ଶୁଭକାନ୍ତ ପଢ଼ିହାରୀ

Advertisment

ଜଗତସିଂହପୁର: ୧୯୯୯ ମହାବାତ୍ୟାର ପ୍ରାୟ ୨୫ ବର୍ଷ ପରେ ଏବେ ନଡ଼ିଆ ପୁଣି ଅମୂଲ ମୂଲ ହୋଇଛି। ଜଗତସିଂହପୁର ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ପର୍ବପର୍ବାଣିରେ ପିଠାପଣା କରିବାକୁ ନଡ଼ିଆ ନଡ଼ିଆ ଅଭାବ ଦେଖିବାକୁ ମିଳିଲାଣି। ଯେଉଁଠି ବି ମିଳୁଛି ଚଢ଼ା ଦାମରେ। ଏହା ପଛର ପ୍ରମୁଖ କାରଣ ହେଉଛି ପଇଡ଼ର ବର୍ଦ୍ଧିତ ଚାହିଦା। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ବି ଓଡ଼ିଶା ଉପକୂଳ ଅଞ୍ଚଳର ପଇଡ଼ର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ନଡ଼ିଆ ପରିମାଣ ହ୍ରାସ ପାଇବାରେ ଲାଗିଛି।

ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁରରେ ଗତବର୍ଷ ୨୯୩୦ ହେକ୍ଟରରୁ ୨ କୋଟି ୪୦ ଲକ୍ଷ ପଇଡ ଉତ୍ପାଦନ ହୋଇଥିଲା। ୧୯୯୯ ମହାବାତ୍ୟା ପରେ ଜଗତସିଂହପୁର, ପୁରୀ ସମେତ ଉପକୂଳ ଅଞ୍ଚଳରେ ହଜାର ହଜାର ନଡ଼ିଆ ଗଛ ଭାଙ୍ଗି ଯାଇଥିଲା। ୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ନଡ଼ିଆର ଅଭାବ ଦେଖା ଦେଇଥିଲା। ଦାମ୍ ମଧ୍ୟ ଢେର ଅଧିକ ଥିଲା। ଏବେ କିନ୍ତୁ ପୁରୁଣା ଓ ନୂଆ ଗଛ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଅଥଚ ଜଗତସିଂହପୁର ଜିଲ୍ଲାରେ ନଡ଼ିଆ ଅଭାବ ସହ ଦାମ୍ ବଢ଼ିବାରେ ଲାଗିଛି। ନଡ଼ିଆ ଗୋଟାକୁ ୪୦/୫୦ ଟଙ୍କାରେ ବିକ୍ରି ହେଉଛି। ଜଣେ ବେପାରୀଙ୍କ କହିବା ଅନୁସାରେ, ଏବେ ପଇଡ଼ର ଚାହିଦା ଯଥେଷ୍ଟ ଅଧିକ ରହିଛି। ଶହ ଶହ ସଂଖ୍ୟାରେ ପଇଡ଼ ବେପାରୀ ବାହାରିଲେଣି। ଲୋକଙ୍କର ମଧ୍ୟ ପଇଡ଼ା ପିଇବା ଚାହିଦା ବଢ଼ିଛି। ତେଣୁ ପଇଡ଼ରୁ ଭଲ ଦି' ପଇସା ଲାଭ ମିଳୁଛି। ବେପାରୀମାନେ ୧୫ରୁ ୨୦ ଟଙ୍କାରେ କିଣି ୩୦ ଟଙ୍କାରୁ ଅଧିକ ଦାମରେ ପଇଡ଼ ବିକ୍ରି କରୁଛନ୍ତି।

 ଯଦି ଜଣେ ଶହେଟି ପଇଡ଼ ବିକ୍ରି କରୁଛି, ତା ହେଲେ ହଜାରେରୁ ଦେଢ଼ ହଜାର ଟଙ୍କା ଯାଏ ଲାଭ ପାଉଛି। ତେଣୁ ପଇଡ଼ ବ୍ୟବସାୟରେ ଯୁବ ବର୍ଗ ସାମିଲ ହେବାରେ ଲାଗିଛନ୍ତି। ପଇଡ଼ ଚାଲାଣ କରୁଥିବା ବଡ଼ ବେପାରୀମାନେ ଗାଁ ଗଣ୍ଡାକୁ ଯାଇ ଆଗୁଆ ବଇନା ଦେଇ ପଇଡ଼ ସଂଗ୍ରହ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। କଟକ, ଭୁବନେଶ୍ବର, ରାଉରକେଲା, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ସମେତ ବିଭିନ୍ନ ସ୍ଥାନକୁ ଜଗତସିଂହପୁର ଅଞ୍ଚଳରୁ ପଇଡ଼ ଚାଲାଣ କରାଯାଉଛି। ସେହିପରି ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବକୁ ମଧ୍ୟ ଜଗତସିଂହପୁର ପଇଡ଼ ଚାଲାଣ କରାଯାଉଥିବା ଜଣାପଡ଼ିଛି। ପଇଡ଼ ବେପାର ବଢ଼ି ଚାଲିଥିବାରୁ ଗଛରେ ଆଉ ନଡ଼ିଆ ହେବା ଯାଏ ରହୁନି। କିନ୍ତୁ ପର୍ବପର୍ବାଣିରେ ନଡ଼ିଆର ଆବଶ୍ୟକତା ଥିବା ବେଳେ ତାହା ଅଭାବ ପଡୁଛି। ଲୋକ କାମ ଚଳାଇବାକୁ ଅଧିକ ଦାମ୍‌ ଦେଇ ନଡ଼ିଆ କିଣୁଛନ୍ତି।