ଉଦ୍ୟାନ ବିଭାଗରେ ଚାରା କେଳେଙ୍କାରୀ : ୫ବର୍ଷରେ ୫୦ହଜାର ନଡ଼ିଆ ଗଛ ଉଭାନ!
ଯାଜପୁର : ଉନ୍ନୟନ ଯୋଜନାର ବାଟ ଓଗାଳୁଛି ଦୁର୍ନୀତି। ଯେତେ ଯୋଜନା ହେଉଛି ସେହି ପରିମାଣରେ ବଢ଼ି ଚାଲିଛି ହରିଲୁଟ୍। ଚାଷ ଓ ଚାଷୀର ବିକାଶ ପାଇଁ ସରକାର ନୂଆ ନୂଆ ଯୋଜନା କରୁଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ କର୍ମଚାରୀ ଗଳା ବାଟରେ ଗିଳି ଦେଉଛନ୍ତି। ଯାଜପୁର ଜିଲ୍ଲାରେ ଉଦ୍ୟାନ ବିଭାଗର ଏଭଳି ଏକ କେଳେଙ୍କାରୀ ଏବେ ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଫନି ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାରେ ହଜାର ହଜାର ନଡ଼ିଆ ଗଛ ନଷ୍ଟ ହୋଇଗଲା। ତେବେ ବର୍ତ୍ତମାନ ଯାଜପୁର ଜିଲ୍ଲାରେ ବିନା ବାତ୍ୟାରେ ହଜାର ହଜାର ନଡ଼ିଆ ଗଛ ଉଭାନ୍ ହୋଇଯାଇଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ଗତ ପାଞ୍ଚଟି ଆର୍ଥିକ ବର୍ଷ ୨୦୧୩-୧୪ ରୁ ୨୦୧୭-୧୮ ମଧ୍ୟରେ ୪୩ ହଜାର ୩୪୮ ଟି ନଡ଼ିଆ ଗଛ ଲଗାଯାଇଛି । ଏହା ବାଦ୍ ମହତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୫୨୧୫ ଓ ସ୍ୱତନ୍ତ୍ର ଚାରା ଯୋଜନାରେ ମଧ୍ୟ ଶହ ଶହ ନଡ଼ିଆ ଗଛ ଲଗାଯାଇଛି । ସେଥି ମଧ୍ୟରୁ ରାଜ୍ୟ ଯୋଜନାରେ ୨୦୧୩-୧୪ ଆର୍ଥିକ ବର୍ଷରେ ୩୧୮ ଜଣ ହିତାଧିକାରୀଙ୍କୁ ୧୩ହଜାର ୭୨୩ ଟି ନଡ଼ିଆ ଗଛ ଚାରା ଦିଆଯାଇଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ୨୫୨ ଜଣ ହିତାଧିକାରୀ ୧୫ହଜାର ୭୬୦ ଟି ନଡିଆ ଗଛ ଲଗାଇଥିଲେ। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ୯୨ ଜଣ ହିତାଧିକାରୀ ୪ହଜାର ୫୨୫ ଟି ନଡ଼ିଆ ଗଛ, ୨୦୧୬-୧୭ ଆର୍ଥିକ ବର୍ଷରେ ୬୬ ଜଣ ହିତାଧିକାରୀ ୪ହଜାର ୭୨୦ ଟି ନଡ଼ିଆ ଗଛ, ୨୦୧୭-୧୮ଆର୍ଥିକ ବର୍ଷରେ ୯୭ ଜଣ ହିତାଧିକାରୀ ୪ହଜାର ୬୨୦ ଟି ନଡ଼ିଆ ଗଛ ଲଗାଇଛନ୍ତି ।
ସରକାରୀ ତଥ୍ୟ ମୁତାବକ ଜିଲ୍ଲାରେ ୧୦ଟି ବ୍ଲକ୍ରେ ହଜାର ହଜାର ନଡ଼ିଆ ଚାରା ବଣ୍ଟନ କରାଯାଇଛି। ଏପରିକି ତାହାର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସର୍ବୋପରି ଜଣେ ଜଣେ ଚାଷୀଙ୍କ ନାମରେ ଶହ ଶହ ନଡିଆ ଗଛ ଯୋଗାଣ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ଗତ ୫ବର୍ଷରେ ପ୍ରାୟ ୫୦ହଜାର ନଡ଼ିଆ ଗଛ ଲଗାଇଯାଇଥିବା ଖବର ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏତେ ପରିମାଣର ନଡ଼ିଆ ଚାରା କେଉଁଠି ଲଗାଯାଇଥିଲା? ସେହି ନଡ଼ିଆ ଗଛଗୁଡ଼ିକ ଏବେ କେଉଁଠି ଏବଂ କିଭଳି ଅବସ୍ଥାରେ ଅଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନଡିଆ ଚାରା ଯୋଗାଣ ଓ ରକ୍ଷଣା ବେକ୍ଷଣ କାଗଜପତ୍ରରେ ହୋଇଥିବା ଅଭିଯୋଗ ଉଠୁଥିବା ବେଳେ ଶହ ଶହ ନଡ଼ିଆ ଚାରା ନେଇଥିବା ଚାଷୀଙ୍କ ଆବଶ୍ୟକ ଜମି ଅଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯିବା ଜରୁରି ହୋଇପଡ଼ିଛି। ଯାଜପୁର ଜିଲ୍ଲା ଉଦ୍ୟାନ ବିଭାଗର ଚାରା କେଳେଙ୍କାରୀ ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି।