯୋଗାଇ ଦିଆଯାଇଥିବା କାଗଜପତ୍ରରେ ଦର୍ଶାଯାଇଥିଲେ ହେଁ ସେ ପ୍ରକୃତରେ ୧୭୦ଟି ଗଛ ପାଇଛନ୍ତି। ଏ ବାବଦରେ ତାଙ୍କୁ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିିବା ବିବେକା ଦାସ ପ୍ରକାଶ କରିଛନ୍ତି। ସେହିପରି କରଦା ପଞ୍ଚାୟତର ରାଣୀଗୋଡ଼ା ଗ୍ରାମର ମୁରଲୀଧର ସାହୁଙ୍କୁ ୪୦ଟି ଗଛ ଦିଆଯାଇଥିବା ଦର୍ଶାଯାଇଥିଲେ ହେଁ ଗାଁ ସେହି ନାମଧାରୀ କେହି ଲୋକ ନଥିବା ଜଣାଯାଇଛି।

ସରକାରୀ ତଥ୍ୟ ମୁତାବକ ଆର୍ଥିକ ବର୍ଷ ୨୦୧୩-୧୪ ରୁ ୨୦୧୭-୧୮ରେ ମୋଟ ୪୩ହଜାର ୩୪୮ ଟି ନଡିଆ ଗଛ ଲଗାଯାଇଛି। ଏନଆରଜିଏସରେ ୫ହଜାର ୨୧୫ ଗଛ ଓ ସ୍ୱତନ୍ତ୍ର ଚାରା ଯୋଜନା ରେ ମଧ୍ୟ ଶହ ଶହ ନଡିଆ ଗଛ ଲଗାଯାଇଛି । ଏଥି ମଧ୍ୟରେ ରାଜ୍ୟ ଯୋଜନା ରେ ୨୦୧୩-୧୪ ରେ ୧୩ହଜାର ୭୨୩ ଟି ନଡିଆ ଗଛ, ୨୦୧୪-୧୫ ରେ ୧୫ହଜାର ୭୬୦, ୨୦୧୫-୧୬ ରେ ୪ହଜାର ୫୨୫, ୨୦୧୬-୧୭ ରେ ୪ହଜାର ୭୨୦, ୨୦୧୭-୧୮ ରେ ୪ହଜାର ୬୨୦ ଟି ନଡିଆ ଗଛ ଲଗା ଯାଇଛି। ମୋଟାମୋଟି ଭାବେ ୫ ବର୍ଷରେ ୫୦ ହଜାର ଗଛ ଲଗା ଯାଇଛି ବୋଲି ସରକାରୀ ତଥ୍ୟ କହୁଛି। ଏପରିକି ୧୦ଟି ଗଛରୁ ଅଧିକ ନେଇଥିବା ଚାଷୀଙ୍କୁ ଗଛ ପ୍ରତି ୧ଶହ ଟଙ୍କା ସରକାରୀ ଅନୁଦାନ ପ୍ରଦାନ କରାଯାଇଛି। ଏହି ସବୁ ଯୋଜନା ଅଧିକାଂଶ ବ୍ଲକ୍ ରେ ଦଲାଲଙ୍କ ଜରିଆରେ କାଗଜପତ୍ରରେ ଚାରା କିଣାବିକା ସହିତ ଅନୁଦାନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର